ନୂଆଦିଲ୍ଲୀ,୨୦/୦୩: ୨୦୨୨ ଆଇପିଏଲ୍‌  ଚାମ୍ପିଅନ୍‌ ଓ ୨୦୨୩ ରନର୍ସ ଅପ୍‌ ଗୁଜରାଟ ଟାଇଟନ୍ସ  ଏଥର ମଧ୍ୟ ଟାଇଟଲ ଦାବିଦାର ରହିଛି। ଶୁଭମନ  ଗିଲ୍‌ଙ୍କ ନେତୃତ୍ୱରେ ଟାଇଟନ୍ସ ଦଳ ଏଥର ବାକି ଦଳ  ଗୁଡ଼ିକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ । ମାତ୍ର ଦଳ ଏଥର ନୂଆ ଯୋଜନା ସହ ଗ୍ରାଉଣ୍ଡକୁ ଓହ୍ଲାଇବ। ଚଳିତ  ବର୍ଷ ଟପ୍‌ ଅର୍ଡର ବ୍ୟାଟରମାନଙ୍କ ଉପରେ ଦଳର  ଭାଗ୍ୟ ନିର୍ଭର କରିବ ।ଗତ ୩ଟି ସଂସ୍କରଣରେ ନିମ୍ନ  ଭାଗ ବ୍ୟାଟରମାନେ ଦଳକୁ ବହୁ ମ୍ୟାଚ୍‌ ଜିତାଇଥିଲେ । ନିମ୍ନ ଭାଗରେ ଡେଭିଡ୍‌ ମିଲର, ରାହୁଲ ତେୱାତିଆ ଓ  ରସିଦ ଖାନ୍‌ ବିସ୍ଫୋରକ ବ୍ୟାଟିଂ କରି ପ୍ରତିପକ୍ଷଙ୍କ ଠାରୁ  ବିଜୟ ଛଡ଼ାଇ ନେଉଥିଲେ । ମାତ୍ର ଏଥର ଟାଇଟନ୍ସ  ଦଳରେ ମିଲର ନାହାନ୍ତି । ମଧ୍ୟ ଭାଗରେ ମଧ୍ୟ ସେଭଳି  ଷ୍ଟାର ବ୍ୟାଟର ନାହାନ୍ତି । ତେଣୁ ଓପନର ହିଁ ବ୍ୟାଟିଂ  ବିଭାଗ ସମ୍ଭାଳିବେ ।  

ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଓପନିଂ ବିଭାଗ  ଅଧିକ ସୁଦୃଢ । ଶୁଭମନ ଗିଲ୍‌ଙ୍କ ସହ ଏଥର ଜୋସ  ବଟଲର ପାଳି ଆରମ୍ଭ କରିବାକୁ ଯାଉଛନ୍ତି । ୩ନଂ ସ୍ଥାନରେ ରହିଛନ୍ତି ବି ସାଇ ସୁଦର୍ଶନ । ପ୍ରଥମ ୩ଜଣଙ୍କ  ପରେ ଆରମ୍ଭ ହେବ ଅଲ୍‌ରାଉଣ୍ଡରଙ୍କ ପାଳି । ଗ୍ଲେନ  ଫିଲିପ୍ସ, ୱାସିଂଟନ ସୁନ୍ଦର, ରାହୁଲ ତେୱାତିଆ,  ଶାହରୁଖ ଖାନ ପ୍ରମୁଖ ପରବର୍ତ୍ତୀ ସ୍ଥାନରେ ବ୍ୟାଟିଂ  ପାଇଁ ଓହ୍ଲାଇବେ । ତେଣୁ ଟାଇଟନ୍ସର ବ୍ୟାଟିଂ ବିଭାଗ  ସେଭଳି ସୁଦୃଢ ମନେ ହେଉନାହିଁ ।  

ନୂଆ ପେସ୍‌ ବାହିନୀ: ଟାଇଟନ୍ସ ଏଥର  ସମ୍ପୂର୍ଣ୍ଣ ନୂଆ ପେସ ବାହିନୀ ସହ ଗ୍ରାଉଣ୍ଡକୁ ଓହ୍ଲାଇବ ।  ମେଗା ନିଲାମରେ ଟାଇଟନ୍ସ ମହମ୍ମଦ ସିରାଜଙ୍କୁ  ୧୨.୨୫କୋଟି, କାଗିସୋ ରାବାଡାଙ୍କୁ ୧୦.୭୫କୋଟି  ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ୯.୫କୋଟି ଟଙ୍କାରେ କିଣିଛି ।  ଏମାନେ ମୁଖ୍ୟତଃ ପେସ୍‌ ବିଭାଗ ସମ୍ଭାଳିବେ ।  ଏମାନଙ୍କ ବ୍ୟତୀତ ଦଳରେ ଅନ୍ୟ ପେସ ବୋଲର  ଭାବେ ଗେରାଲ୍‌ହ କୋଏଜି, ଈଶାନ୍ତ ଶର୍ମା, ଗୁରନୂର  ବ୍ରାର, କୂଲୱନ୍ତ ଖେଜ୍ରୋଲିଆ ଓ ଅର୍ଶଦ ଖାନ ରହିଛନ୍ତି ।  

ଟି-ଟ୍ୱେଣ୍ଟି ଦଳକୁ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ: ଟାଇଟନ୍ସ ଅଧିନାୟକ ଗିଲ୍‌ ଭାରତୀୟ ଟି-ଟ୍ୱେଣ୍ଟି  ଦଳକୁ ଫେରିବା ପାଇଁ ବ୍ୟାକୁଳ । ତେଣୁ ଆଇପିଏଲ୍‌ ଜରିଆରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ  ସେ ଲକ୍ଷ୍ୟ ରଖିଛନ୍ତି ।  ୨୦୨୩ ଆଇପିଏଲ୍‌ରେ ଗିଲ୍‌ ୮୯୦ ରନ୍‌  ସଂଗ୍ରହ କରିଥିଲେ। ସେତେବେଳେ ସେ ଭାରତୀୟ  ଟି-ଟ୍ୱେଣ୍ଟି ଦଳର ପ୍ରମୁଖ ବ୍ୟାଟର ରହିଥିଲେ ।  ମାତ୍ର ଫର୍ମ ହାନୀ ଓ ଏକାଧିକ ପ୍ରତିଦ୍ୱନ୍ଦ୍ୱୀଙ୍କ  ଆବିର୍ଭାବ ଯୋଗୁଁ ଗିଲ୍‌ ଦଳରୁ ବାଦ ପଡ଼ିଥିଲେ ।  

୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଦଳରେ ତାଙ୍କୁ ସ୍ଥାନ  ମିଳି ନଥିଲା । ଏବେ ରୋହିତ ଶର୍ମା ଓ ବିରାଟ  କୋହଲି ଟି-ଟ୍ୱେଣ୍ଟିରୁ ଅବସର ନେଇ ସାରିଛନ୍ତି । ତଥାପି ଗିଲ୍‌ ଦଳକୁ ଫେରି ପାରିନାହାନ୍ତି । କାରଣ  ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଓପନର ଭାବେ  ଖେଳି ୨ଟି ଲେଖାଏଁ ଶତକ ଅର୍ଜନ କରିସାରିଛନ୍ତି ।  ତେଣୁ ଗିଲଙ୍କୁ ୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ  ଦଳକୁ ଫେରିବାକୁ ହେଲେ ଏବେଠୁ ଆଇପିଏଲ୍‌ରେ  ରନ୍‌ ବର୍ଷା କରିବାକୁ ହେବ ।  

ବଟଲରଙ୍କ ପ୍ରିୟ ଗ୍ରାଉଣ୍ଡ: ଦୀର୍ଘ ଦିନ ଧରି  ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବା ପରେ  ବଟଲର ଏଥର ଟାଇଟନ୍ସ ଦଳରେ  ସ୍ଥାନ ପାଇଛନ୍ତି । ମେଗା  ନିଲାମରେ ଟାଇଟନ୍ସ ତାଙ୍କୁ ୧୫.୭୫ କୋଟି ଟଙ୍କାରେ  କିଣିଥିଲା । ଏବେ ଅହମ୍ମଦାବାଦ ତାଙ୍କ ଘରୋଇ  ଗ୍ରାଉଣ୍ଡ । ଏହି ଗ୍ରାଉଣ୍ଡରେ ବଟଲରଙ୍କ ପ୍ରଦର୍ଶନ ବେଶ୍‌ ଉନ୍ନତ । ଏଠାରେ ସେ ୮ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି । ଏଠାରେ ସେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ବଳରେ ୩୧୭ ରନ ସଂଗ୍ରହ କରିଛନ୍ତି ।

ସମ୍ଭାବ୍ୟ ଦଳ

ଶୁଭମନ ଗିଲ୍‌ (ଅଧିନାୟକ), ଜୋସ୍‌ ବଟଲର,  ବି ସାଇ ସୁଦର୍ଶନ, ସେରଫାନ ରଦରଫୋର୍ଡ/ଗ୍ଲେନ  ଫିଲିପ୍ସ, ୱାସିଂଟନ ସୁନ୍ଦର, ରାହୁଲ ତେୱାତିଆ,  ଶାହରୁଖ ଖାନ, ରସିଦ ଖାନ, ଆର ସାଇ କିଶୋର,  କାଗିସୋ ରାବାଡା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।