ନୂଆଦିଲ୍ଲୀ,୧୯/୧୧: ମେଳାକୁ ଯିବା ହେଲା କାଳ  । ଅକାଳରେ ଚାଲିଗଲା ୬ ଜୀବନ । ତେବେ ଗୁଜୁରାଟର ଭରୁଚରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା କାର୍। ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରେ ୨ ଜଣ ଛୁଆ ଓ ୨ ମହିଳାଙ୍କ ମଧ୍ୟ ସାମିଲ ଥିବା ଜଣାପଡିଛି ।  ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି। ଏଥିସହ ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜ କରିଥିବା ବେଳେ ମୃତକଙ୍କ ପରିବାର ଲୋକଙ୍କୁ ଏନେଇ ସୂନା ଦେଇଛି।  

ତେବେ ମିଡିଆ ରିପୋର୍ଟ ମୁତାବକ, ଗତକାଲି ବିଳମ୍ବିତ ରାତିରେ ଭରୁଚର ଜମ୍ବୁସର-ଆମୋଦ ରୋଡରେ ହୋଇଛି । ତେବେ ଘଟଣାର ଶିକାର ହୋଇଥିବା ସମସ୍ତ ବ୍ୟକ୍ତି ଜମ୍ବୁସରର ବେଡଚ ଓ ପାଞ୍ଚକଡା ଗାଁ ନିବାସୀ ଥିବା ଜଣାପଡିଛି। ସମସ୍ତେ ଏକ କାରରେ ମିଶି ଶୁକ୍ଳତୀର୍ଥରେ ଚାଲିଥିବା ମେଳା ବୁଲି ଫେରୁଥିବା ବେଳେ ଘଟଣାର ଶିକାର ହୋଇଥିଲେ । ସେହିପରି  ୪ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି  । ପ୍ରକାଶ ଥାଉକି, ଗତକାଲି ସକାଳେ ମଧ୍ୟ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା । ରାଜ୍ୟର ଆନନ୍ଦ ଜିଲ୍ଲାର ଅହମ୍ମଦାବାଦ-ବଦୋଦରା ଏକ୍ସପ୍ରେସ ଓ୍ବେରେ ଟ୍ରକ ଓ ବସ୍ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା ।ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଥିଲେ । ଏନେଇ ପୋଲିସ ଖବରପାଇ ଘଟଣାସ୍ଥଳରେ  ପହଞ୍ଚି ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।