ନୂଆଦିଲ୍ଲୀ : ଚେନ୍ନାଇ ୮ ଓ୍ବିକେଟରେ ହରାଇଲା ଗୁଜୁରାଟ । ୧୫୯ ରନର ବିଜୟ ଲକ୍ଷ୍ୟକୁ ୧୬ ଓଭର ୨ ବଲରେ ଜିତି ନେଇଛି ଗିଲ୍ ବାହିନୀ । ସାଇ ସୁଦର୍ଶନ ୪୬ ବଲରୁ ୮୭ ରନ କରିଛନ୍ତି । ଏହାସହ ଗିଲ୍ ୩୩ ରନ ଏବଂ ବଟଲର ୩୯ ରନ କରିଛନ୍ତି । ସେପଟେ ଚେନ୍ନାଇ ପକ୍ଷରୁ ଅଖିଲ ହୁସେନ ଏବଂ ନୂର ଅହମ୍ମଦ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଛନ୍ତି ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ । ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବାବେଳେ ଦଳ ୭ ଓ୍ବିକେଟରେ ୧୫୮ ରନ କରିଥିଲା । ଗାଏକ୍ବାଡ ଦଳ ପକ୍ଷରୁ ସର୍ବାଧିକ ୬୦ ବଲରୁ ୭୪ ରନ୍ କରିଛନ୍ତି । ସେପଟେ ରାବାଡା ଗୁଜୁରାଟ ପକ୍ଷରୁ ସର୍ବାଧିକ ୩ ଓ୍ବିକେଟ ଅକ୍ତିଆର କରିଥିଲେ ।

ଇନିଂସ ଆରମ୍ଭରୁ ଚେନ୍ନାଇର ବ୍ୟାଟିଂ ମନ୍ଥର ଥିଲା। ଏହାର କାରଣ ଥିଲା ଦଳର ପ୍ରାରମ୍ଭିକ ବ୍ୟାଟର ମାନେ କ୍ରିଜ୍ରେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲେ। ଦଳ ୮.୨ ଓଭରରେ ସ୍କୋର ୩୭ ରନ୍ରେ ୪ ଜଣ ଖେଳାଳିଙ୍କୁ ହରାଇଥିଲା। ଚେନ୍ନାଇ ଦଳର ସ୍କୋର ୨୧ ରନ୍ରେ ସଂଜୁ ସାମସନ, ୨୫ ରନ୍ରେ ଉର୍ଭିଲ ପଟେଲ (୪ ରନ୍), ୨୬ ରନ୍ରେ ସର୍ଫରାଜ ଖାନ (ଶୂନ୍ୟ ରନ୍) ଏବଂ ୩୭ ରନ୍ରେ ଡେୱାର୍ଲ୍ଡ ବ୍ରେଭିସ୍ (୨ ରନ୍) ଆଉଟ ହୋଇଥିଲେ।

ତେବେ ଚେନ୍ନାଇ ପକ୍ଷରୁ ଶିଭମ ଦୁବେ ୨୨, କାର୍ତ୍ତିକ ଶର୍ମା ୧୯ ଏବଂ ଓଭରଟନ୍ ୧୮ ରନ କରିବାରେ ସକ୍ଷମ ହୋଇଥିଲେ । ଆଜି ପ୍ରଥମରୁ ଦଳ ଧିମା ଆରମ୍ଭ କରିଥିବାବେଳେ ଏତିକି ସ୍କୋରରେ ସନ୍ତୁଷ୍ଟ ହୋଇଛି ।ସେପଟେ ଗୁଜୁରାଟ ପକ୍ଷରୁ ରାବାଡ଼ା ୩ ଓ୍ବିକେଟ ଅକ୍ତିଆର କରିଥିବାବେଳେ ବାକି ବୋଲରଙ୍କ ମଧ୍ୟରେ ଅର୍ଶଦ ଖାନ ୨, ସିରାଜ ଏବଂ ମାନବ ସୂତାର ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଥିଲେ ।

ଏହାସହ ପଢ଼ନ୍ତୁ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଲକ୍ଷ୍ନୌ, ବ୍ୟାଟିଂ କରିବ କୋଲକାତା