ନୂଆଦିଲ୍ଲୀ,୨୪/୦୫ ଅବିଶ୍ୱସନୀୟ ଟାଇମିଂ ଏବଂ ଅଦ୍ଭୁତ ଦ୍ରୁତତା (ସ୍ପିଡ୍) । ରାଞ୍ଚିର ବିର୍ସା ମୁଣ୍ଡା ଷ୍ଟାଡିୟମ ଟ୍ରାକ୍ରେ ନୂଆ ଇତିହାସ ରଚିଛନ୍ତି ପଞ୍ଜାବର ଗୁରିନ୍ଦରବୀର ସିଂ । ସେ ପୁରୁଷ ୧୦୦ ମିଟରକୁ ୧୦.୦୯ ସେକେଣ୍ଡରେ ଦୌଡି଼ ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିବା ସହ ଭାରତର ଦ୍ରୁତତମ ପୁରୁଷ ହେବାର ଗୌରବ ଲାଭ କରିଛନ୍ତି । ରାଞ୍ଚିର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ୨୯ତମ ଜାତୀୟ ସିନିୟର ଆଥଲେଟିକ୍ସ ଫେଡେରେସନ୍ କପ୍ରେ ପୁରୁଷ ୧୦୦ ମିଟର ଫାଇନାଲ ଥିଲା । ସେମି ଫାଇନାଲରେ କଡ଼ା ଟକ୍କର ହୋଇଥିଲା । ମାତ୍ର କିଛି ମିନିଟ ବ୍ୟବଧାନରେ ୨ଟି ଜାତୀୟ ରେକର୍ଡ ପ୍ରତିଷ୍ଠା ହୋଇଥିଲା । ହିଟ୍-୧ରେ ଗୁରିନ୍ଦରବୀର ପ୍ରଥମେ ୧୦.୧୭ ସେକେଣ୍ଡରେ ଦୌଡ଼ି ଅନିମେଶ କୁଜୁରଙ୍କ ରେକର୍ଡ ଭଙ୍ଗ କରିଥିଲେ । ପୁଣି ହିଟ୍-୨ରେ ଅନିମେଶ ୧୦.୧୫ ସେକେଣ୍ଡରେ ଦୌଡ଼ି ଗୁରିନ୍ଦରବୀରଙ୍କ ରେକର୍ଡ ଭାଙ୍ଗିଥିଲେ । ଅପେକ୍ଷା ଥିଲା ଫାଇନାଲକୁ । କିଛି ନିଶ୍ଚିତ ଚମତ୍କାର ଦେଖିବାକୁ ମିଳିବ ।

ରିଲାଏନ୍ସରୁ ପ୍ରତିନିଧିତ୍ୱ କରୁଥିବା ଗୁରିନ୍ଦରବୀର (୧୦.୧୭), ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଅନିମେଶ (୧୦.୧୫ ସେକେଣ୍ଡ), ରିଲାଏନ୍ସର ପ୍ରଣବ ପ୍ରମୋଦ ଗୌରବ (୧୦.୩୦), ଓଡ଼ିଶାର ଲାଲୁପ୍ରସାଦ ଭୋଇ (୧୦.୩୮), ବିହାରର ବିଭାସ୍କର କୁମାର (୧୦.୩୬), ରେଳବାଇର ମାନବ ଆର (୧୦.୪୧), ହରିଆନାର ନୁରଜାତ (୧୦.୪୧) ଏବଂ ତାମିଲନାଡୁର ସାମ ବସନ୍ତ (୧୦.୪୫) ଫାଇନାଲରେ ଦୌଡ଼ିଥିଲେ । ଟ୍ରାକରେ ଗୁରିନ୍ଦରବୀରଙ୍କ ଗତି ଅତି ଅବିଶ୍ୱସନୀୟ ରହିଥିଲା । ସମସ୍ତଙ୍କୁ ପଛରେ ପକାଇ ସେ ୧୦.୦୯ ସେକେଣ୍ଡ ସହ ପ୍ରଥମ ସ୍ଥାନ ହାସଲ କରିଥିଲେ । ଅନିମେଶଙ୍କ (୧୦.୧୫ ସେକେଣ୍ଡ) ରେକର୍ଡ ସେ ଭଙ୍ଗ କରି ଅତି ଅଦ୍ଭୁତ ଟାଇମିଂ ଦେଇଥିଲେ । ୧୦.୨୦ ସେକେଣ୍ଡରେ ଦୌଡ଼ ଶେଷ କରି ଅନିମେଶ ଦ୍ୱିତୀୟ ସ୍ଥାନ ସହ ରୌପ୍ୟ ଏବଂ ପ୍ରଣବ ୧୦.୨୯ ସେକେଣ୍ଡ ସହ ବ୍ରୋଞ୍ଜ ପଦକ ଜିତିଥିଲେ । ଲାଲୁପ୍ରସାଦ ୧୦.୪୬ ସେକେଣ୍ଡ ସହ ପଞ୍ଚମ ସ୍ଥାନରେ ରହିଥିଲେ । ଗୁରିନ୍ଦରବୀର ନୂଆ ଜାତୀୟ ରେକର୍ଡ ସହ ନୂଆ ମିଟ୍ ରେକର୍ଡ ମଧ୍ୟ ପ୍ରତିଷ୍ଠା କରି ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଯୋଗ୍ୟତା ହାସଲ କରିଛନ୍ତି । ଯୋଗ୍ୟତା ଟାଇମିଂ ୧୦.୧୬ ସେକେଣ୍ଡ ରହିଥିଲା ।

ଏହା ବି ପଢନ୍ତୁ....IPL 2026 Playoff: ଦିଲ୍ଲୀ ଆଉଟ୍,ଏବେ ଗୋଟିଏ ସ୍ଥାନ ଲଢିବେ ୩ଟି ଦଳ... ଏମିତି ରହିଛି RR, KKR ଏବଂ PBKS ପ୍ଲେ-ଅଫ୍ ସମୀକରଣ   

ନିଆରା ସେଲିବ୍ରେସନ- ପ୍ରକୃତରେ ଗୁରିନ୍ଦରବୀର ନୂଆ ଜାତୀୟ ରେକର୍ଡ ଭଙ୍ଗ କରିବା ପାଇଁ ମାନସିକ ଭାବେ ପ୍ରସ୍ତୁତ ହୋଇ ଆସିଥିଲେ । ଦୌଡ଼ ଶେଷ ହେବା ପରେ ବେଶ ନିଆରା ଭାବେ ସେଲିବ୍ରେସନ କରିଥିଲେ । ସେ ଏକ କାଗଜ ପକେଟରୁ ବାହାର କରି ଦର୍ଶକଙ୍କୁ ଦେଖାଇଥିଲେ । ସେଥିରେ ଲେଖାଥିଲା, ‘୧୦.୧୦ ସେକେଣ୍ଡ, ଏ ପର୍ଯ୍ୟନ୍ତ ଟାସ୍କ ପୂରଣ ହୋଇ ନାହିଁ । ଅପେକ୍ଷା କରନ୍ତୁ ମୁଁ ଛିଡ଼ା ହୋଇଛି ।’

​​​​​​​୧୦୦ ମିଟରରେ ଜାତୀୟ ରେକର୍ଡର କ୍ରମଧାରା- ଅନିଲ କୁମାର ପ୍ରକାଶଙ୍କ ଠାରୁ ପୁରୁଷ ୧୦୦ ମିଟରରେ ଜାତୀୟ ରେକର୍ଡ ସୃଷ୍ଟି ହେବାର କ୍ରମଧାରା ଆରମ୍ଭ ହୋଇଥିଲା । ୨୦୦୫ ମସିହାରେ ସେ ୧୦.୩୦ ସେକେଣ୍ଡରେ ଦୌଡ଼ି ପ୍ରଥମେ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ । ଦୀର୍ଘ ୧୦ ବର୍ଷ ପର୍ଯ୍ୟନ୍ତ ଏ ରେକର୍ଡ ବଜାୟ ରହିଥିଲା । ଓଡ଼ିଆ ଧାବକ ଅମିୟ କୁମାର ମଲ୍ଲିକ ୨୦୧୬ରେ ୧୦.୨୬ ସେକେଣ୍ଡରେ ଦୌଡ଼ି ଅନିଲଙ୍କ ରେକର୍ଡ ଭଙ୍ଗ କରିଥିଲେ । ୨୦୨୩ ପର୍ଯ୍ୟନ୍ତ ଅମିୟଙ୍କ ରେକର୍ଡ ଅତୁଟ ରହିଥିଲା

୨୦୨୩ରେ ମଣିକାନ୍ତ ହବ୍ଲିଧର ୧୦.୨୩ ସେକେଣ୍ଡରେ ଦୌଡ଼ି ଅମିୟଙ୍କ ରେକର୍ଡ ଭାଙ୍ଗି ଦେଇଥିଲେ । ୨୦୨୫ରେ ଗୁରିନ୍ଦରବୀର (୧୦.୨୦ ସେକେଣ୍ଡ) ମଣିକାନ୍ତଙ୍କ ରେକର୍ଡ ଏବଂ ସେହିବର୍ଷ ଅନିମେଶ କୁଜୁର (୧୦.୧୮ ସେକେଣ୍ଡ) ଗୁରିନ୍ଦରବୀରଙ୍କ ରେକର୍ଡ ଭଙ୍ଗ କରିଥିଲେ । ଚଳିତ ଫେଡେରେସନ କପ୍ରେ ଗୁରିନ୍ଦରବୀର (୧୦.୧୭) ପ୍ରଥମେ ଅନିମେଶଙ୍କୁ ଅତିକ୍ରମ କରିଥିଲେ । ପୁଣି ଅନିମେଶ (୧୦.୧୫) ଗୁରିନ୍ଦରବୀରଙ୍କୁ ଅତିକ୍ରମ କରି ନୂଆ ରେକର୍ଡ ପ୍ରତିଷ୍ଠା କଲେ । ହେଲେ ଆଜି ଫାଇନାଲରେ ଗୁରିନ୍ଦରବୀର ବହୁ ଆଗକୁ (୧୦.୦୯) ଚାଲି ଯାଇଛନ୍ତି । ଭାରତୀୟ ୧୦୦ ମିଟର ଦୌଡ଼ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି । ଗୁରିନ୍ଦରବୀର ଓ ଅନିମେଶଙ୍କ ମଧ୍ୟରେ ଯେଉଁଭଳି ଭାବେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି, ଆଗକୁ ବି ଆଜିର ରେକର୍ଡ ଭଙ୍ଗ ହୋଇପାରେ ।