ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ବିଶ୍ବର ଜଣେ ଲୋକପ୍ରିୟ ନେତା । ପ୍ରଧାନମନ୍ତ୍ରୀ ମୋଦୀ ଏବେ ତିନୋଟି ଦେଶ ଗସ୍ତରେ ଅଛନ୍ତି। ପ୍ରଥମେ ସେ ନାଇଜେରିଆ ଯାତ୍ରା କରିଥିଲେ। ଏହା ପରେ ସେ ଜି -20 ଶିଖର ସମ୍ମିଳନୀରେ ଭାଗ ନେବାକୁ ବ୍ରାଜିଲର ରିଓ ଡି ଜେନେରିଓ ସହରକୁ ଯାଇଥିଲେ । ତେବେ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଗୟାନା ଠାରେ ପହଞ୍ଚିଛନ୍ତି। ବର୍ତ୍ତମାନ ଉଭୟ ଗୟାନା ଏବଂ ବାରବାଡୋସ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି ।
ଖବର ଅନୁଯାୟୀ ଗୟାନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହାର ସର୍ବୋଚ୍ଚ ରାଷ୍ଟ୍ରୀୟ ପୁରସ୍କାର "ଦ ଅର୍ଡର ଅଫ୍ ଏକ୍ସଲେନ୍ସ" ପ୍ରଦାନ କରିବ। ଏଥି ସହିତ ବାରବାଡୋସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରତିଷ୍ଠିତ ସମ୍ମାନ "ଅର୍ଡର ଅଫ୍ ଫ୍ରିଡମ୍ ଅଫ୍ ବାରବାଡୋସ" ସମ୍ମାନରେ ସମ୍ମାନିତ କରିବ।
୫୦ ବର୍ଷରୁ ଅଧିକ ସମୟ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଗୟାନା ଗସ୍ତ କରିଛନ୍ତି । ସୂଚନାଥାଉକି, ବହୁ ସଂଖ୍ୟାରେ ଭାରତୀୟ ମୂଳ ଜନସଂଖ୍ୟା ଗୟାନାରେ ବାସ କରନ୍ତି । ସେଠାରେ ପ୍ରାୟ ୩ ଲକ୍ଷ ୨୦ ହଜାର ପ୍ରବାସୀ ଭାରତୀୟ ବାସ କରନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ବିମାନବନ୍ଦରରେ ପହଞ୍ଚିଥିଲେ, ଗୟାନା ରାଷ୍ଟ୍ରପତି ଇରଫାନ ଅଲି ଏବଂ ତାଙ୍କ ୧୨ ରୁ ଅଧିକ କ୍ୟାବିନେଟ ମନ୍ତ୍ରୀ ତାଙ୍କୁ ସ୍ୱାଗତ କରିବାକୁ ଛିଡା ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ୨୧ ପର୍ଯ୍ୟନ୍ତ ଗୟାନାରେ ରହିବେ ଏବଂ ଏହାର ରାଷ୍ଟ୍ରପତି ମହମ୍ମଦ ଇରଫାନ ଅଲିଙ୍କ ସହ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ରଣନୀତିକ ଦିଗ ଦେବା ଉପରେ ଆଲୋଚନା କରିବେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ କାରିବିଆନ୍ ଅଂଶୀଦାର ଦେଶର ନେତାମାନଙ୍କୁ ମଧ୍ୟ ଭେଟିବେ।
ଏହାର କିଛି ଦିନ ପୂର୍ବରୁ ଡୋମିନିକା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ସର୍ବୋଚ୍ଚ ପୁରସ୍କାର "ଡୋମିନିକା ପୁରସ୍କାର ସମ୍ମାନ" ଘୋଷଣା କରିଥିଲା । ଅନ୍ୟ ଦେଶରୁ ପିଏମ ମୋଦୀ ଗ୍ରହଣ କରିଥିବା ଅନ୍ତର୍ଜାତୀୟ ସମ୍ମାନ ସଂଖ୍ୟା ଏପର୍ଯ୍ୟନ୍ତ ୧୯ ରେ ପହଞ୍ଚିଲାଣି।