ବ୍ରହ୍ମପୁର,୧୪/୦୫: ରାୟଗଡ଼ା ସହରର ବହୁଚର୍ଚ୍ଚିତ ହାଡ଼ିପା ନିଖିଲ ହତ୍ୟା ମାମଲାର ୪ ଦିନ ପରେ ବି ପୁଲିସ୍ ହାତ ଖାଲି । ଅଦ୍ୟାବଧି ମାଷ୍ଟରମାଇଣ୍ଡ୍ କିମ୍ବା କେହି ଅଭିଯୁକ୍ତ ଧରାପଡ଼ିନାହାନ୍ତି । ରାଜ୍ୟ ଭିତରେ ଓ ବାହାରେ ପୁଲିସର ୬ ସ୍ୱତନ୍ତ୍ର ଟିମ୍ ତନାଘନା କରୁଛନ୍ତି । ଅପରାଧୀଙ୍କ ଟେର ପାଉନି ପୁଲିସ୍ । ଏହାକୁ ନେଇ ଅସନ୍ତୋଷ ଲାଗିରହିଛି । ଗୋଷ୍ଠୀ ସଂଘର୍ଷ ଆଶଙ୍କାରେ ସହର ଓ ଏହାର ଉପକଣ୍ଠରେ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସ୍ଥିତି ଅନୁଧ୍ୟାନ ପାଇଁ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଡ.କନୱର ବିଶାଲ ସିଂ ରାୟଗଡ଼ାରେ ଡେରା ପକାଇଛନ୍ତି ।

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ଆଲମଣ୍ଡା ଜୁଆଆଡ଼ାରୁ ଲୁଟ୍ ଘଟଣାରୁ ବିବାଦର ସୂତ୍ରପାତ ହୋଇଥିବା ପୁଲିସ୍ ସନ୍ଦେହ କରୁଛି । ଏଯାବତ୍ ଠିକ୍ ତଥ୍ୟ ସାମ୍ନାକୁ ଆସିପାରିନି । ଘଟଣାସ୍ଥଳରୁ ଆରମ୍ଭ କରି ସହର ସାରା ପୁଲିସ୍ ଦଳ ଦଳ ହୋଇ ପଇଁତରା ମାରୁଛନ୍ତି । ଅପରାଧ ଘଟାଇବା ପରେ ଅଭିଯୁକ୍ତମାନେ ବାହାର ରାଜ୍ୟକୁ ଚାଲିଯାଇଥିବା ସନ୍ଦେହରେ ସେମାନଙ୍କୁ ଧରିବା ପାଇଁ ଘୁରି ବୁଲୁଛି ସ୍ୱତନ୍ତ୍ର ଟିମ୍ ।ରାୟପୁର, କୋଲକାତା, ବିଶାଖାପାଟଣା, ଭୁବନେଶ୍ୱର ଓ ବ୍ରହ୍ମପୁରଠାରେ ଡେରା ପକାଇଛନ୍ତି ।

ନିଖିଲ ହତ୍ୟା କାଣ୍ଡ ଘଟଣାରେ ବ୍ରହ୍ମପୁରରୁ ୩ଜଣଙ୍କୁ ଉଠାଇଛି ପୁଲିସ । ମଙ୍ଗଳବାର ବିଳମ୍ବିତ ରାତିରେ ବୈଦ୍ୟନାଥପୁର ଥାନା ପୁଲିସ ଟାଟାବେଞ୍ଜ ଛକରୁ ସଂନ୍ଦିଗ୍ଧ ଅବସ୍ଥାରେ କଳା ରଙ୍ଗର ସ୍କର୍ପିଓ ଗାଡ଼ିରୁ ୩ଜଣଙ୍କୁ କାବୁ କରିଥିଲା । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ସହିତ ବିଭିନ୍ନ ମାରଣାସ୍ତ୍ର ମିଳିଥିଲା। ପୁଲିସ ଗାଡ଼ି ଚାଳକ ସମେତ ୩ଜଣଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରା ଉଚରା କରିଛି । ଅଟକ ଯୁବକମାନେ ରାୟଗଡ଼ା ଚର୍ଚ୍ଚିତ ହିଡ଼ିପା ନିଖିଲ ହତ୍ୟାକାଣ୍ଡର ସାମିଲ ଥିବା ପୁଲିସ ତଦନ୍ଦରେ ଜଣାପଡିଛି । ବୁଧବାର ସକାଳୁ ରାୟଗଡ଼ା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ବ୍ରହ୍ମପୁରରେ ପହଞ୍ଚି ଯୁବକମାନଙ୍କୁ ପଚରା ଉଚରା ଜାରି ରଖିଛି ।


ଗତ ୯ ତାରିଖ ରାତିରେ ରାୟଗଡ଼ା ଇନ୍ଦ୍ରା ନଗର ତୃତୀୟ ଲାଇନ୍ରେ ରାତି ୧୦ଟାରେ ୩ ରାଉଣ୍ଡ ଗୁଳି ଫୁଟିଥିଲା । ପାଞ୍ଚରୁ ସାତ ଜଣ ଯୁବକ ବାଇକ ଓ କାରରେ ଗୋଡ଼ାଇ ନିଖିଲଙ୍କୁ ଧରିଥିଲେ । ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ନିଖିଲ ସେଠାରୁ ଦୌଡ଼ି ପଲାଇବାକୁ ଚେଷ୍ଟା କରିବା ସମୟରେ ନିଖିଲ ଉପରକୁ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ନିଖିଲ ଜଣଙ୍କ ଘରକୁ ପଶିବା ସମୟରେ ଦୃବୃର୍ତ୍ତ ତାଙ୍କୁ ସେଠାରୁ ଅପରହଣ କରି ନେଇଥିଲେ । ୧୦ ତାରିଖରେ ନାଗାବଳୀ ନଦୀ ପଠାରୁ ନିଖିଲର ମୃତଦେହ ମିଳିଥିଲା । ସ୍ଥାନୀୟ ବାସିନ୍ଦା ଟାୟାର ଜାଳି ରାସ୍ତା ରୋକ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।

ଅଧିକ ପଢ଼ନ୍ତୁ :-  ଜିଲ୍ଲାରେ ମହିଳା, ଶିଶୁଙ୍କ ସୁରକ୍ଷା ପ୍ରତି ପ୍ରଶାସନ ସଚେତନ ତ? ସଖୀ କେନ୍ଦ୍ର କୋଠାକୁ ତାଲା ପକାଇ ରଖିଛନ୍ତି ଠିକାଦାର, ୫୮ ଲକ୍ଷ ନେଇ ୟୁସି ଦେଉନି ପୂର୍ତ୍ତ ବିଭାଗ

ମଙ୍ଗଳବାର ରାତିରେ ଟାଟାବେଞ୍ଜ ଛକରେ ଥିବା ଏକ ମଦ ଦୋକାନ ସମ୍ମୁଖରେ ଦୁଇ ଯୁବକ ସନ୍ଦିଗ୍ଧ ଅବସ୍ଥାରେ ଠିଆ ହୋଇଥିଲେ । ନମ୍ବର ବିହନ କଳା ସ୍କର୍ପିଓ ଧରି ବୁଲୁଥିଲେ। ପୁଲିସ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା । ସେମାନଙ୍କ ନିକଟରୁ ମାରଣାସ୍ତ୍ର ମିଳିବାରୁ ପୁଲିସ ତାଙ୍କୁ ଥାନାକୁ ଆଣି ପଚରା ଉଚରା କରିଥିଲା । ରାୟଗଡ଼ା ହତ୍ୟାକାଣ୍ଡ ସାମିଲ ଜାଣିବା ପରେ ରାୟଗଡ଼ା ପୁଲିସକୁ ଖବର ଦେଇଥିଲେ । ରାୟଗଡ଼ା ପୁଲିସ ଭୋର ୫ଟାରୁ ବୈଦ୍ୟନାଥପୁର ଥାନାରେ ପହଞ୍ଚି ଯୁବକ ମାନଙ୍କୁ ପଚରା ଉଚରା ଜାରି ରଖିଛି।