ନୂଆଦିଲ୍ଲୀ,୧୫।୧୦: ଗତ ଶୁକ୍ରବାର ଇଜିପ୍ଟରେ ପାରିତ ହୋଇଛି ଗାଜା ଶାନ୍ତି ପ୍ରସ୍ତାବ। ଏଥିରେ ଆମେରିକା, ତୁର୍କୀ, ଇଜିପ୍ଟ ଓ କାତାର ସାମିଲ ଥିଲା। ଏହାଛଡା ବହୁ ଦେଶ ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲେ। ଏପରିକି ଇସ୍ରାଏଲ ମଧ୍ୟ ଅସ୍ତ୍ରବିରତି ନେଇ ରାଜି ହୋଇଥିଲା। ହେଲେ ଏହି ଘୋଷଣା ପରେ ବି ହମାସ ହତିଆର ଛାଡିବା ନେଇ ସହମତି ପ୍ରକଶ କରିନି। ହମାସର ଏକ ନୂଆ ଭିଡିଓ ସମସ୍ତଙ୍କର ଚିନ୍ତା ବଢାଇଛି। ୮ ଜଣଙ୍କୁ ଅତି ନିର୍ମମ ଭାବରେ  ମୁଣ୍ଡକୁ ଗୁଳି କରୁଥିବାର ଦୃଶ୍ୟ ଖୁବ୍ ଭାଇରାଲ ହେଉଛି।

ସୋମବାର ସନ୍ଧ୍ୟାରେ ହମାସ ଏକ ନୂତନ ଭିଡିଓ ରିଲିଜ୍ କରିଛି। ଏଥିରେ ସଶସ୍ତ୍ର ହମାସ କମାଣ୍ଡରମାନେ ଆଠ ଜଣଙ୍କୁ  ରାସ୍ତାରେ ଆଣ୍ଠୁମାଡି ବସାଇ ଦେଇଛନ୍ତି। ଏହା ସହ ତାଙ୍କ ହାତ ବାନ୍ଧିବା ସହ ଆଖିରେ ପଟି ପକାଇ ଦେଇଛନ୍ତି। ହମାସ କମାଣ୍ଡର ‘ଆଲ୍ଲା ହୋ ଆକବର’ ନାରା ଦେଇ ସମସ୍ତଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରିଦେଇଥିଲେ। ହମାସ କହିଛି ଏହି ସମସ୍ତେ ହେଉଛନ୍ତି ଅପରାଧି। ଏମାନେ ଇସ୍ରାଏଲର ସମର୍ଥକ। ସେଥିପାଇଁ ତାଙ୍କୁ ଦଣ୍ଡ ଦିଆଗଲା। ତେବେ ଏ ନେଇ ସ୍ପଷ୍ଟ କୌଣସି ପ୍ରମାଣ ମିଳିପାରିନି।

ହମାସର ଏହି କାର୍ଯ୍ୟାନୁଷ୍ଠାନ ଗାଜା ଉପରେ ନିଜର ସ୍ଥିତି ମଜବୁତ କରିବା ପାଇଁ ବୋଲି କୁହାଯାଉଛି। ଯଦି ଏଭଳି ହେଉଛି ତେବେ ଏହା ସର୍ତ୍ତର ଉଲଂଘନ ବୋଲି କହିହେବ। ଏହା ସହ ଇସ୍ରାଏଲ ପାଇଁ ଆଗକୁ ବଡ଼ ଚ୍ୟାଲେଞ୍ଜ ବି ହୋଇପାରେ। ଇସ୍ରାଏଲ ପୂର୍ବରୁ କହିସାରିଛି ଅସ୍ତ୍ରବିରତି ସର୍ତ୍ତ ଅନୁସାରେ ହମାସ ହତିଆର ଛାଡି ଦେଉ ନଚେତ ଗାଜାରୁ ପଳାୟନ କରୁ। ତେବେ ଏହି ଦୁଇଟିରୁ ଗୋଟିଏ ବି ମାନି ନାହିଁ ହମାସ।