ଗାଜାସିଟି,୦୧/୦୨:  ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବା  ଯୁଦ୍ଧବିରତି ରାଜିନାମା ଅନୁସାରେ ଶନିବାର ଚତୁର୍ଥ ପର୍ଯ୍ୟାୟ  ବନ୍ଦୀ ବିନିମୟ ହେବ । ହମାସ ନିଜ କବ୍‌ଜାରେ ରଖିଥିବା ୩ ଜଣ ଇସ୍ରାଏଲୀ  ପଣବନ୍ଦୀ ଓଫର କାଲ୍‌ଡେରନ, କିଥ ସେଗେଲ (ଉଭୟେ ଆମେରିକୀୟ  ନାଗରିକ) ଓ ୟାର୍ଡେନ ବିବାସ (ଫ୍ରାନ୍ସ ନାଗରିକ) ଙ୍କୁ ମୁକ୍ତ କରିବ । ଗାଜାରେ  ରେଡକ୍ରସର ଇଣ୍ଟରନ୍ୟାସନାଲ କମିଟିକୁ ସେମାନଙ୍କୁ ହସ୍ତାନ୍ତର କରାଯିବ ।  ସେମାନଙ୍କ ତାଲିକା ହମାସ ପକ୍ଷରୁ ଇସ୍ରାଏଲକୁ ହସ୍ତାନ୍ତର କରାଯାଇଛି ।  

ପ୍ରତିବଦଳରେ ଇସ୍ରାଏଲ ପ୍ରାୟ ୯୦ ଜଣ ପାଲେଷ୍ଟିନୀୟ କଏଦୀକୁ ଛାଡିବ ।  ସେମାନଙ୍କ ମଧ୍ୟରେ ୯ ଜଣ ଆଜୀବନ ସଜ୍ଜା କାଟୁଥିଲା ବେଳେ ଅନ୍ୟମାନଙ୍କୁ  ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଜେଲ୍‌ଦଣ୍ଡ ହୋଇଛି । ଉଭୟ ପକ୍ଷ ମଧ୍ୟରେ ହୋଇଥିବା  ପ୍ରଥମ ପର୍ଯ୍ୟାୟ ଯୁଦ୍ଧବିରତି ୪୨ ଦିନ ବଳବତ୍ତର ରହିବ । ଗତ ଜାନୁଆରୀ  ୧୯ରୁ ଏହା ଲାଗୁ ହୋଇଛି । ଏହି ଯୁଦ୍ଧବିରତି ସମୟ ଭିତରେ ହମାସ ୩୩  ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ଥିଲା ବେଳେ ପ୍ରତିବଦଳରେ ଇସ୍ରାଏଲ  ୧୭୦୦-୨୦୦୦ ପାଲେଷ୍ଟିନୀୟ କଏଦୀଙ୍କୁ ଛାଡିବ।