ଦୁବାଇ,୦୬/୧୨: ହାଇବ୍ରିଡ୍‌  ମଡେଲରେ ୨୦୨୫ ଚାମ୍ପିଅନ୍ସ ଟ୍ରଫି  ଆୟୋଜିତ ହେବା ଏକପ୍ରକାର ନିଶ୍ଚିତ  ହୋଇଛି । ପାକିସ୍ତାନ କ୍ରିକେଟ୍‌ ବୋର୍ଡ  (ପିସିବି) ଶେଷରେ ବିସିସିଆଇ ଆଗରେ ମୁଣ୍ଡ ନୁଆଁଇଛି । ଯଦିଓ  ଆଇସିସି ପକ୍ଷରୁ ଅଫିସିଆଲ ଭାବେ କିଛି ଘୋଷଣା କରାଯାଇ ନାହିଁ । କିନ୍ତୁ ସବୁ କିଛି ଚୂଡ଼ାନ୍ତ  ହୋଇ ସାରିଛି ବୋଲି ଜାତୀୟ ଗଣମାଧ୍ୟମରୁ ଜଣା ପଡ଼ିଛି ।  

ଗୁରୁବାର ଜୟ ଶାହ ନୂଆ ଅଧ୍ୟକ୍ଷ  ଭାବେ ଦାୟିତ୍ୱ ଗ୍ରହଣ କରିବା  ପରେ ଚାମ୍ପିଅନ୍ସ ଟ୍ରଫିକୁ ନେଇ ତାଙ୍କ ଅଧ୍ୟକ୍ଷତାରେ  ପ୍ରଥମ ବୈଠକ ବସିଥିଲା । ପାକିସ୍ତାନର କୌଣସି  ଦାବିକୁ ଆଇସିସି ଗ୍ରହଣ କରି ନଥିଲା । ପିସିବି ୩ଟି ସର୍ତ୍ତ  ଆଇସିସି ନିକଟରେ ରଖିଥିଲା । ସେ ଗୁଡ଼ିକ ଥିଲା, ୨୦୩୧  ପର୍ଯ୍ୟନ୍ତ ଭାରତରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟରେ  ହାଇବ୍ରିଡ୍‌ ମଡେଲ, ୨୦୨୫ ଚାମ୍ପିଅନ୍ସ  ଟ୍ରଫିରେ ହାଇବ୍ରିଡ୍‌ ମଡେଲ ପାଇଁ  କ୍ଷତି ପୂରଣ ଏବଂ ଭାରତକୁ ନେଇ  ତ୍ରିରାଷ୍ଟ୍ରୀୟ ସିରିଜର ଆୟୋଜନ । ଆଗାମୀ ଚାମ୍ପିଅନ୍ସ ଟ୍ରଫିରେ ଭାରତ  ତା’ର ସମସ୍ତ ମ୍ୟାଚ୍‌ ଦୁବାଇରେ  ଖେଳିବ । ଯଦି ଭାରତ ସେମି  ଫାଇନାଲ ଏବଂ ଫାଇନାଲକୁ  ଉନ୍ନୀତ ହୁଏ ତେବେ ଏହି ମ୍ୟାଚ୍‌  ଦ୍ୱୟ ଦୁବାଇରେ ଖେଳାଯିବ ।  ନଚେତ ଲାହୋରରେ ଆୟୋଜିତ  ହେବ । ଭାରତ ଓ ପାକିସ୍ତାନ  ମ୍ୟାଚ୍‌ ଦୁବାଇରେ ଖେଳାଯିବ । ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ  ଯିବ ନାହିଁ ବୋଲି ବିସିସିଆଇ ମନା କରିବା ପରେ ପିସିବି  ଉତକ୍ଷିପ୍ତ ହୋଇଥିଲା । ହାଇବ୍ରିଡ ମଡେଲରେ ଟୁର୍ଣ୍ଣାମେଣ୍ଟ  ଆୟୋଜନ କରିବ ନାହିଁ ବୋଲି ନିଜ ଜିଦ୍‌ରେ ଅଟଳ  ରହିଥିଲା ଏବଂ ଏଥିପାଇଁ ବିଭିନ୍ନ ସର୍ତ୍ତ ରଖିଥିଲା ।