ନୂଆଦିଲ୍ଲୀ, ୫।୫: ବିଶ୍ୱ ଏବେ ଏକ ନୂଆ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି କି ? ନିକଟରେ ଏକ କ୍ରୁଜ୍ ସିପ୍ରେ ହନ୍ତାଭାଇରସ୍ ସଂକ୍ରମଣ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ଘଟଣା ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି । ଆର୍ଜେଣ୍ଟିନାରୁ କେପ୍ ଭର୍ଡେ ଯାଉଥିବା ଏହି ଜାହାଜରେ ସଂକ୍ରମଣ ବ୍ୟାପିବା ପରେ ଲୋକଙ୍କ ମଧ୍ୟରେ ଭୟ ବଢ଼ିବାରେ ଲାଗିଛି । ଯଦିଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବର୍ତ୍ତମାନ ପାଇଁ ବିପଦ କମ୍ ବୋଲି କହିଛି, ତଥାପି ଏହାର ମାରାତ୍ମକ ପ୍ରଭାବକୁ ନଜରରେ ରଖି ସତର୍କତା ଅବଲମ୍ବନ କରିବା ଜରୁରୀ । ହନ୍ତାଭାଇରସ୍ ହେଉଛି ଏକ ପ୍ରକାର ଭୂତାଣୁ ଯାହା ମୁଖ୍ୟତଃ ମୂଷା ଏବଂ ସେହି ଜାତୀୟ ପ୍ରାଣୀଙ୍କଠାରୁ ମଣିଷ ଶରୀରକୁ ବ୍ୟାପିଥାଏ । ସାଧାରଣତଃ ଏହା ମୂଷାଙ୍କ ମୂତ୍ର, ଲାଳ କିମ୍ବା ମଳ ମାଧ୍ୟମରେ ସଂକ୍ରମିତ ହୋଇଥାଏ । ତେବେ କ୍ରୁଜ୍ ସିପ୍ରେ ଘଟିଥିବା ମୃତ୍ୟୁ ଘଟଣା ପରେ ବୈଜ୍ଞାନିକମାନେ ଚିନ୍ତାରେ ଅଛନ୍ତି କି, କାଳେ ଏହି ଭାଇରସ୍ ଏବେ 'ମଣିଷରୁ ମଣିଷ' ସଂକ୍ରମିତ ହେବା ଆରମ୍ଭ କରିଛି କି ? ଯଦି ଏହା ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ଏକ ବଡ଼ ମହାମାରୀର ରୂପ ନେଇପାରେ ।
ହନ୍ତାଭାଇରସ୍ର ପ୍ରମୁଖ ଲକ୍ଷଣ:
ହନ୍ତାଭାଇରସ୍ର ପ୍ରାଥମିକ ଲକ୍ଷଣଗୁଡ଼ିକ ସାଧାରଣ ଫ୍ଲୁ ବା ଜ୍ୱର ସହିତ ସମାନ ହୋଇଥାଏ, ଯେଉଁଥିପାଇଁ ଏହାକୁ ଚିହ୍ନିବା କଷ୍ଟକର ହୁଏ । ପ୍ରବଳ ଜ୍ୱର ଏବଂ ଶରୀରରେ ଯନ୍ତ୍ରଣା, ମୁଣ୍ଡବିନ୍ଧା ଏବଂ ପେଟ ଖରାପ ହେବା, ସାମାନ୍ୟ କାଶ ହେଉଛି ଏହାର ପ୍ରାରମ୍ଭିକ ଲକ୍ଷଣ । ଗମ୍ଭୀର ସ୍ଥିତିରେ କିଡନୀ ଉପରେ ଏହାର ଖରାପ ପ୍ରଭାବ ପଡ଼େ । ଶ୍ୱାସକ୍ରିୟାରେ ପ୍ରବଳ କଷ୍ଟ ହୁଏ ଏବଂ ଫୁସଫୁସରେ ପାଣି ଜମିଯାଏ, ଯାହା ମୃତ୍ୟୁର କାରଣ ସାଜେ ।
ସାଧାରଣ ଫ୍ଲୁ ଠାରୁ ଏହା କେତେ ବିପଜ୍ଜନକ ?
ହନ୍ତାଭାଇରସ୍ ସାଧାରଣ ଫ୍ଲୁ ତୁଳନାରେ ଅତି ମାରାତ୍ମକ। ତଥ୍ୟ ଅନୁଯାୟୀ, ଏସିଆ ଏବଂ ୟୁରୋପରେ ଏହାର ମୃତ୍ୟୁ ହାର ପ୍ରାୟ ୧୪% । ଆମେରିକାରେ ଦେଖାଯାଉଥିବା ଭାରିଆଣ୍ଟରେ ମୃତ୍ୟୁ ହାର ୪୦% ରୁ ଅଧିକ ହୋଇଥାଏ । ଯେଉଁଠି ସାଧାରଣ ଫ୍ଲୁରେ ଲୋକେ ଔଷଧ ଖାଇ ଭଲ ହୋଇଯାନ୍ତି, ହନ୍ତାଭାଇରସ୍ ସିଧାସଳଖ ଫୁସଫୁସ୍ ଏବଂ କିଡନୀକୁ ଅଚଳ କରିଦିଏ ।
ଏହା କିପରି ବ୍ୟାପିଥାଏ ?
- ମୂଷାଙ୍କ ସଂସ୍ପର୍ଶ: ମୂଷାଙ୍କ ମଳ-ମୂତ୍ର କିମ୍ବା ଲାଳ ସଂସ୍ପର୍ଶରେ ଆସିଲେ ।
- ବାୟୁ ମାଧ୍ୟମରେ: ମୂଷାଙ୍କ ମଳ ଶୁଖି ବାୟୁରେ ମିଶିବା ପରେ, ସେହି ପବନକୁ ପ୍ରଶ୍ୱାସରେ ନେଲେ ଏହା ଫୁସଫୁସକୁ ସଂକ୍ରମିତ କରେ ।
- କାମୁଡ଼ିବା: ଯଦି ମୂଷା କାମୁଡ଼େ କିମ୍ବା ଆଞ୍ଚୁଡ଼ି ଦିଏ ।
- ବ୍ୟକ୍ତିଗତ ସଂସ୍ପର୍ଶ: ଏଣ୍ଡିଜ୍ ଭାଇରସ୍ ଭଳି କିଛି ଷ୍ଟ୍ରେନ୍ ମଣିଷରୁ ମଣିଷକୁ ବ୍ୟାପିବାର କ୍ଷମତା ରଖନ୍ତି, ଯଦିଓ ଏହା ଅତି ବିରଳ ।
ଚିକିତ୍ସା ଓ ସତର୍କତା:
ଦୁର୍ଭାଗ୍ୟବଶତଃ, ହନ୍ତାଭାଇରସ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ କିମ୍ବା ଟିକା ଏପର୍ଯ୍ୟନ୍ତ ବାହାରି ନାହିଁ । ଲକ୍ଷଣ ଦେଖାଦେବା ମାତ୍ରେ ଡାକ୍ତରୀ ସହାୟତା ନେବା ଜରୁରୀ । ଗମ୍ଭୀର ରୋଗୀଙ୍କୁ ଆଇସିୟୁରେ ରଖି ଅମ୍ଳଜାନ ଦିଆଯାଏ ।
କିପରି ରହିବେ ସୁରକ୍ଷିତ ?
- ଘର, ଦୋକାନ କିମ୍ବା ଜାହାଜରେ ଯେପରି ମୂଷା ନ ରହନ୍ତି, ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
- ପୁରୁଣା ଘର କିମ୍ବା ଅସନା ସ୍ଥାନ ସଫା କରିବା ସମୟରେ ମାସ୍କ ଏବଂ ଗ୍ଲୋଭସ୍ ବ୍ୟବହାର କରନ୍ତୁ ।
- ଖାଦ୍ୟ ପଦାର୍ଥକୁ ସର୍ବଦା ଘୋଡ଼ାଇ ରଖନ୍ତୁ ।
- ଜଙ୍ଗଲ କିମ୍ବା ଚାଷ ଜମିରେ କାମ କରୁଥିବା ବ୍ୟକ୍ତି ଅଧିକ ସତର୍କ ରହିବା ଉଚିତ୍ ।
ହନ୍ତାଭାଇରସ୍କୁ ନେଇ ଏବେ ଆତଙ୍କିତ ହେବାର ଆବଶ୍ୟକତା ନାହିଁ, କିନ୍ତୁ କ୍ରୁଜ୍ ସିପ୍ ଘଟଣା ଆମକୁ ସତର୍କ କରାଇ ଦେଇଛି । ସ୍ୱଚ୍ଛତା ହିଁ ଏହି ମାରାତ୍ମକ ଭାଇରସ୍ରୁ ରକ୍ଷା ପାଇବାର ଏକମାତ୍ର ଉପାୟ । ଯଦି ଆପଣଙ୍କ ଅଞ୍ଚଳରେ ମୂଷାଙ୍କ ପ୍ରାଦୁର୍ଭାବ ଅଧିକ ଏବଂ ଆପଣଙ୍କୁ ଜ୍ୱର କିମ୍ବା ଶ୍ୱାସକ୍ରିୟାରରେ କଷ୍ଟ ଅନୁଭବ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଆହୁରି ପଢ଼ନ୍ତୁ... China Factory Blast: ଚୀନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ୨୧ ମୃତ, ୬୦ରୁ ଅଧିକ ଆହତ