- କିଛି କରି ଦେଖାଇବାର ଛଟପଟପଣ ହିଁ ଆଣେ ବଡ଼ ପରିବର୍ତ୍ତନ
- ଛୋଟିଆ ସଂକଳ୍ପ ହିଁ ବଦଳାଇପାରେ ସମାଜର ଗତିପଥ
- ପରିବର୍ତ୍ତନରେ ଭରିଦିଏ ନୂଆ ଉଡ଼ାଣ
- ଆସନ୍ତୁ... ନୂଆବର୍ଷରେ ନୂଆ କିଛି କରିବାକୁ ସଂକଳ୍ପ ନେବା
- ସାଧାରଣ ସଂକଳ୍ପଟିଏ ହେବ ଅସାଧାରଣ ଉଦାହରଣ
- ଆପଣ ପାଲଟିଯିବେ ପରିବର୍ତ୍ତନର ସୂତ୍ରଧର
ବଦଳୁଛି ସମୟ । ନୂଆବର୍ଷ ଆସିଗଲା । କେଡ଼େ ସଅଳ ସରିଆସିଲା ବର୍ଷଟିଏ । ବିତିଗଲା ବାରମାସ । ଓଲଟିଯିବ କ୍ୟାଲେଣ୍ଡର୍ର ପୃଷ୍ଠା । ପୁଣି ଆରମ୍ଭ, ସେଇ ପ୍ରଥମରୁ । ପଛକୁ ଫେରି ଚାହିଁଲା ବେଳକୁ ଆଖି ଆଗରେ କେତେ ହସ ଆଉ କାନ୍ଦ । ହାରିଲି କେତେ, ଜିତିଲି କେତେ ହିସାବ ନିକାସ ଲୋଡ଼ା ନାହିଁ । ଦୁଃଖ ଓ ଶୋକକୁ ପଛକୁ ଠେଲି ଆଗକୁ ଚାଲିବା ହିଁ ଜୀବନ । ବିଦାୟୀ ପଚିଶରେ ବହୁ କାହାଣୀର ପଦଚିହ୍ନ । ଅନେକ କଥା । ବଳୁଆ ସମୟ ସବୁ କିଛିକୁ ପଛକୁ ଠେଲି ଆଗକୁ ମାଡ଼ି ଚାଲିବ । ସାମାଜିକ ଗଣମାଧ୍ୟମରେ ଛୁଟିଲାଣି ‘ହାପି ନ୍ୟୁ ଇୟର’ ବାର୍ତ୍ତା । ଆଉ ହାତ ଗଣତି ୩/୪ ଦିନରେ ଶୁଭେଚ୍ଛାର କୋଳାହଳ ବଢ଼ିବ । ନୂଆବର୍ଷକୁ ସ୍ୱାଗତ କରିବାକୁ କାହିଁ କେତେ ସଜବାଜ । ଭୋଜିଭାତ, ମେଳି, ଖୁସିବାସି । ପୁରୁଣା ଦିନର ସ୍ମୃତି ରୋମନ୍ଥନ, ଆସନ୍ତାକାଲି ପାଇଁ ଭଳିକି ଭଳି ଯୋଜନା । ସମୁଦ୍ରକୂଳରୁ ନଈକୂଳ, ପାର୍କ, ରେସ୍ତୋରାଁ, ଦେବାଳୟ ସବୁଠି ଲାଗିଛି ଭିଡ଼ । ଏହି ଭିଡ଼ ଆହୁରି ବଢ଼ିବ । ସମୟର ନୂଆ ଧାରା ପୁରୁଣାକୁ କରିଦେବ ମହଳଣ । ନୂଆ ବର୍ଷ ଆଣିବ ନବ ସଂକଳ୍ପ ।
ନୂଆ ବର୍ଷ,ନୂଆ ଉଲ୍ଲାସ
ନୂଆବର୍ଷକୁ ନେଇ ସାରା ପୃଥିବୀରେ ନାହିଁ ନଥିବା ଉତ୍ସାହ । ପ୍ରାୟ ସବୁଆଡ଼େ ଧୂମ୍ଧାମରେ ସେଲିବ୍ରେସନ୍ । ନୂଆବର୍ଷର ଇତିହାସକୁ ନେଇ ଅନେକ କଥା । ଜାନୁଆରୀ ୧ରେ ନୂଆ ବର୍ଷ ପାଳନର ଇତିହାସ କହେ, ଗ୍ରେଗୋରିଆନ କ୍ୟାଲେଣ୍ଡର ଅନୁଯାୟୀ ପଞ୍ଚଦଶ ଶତାବ୍ଦୀରେ ୧୫୮୨ ଅକ୍ଟୋବର ମାସରେ ଆରମ୍ଭ ହୋଇଥିଲା । ଏହି ତାରିଖ ପୂର୍ବରୁ ଜୁଲିଆନ୍ କ୍ୟାଲେଣ୍ଡର୍ ସମଗ୍ର ବିଶ୍ୱରେ ଅନୁସରଣ କରାଯାଉଥ୍ଲା । ଏଥିରେ ୧୦ଟି ମାସ ଥିଲା । କେବଳ ଖ୍ରୀଷ୍ଟମାସ ଦିନ ହିଁ ନୂଆ ବର୍ଷ ପାଳନ କରାଯାଇଥିଲା । କିନ୍ତୁ ଏହା ପରେ ଜଣେ ଇଟାଲିର ଜଣେ ଦାର୍ଶନିକ, ଚିକିତ୍ସକ ଆଲୋସିଅସ୍ ଲିଲିୟସ୍ ବିଶ୍ୱକୁ ଏକ ନୂଆ କ୍ୟାଲେଣ୍ଡର ଦେଇଥିଲେ । ଏହାକୁ ଗ୍ରେଗୋରିଆନ୍ କ୍ୟାଲେଣ୍ଡର୍ କୁହାଗଲା ।
ଏଥିରେ ବର୍ଷର ପ୍ରଥମ ଦିନ ଜାନୁଆରୀ ୧ ହେଲା । ସେହି ଦିନଠାରୁ ଜାନୁଆରୀ ୧ରେ ନୂଆବର୍ଷ ପାଳନ କରିବାର ପରମ୍ପରା ଚାଲି ଆସୁଛି । ପଞ୍ଚଦଶ ଶତାବ୍ଦୀ ପୂର୍ବରୁ ମାର୍ଚ୍ଚକୁ ବର୍ଷର ପ୍ରଥମ ମାସ ଭାବରେ ବିବେଚନା କରାଯାଉଥିଲା । ଏହାପୂର୍ବରୁ ୨୫ ମାର୍ଚ୍ଚ କିମ୍ବା ୨୫ ଡିସେମ୍ବରରେ ନୂଆ ବର୍ଷ ପାଳନ ହେଉଥିଲା । ନୂଆ ବର୍ଷ । ନୂଆ ଉଲ୍ଲାସ । ଇଂରାଜୀ ନବ ବର୍ଷ ଭାରତୀୟଙ୍କ ପାଇଁ କୌଣସି ଐତିହାସିକ, ସାଂସ୍କୃତିକ, ସାମାଜିକ ବା ଆଧ୍ୟାତ୍ମିକ ପୃଷ୍ଠଭୂମି ରଖୁନି କହିଲେ ଚଳେ । ସମୟ ବଦଳିବା ସହ ଜାନୁଆରୀ ପହିଲାକୁ ଆମେ ଏବେ ନୂଆବର୍ଷ ଭାବେ ଜାକଜମକରେ ପାଳୁଛେ । ଗ୍ରିଟିଂସ୍ ଯୁଗ ଗଲାପରେ ଏବେ ମୋବାଇଲ୍ରେ ଡିସେମ୍ବର ୩୧ ରାତି ବାରଟାରୁ ମେସେଜର ଭିଡ଼ । ରାତି ବାରଟାରୁ ବାଜା ବାଣ ସାଙ୍ଗକୁ ଡିଜେର ତାଳେ ତାଳେ ଡିସ୍କୋ । ଆସର ଆଉ ମଉଜ ମସ୍ତି ତ ବେଶ୍ କରୁଛୁ । ନୂଆ ବର୍ଷରେ ନୂଆ ଭଲ କାମର ଶୁଭାରମ୍ଭ ଆମେ କେତେ କରୁଛେ ? ଆମର ନୂଆ ସଂକଳ୍ପ କ’ଣ? ଏ ଦିଗକୁ ଆମେ କାହିଁକି ଧ୍ୟାନ ଦେଉନେ?
ଚାଲିବି ଚାଲିବି ନ ପଡ଼ିବି ଥକି
ନୂଆ ସକାଳ, ନୂଆ ସମ୍ଭାବନା । ଢେର ପ୍ରତିଶ୍ରୁତି ନେଇ ଆସୁଛି ନୂଆବର୍ଷ । ଶୁଭେଚ୍ଛା, ଅଭିନନ୍ଦନର କୋଳାହଳ ଚାଲିଛି । ହେଲେ ରଙ୍ଗ ନାହିଁ କି ରସ । ଆତ୍ମୀୟତା, ଭଲପାଇବା ହୁଗୁଳା ହେଇ ଗଲାଣି । ରଙ୍ଗହୀନ ଜୀବନ । ବାସ୍ନାହୀନ ସଂପର୍କ । ନୂଆ ବର୍ଷ ଆସିଲେ ଦୁଇ ଦଶନ୍ଧି ତଳେ ଖୋଜା ପଡ଼ୁଥିଲା ଗ୍ରୀଟିଂସ୍ । ଗ୍ରିଂଟିସ୍ ଆଦୌ ଦାମୀ ନଥିଲା । ଅନ୍ତରର କଥା କହୁଥଲା ଢଗଢମାଳି । ବେଶୀ ଦାମୀ ନଥିଲେ ବି ଅନ୍ତର କଥା ମନକୁ କେତେ ଉଚ୍ଚାଟ କରୁଥିଲା । ଦିଅଁ, ଦେବତାଙ୍କ ଫଟୋ ସହ ସେ ସମୟର ଚର୍ଚ୍ଚିତ ତାରକା, ଗୋଲାପଠାରୁ ଆରମ୍ଭ କରି ଫୁଲତୋଡ଼ାକୁ ଗ୍ରୀଟିଂସରେ ଦେଖି ମନ ଆକାଶରେ ଉଡ଼ୁଥିଲା । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଗହଳିରେ ହଜିଗଲା ଗ୍ରୀଟିଂସ । ମରିଗଲା ଆଦର । ନୂଆବର୍ଷର ସମ୍ଭାରରେ ଏବେ ଚାକଚକ୍ୟର ଛିଟା । ହୋହଲ୍ଲା, ଗହଳି ଚହଳି ବଢ଼ିଛି । ହେଲେ ଆନ୍ତରିକତା କାଇଁ ଯେ? ସମୟ ଅନେକ କିଛି ବଦଳାଇ ଦେଇଛି । ନୂଆବର୍ଷ କାଳେ ନୂଆ କିଛି କରିବାକୁ ସଂକଳ୍ପ ନେବାର ସମୟ । ମୁଁ ଅମୁକ କରିବି, ସମୁକ କରିବି । ବଦ୍ଗୁଣ ପରିତ୍ୟାଗ କରିବି । ନୂଆ କିଛି ଆପଣାଇବି । ଏମିତି କାହିଁ କେତେ ଭାବନା । ହେଲେ ଏସବୁ ଭାବନା କେତେ ବା ସଂକଳ୍ପର ରୂପ ନିଏ? କେତେ ପ୍ରତିବଦ୍ଧତାର ସହ କାର୍ଯ୍ୟକାରୀ ବି ହୁଏ ଯେ? କିନ୍ତୁ ସମୟର କାଳଖଣ୍ଡରେ ଏମିତି ସଂକଳ୍ପ ନେବା ହିଁ ପରିବର୍ତ୍ତନ ।
ସୁସ୍ଥ, ଶାନ୍ତ ମନ ପାଇଁ ସକରାତ୍ମକ ସଂକଳ୍ପବଦ୍ଧତା ତ ଜରୁରି । ଏହା ଜୀବନକୁ ଆକାଂକ୍ଷିତ ଓ ମହତ୍ତର କରାଏ । ସେଥିପାଇଁ ଚରୈବେତି–ଚରୈବେତି-ଚରୈବେତି, ଚାଲୁ ଥାଅ, ଚାଲୁ ଥାଅ, ଚାଲୁ ଥାଅ,ଏ ମନ୍ତ୍ରକୁ ଆପଣେଇ ପ୍ରଚେଷ୍ଟା ଜାରି ରହୁ । ଆମେ ବି ସଂକଳ୍ପ ନେବା । ନିଜ ପାଇଁ, ପରିବାର ପାଇଁ, ଗାଁ ପାଇଁ । ଆଗକୁ ପଡ଼ିଛି ପଥ ବହୁ ଦୂର, ଆହୁରି କେତେ ଯେ ବାକି...ଚାଲିବି ଚାଲିବି ନ ପଡ଼ିବି ଥକି, ମୁଦିବା ଆଗରୁ ଆଖି । ଏ ଭାବନା ଆମକୁ ପଲ୍ଲବିତ କରୁ । ନୂଆ ସୋପାନକୁ ଯିବାକୁ ଭରିଦେଉ ଶକ୍ତି ଓ ସାମର୍ଥ୍ୟ ।
ମୁଁ ବି ପାରିବି
ନୂଆବର୍ଷରେ କିଏ ଭଲ ଓ ନୂଆ କାମ କରିବାକୁ ସଂକଳ୍ପ ନିଅନ୍ତି । ଆଉ କିଏ ସେ ସଂକଳ୍ପ ଉପରେ କାର୍ଯ୍ୟର ‘ଶ୍ରୀଗଣେଶ’ କରନ୍ତି । ଶୁଭ ସଂକଳ୍ପର ସେହି କ୍ଷଣ ଆପଣଙ୍କ ସମ୍ମୁଖରେ । ତେଣୁ ନିଶ୍ଚିତ ଭାବେ କିଛି ସଂକଳ୍ପ ନିଅନ୍ତୁ । ସେ ସଂକଳ୍ପ ନିଜ ପାଇଁ ହୋଇପାରେ ଅବା ସମାଜ ପାଇଁ । ଜୀବନର ଅନ୍ୟ ନାଁ ହେଉଛି ଆଶା । ସମ୍ଭାବନାକୁ ନେଇ ମଣିଷ ମାଡ଼ିଚାଲେ ଆଗକୁ, ଆହୁରି ଆଗକୁ । ଦିନ, ସପ୍ତାହ, ମାସ ଓ ବର୍ଷ ବଦଳିଯାଏ । କିନ୍ତୁ ଆମ ଭିତରର ଉତ୍ସାହକୁ ଊଣା କରିବାନି । ମରିବାକୁ ଦେବାନି । ଅଫୁରନ୍ତ ଉତ୍ସାହ ହିଁ ଜୀବନରେ ଭରିଦିଏ ମହୁର ମିଠାପଣ । ମୁଁ ବି କିଛି କମ୍ ନୁହଁ । ବିଧାତା ମୋତେ ଦୁନିଆକୁ ଆଣିଛି । ଅତଏବ ମୁଁ କିଛି କରିକି ନିଶ୍ଚୟ ଦେଖାଇବି । ମୁଁ ପାରିବି, ନିଶ୍ଚୟ ପାରିବି । ନୂଆବର୍ଷରେ ଏ ଭାବନା ସଂକଳ୍ପର ରୂପ ନେଉ । ନିଜ ପାଇଁ, ଗାଁ ପାଇଁ, ଦେଶ ଏବଂ ସମାଜ ପାଇଁ କିଛି କରିବାର ଭାବନା ବଳୁଆ ହେଉ । ଆପଣ ଓ ମୋ ଭଳି ମଣିଷଙ୍କ ବ୍ୟକ୍ତିଗତ ଲଢ଼େଇ ସାମୂହିକ ରୂପ ନେଲେ ଆଣିବ ନବ ଉତ୍ସାହ । ସମାଜରେ ଆସିବ ନବ ଉନ୍ମାଦନା । କିଏ ଜାଣେ ଆପଣଙ୍କର ଛୋଟ ପ୍ରୟାସ ହିଁ ଆଉ କାହା ପାଇଁ ପାଲଟିଯିବ ପ୍ରେରଣାର ବତୀଘର । ସାଧାରଣ ସଂକଳ୍ପଟିଏ ଅସାଧାରଣ ଉଦାହରଣ ତିଆରି କରିବ । ଆପଣ ପାଲଟିଯିବେ ପରିବର୍ତ୍ତନର ସୂତ୍ରଧର । ମଣିଷ ମନରେ କିଛି ଆହ୍ୱାନ, କିଛି କରି ଦେଖାଇବାର ଛଟପଟପଣ ହିଁ ବଡ଼ ପରିବର୍ତ୍ତନ ଆଣେ । ଛୋଟିଆ ସଂକଳ୍ପ ହିଁ ସାମାଜିକ ପରିବର୍ତ୍ତନର ଚାରାଟିଏ ରୋପଣ କରେ । ପରିବର୍ତ୍ତନରେ ଭରେ ନୂଆ ଉଡ଼ାଣ ।
ଆସନ୍ତୁ...ନୂଆବର୍ଷର ଏ ସନ୍ଧିକ୍ଷଣରେ ନୂଆ କିଛି କରିବାକୁ ସଂକଳ୍ପ ନେବା । ନିଜ ଆତ୍ମବିଶ୍ୱାସକୁ ବଳୁଆ କରିବା । ନିଜ ଭିତରେ ଥିବା ନିଜକୁ ଚିହ୍ନିବା । ଦକ୍ଷତାର ପୂର୍ଣ୍ଣ ବିନିଯୋଗ ପାଇଁ ନିଷ୍ଠାବାନ ହେବା । ଜୀବନ ଗାଡ଼ି ଯେ ସବୁବେଳେ ସରଳ ଆଉ ଚକାଚକ୍ ରାସ୍ତାରେ ଗଡ଼ି ଚାଲିବ, ତାର ଗ୍ୟାରେଣ୍ଟି ନା ଥିଲା ନା ଅଛି । ଜୀବନର ଚଲାପଥରେ ଅଙ୍କାବଙ୍କା ବୁଲାଣି ଓ ଉଠାଣି ରାସ୍ତା ପଡିବ । ତା’କୁ ଦମ୍ଭର ସହ ପାର୍ କରିବାକୁ ହେବ । ଏହା ହିଁ ତ ଜୀବନର ମନ୍ତ୍ର । ମନକୁ ଆମେ ଶାନ୍ତ ରଖିବା । ପରିବାର ସହ ହସଖୁସି କରିବା । ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା । ନିଜ ପରିବାର ପାଇଁ, ଆଉ ସମାଜର ମଙ୍ଗଳ ପାଇଁ ପ୍ରାର୍ଥନା କରିବା । ହସିବା ମନଖୋଲା ଖିଲି ଖିଲି ହସ । ଶୃଙ୍ଖଳିତ ଭାବେ ହସରେ, ଖୁସିରେ ଜିଇବା ଜୀବନ । ନୂଆବର୍ଷର ନବସୂର୍ଯ୍ୟ ଆଣୁ ନବଉତ୍ସାହ । ଶୁଭେଚ୍ଛା