ନୂଆଦିଲ୍ଲୀ,୨୧୬।୪: କେନ୍ଦ୍ର ଗୃହମନ୍ତ୍ରଣାଳୟ ପୂର୍ବତନ କ୍ରିକେଟର ଓ ରାଜ୍ୟସଭା ସାଂସଦ ହରଭଜନ ସିଂହଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବ ସରକାରଙ୍କ ଦ୍ବାରା ସୁରକ୍ଷା ପ୍ରତ୍ୟାହାର କରାଯିବାର କିଛି ଘଣ୍ଟା ପରେ, କେନ୍ଦ୍ର ସରକାର ହରଭଜନ ସିଂହଙ୍କୁ ସିଆରପିଏଫ୍ ସୁରକ୍ଷା ପ୍ରଦାନ କରିଛନ୍ତି। ଏବେ ‘ଟର୍ବନେଟର’କୁ ଦିଲ୍ଲୀ ଓ ପଞ୍ଜାବ ଉଭୟ ଦୁଇଟି ସ୍ଥାନରେ କେନ୍ଦ୍ର ସୁରକ୍ଷା ବଳର ଘେରାଉ ମିଳିବ ଓ ସିଆରପିଏଫ୍ କମାଣ୍ଡୋ ତାଙ୍କ ସୁରକ୍ଷାରେ ମୁତୟନ ରହିବେ।
ଗୃହ ମନ୍ତ୍ରଣାଳୟ ସୂତ୍ର ଅନୁସାରେ, ହରଭଜନ ସିଂହଙ୍କ ସହିତ ବିଜେପିରେ ଯୋଗ ଦେଇଥିବା ଅନ୍ୟାନ୍ୟ ଆଦମୀ ପାର୍ଟି ସାଂସଦ - ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ସ୍ୱାତୀ ମାଲିୱାଲ, ରାଜେନ୍ଦ୍ର ଗୁପ୍ତା ଏବଂ ବିକ୍ରମଜିତ ସାହାଣୀଙ୍କୁ ମଧ୍ୟ କେନ୍ଦ୍ରୀୟ ସୁରକ୍ଷା ପ୍ରଦାନ କରାଯାଇଛି। ଏହି ସମସ୍ତ ନେତାଙ୍କୁ ଏବେ ସିଆରପିଏଫ୍ କମାଣ୍ଡୋମାନେ ସୁରକ୍ଷା ଦେବେ। ଏହି ନେତାମାନଙ୍କ ପ୍ରତି ବଢୁଥିବା ବିପଦ ଏବଂ ପଞ୍ଜାବରେ ସେମାନଙ୍କ ବାସଭବନ ବାହାରେ ପ୍ରତିବାଦକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।
ଏହା ପୂର୍ବରୁ ଆଜି ସକାଳେ, ପଞ୍ଜାବର ଭଗବନ୍ତ ମାନ ସରକାର ହରଭଜନ ସିଂହଙ୍କ Z+ ସୁରକ୍ଷା କୁ ହଟାଇ ଦେଇଛନ୍ତି। ତାଙ୍କ ଜଳନ୍ଧର ବାସଭବନରୁ ନଅ ରୁ ଦଶ ଜଣ ସୁରକ୍ଷା କର୍ମୀ ଏବଂ ସରକାରୀ ଗାଡ଼ି ଫେରାଇ ନିଆଯାଇଛି। ଏହା ହରଭଜନ ସିଂହଙ୍କ ବ୍ୟକ୍ତିଗତ ସହାୟକ ମନଦୀପ ସିଂହ ସୂଚନା ଦେଇଛନ୍ତି। ଶନିବାର ହରଭଜନଙ୍କ ଘର ବାହାରେ ମଧ୍ୟ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା। ପ୍ରଦର୍ଶନକାରୀମାନେ କାନ୍ଥରେ ‘ପଞ୍ଜାବର ଦେଶଦ୍ରୋହୀ’ ଲେଖା ସ୍ପ୍ରେ କରି ଲେଖିଥିଲେ। ଆଶ୍ଚର୍ଯ୍ୟର କଥା, ଭିଡିଓରେ ପୋଲିସ ସେଠାରେ ଠିଆ ହୋଇଥିବା ଦେଖାଯାଇଥିଲା, କିନ୍ତୁ ସେମାନେ ପ୍ରତିବାଦକାରୀଙ୍କୁ ଅଟକାଇବାକୁ ଚେଷ୍ଟା କରି ନଥିଲେ।
ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଦଳ ଛାଡିଥିବା ସାଂସଦମାନଙ୍କୁ ସିଧାସଳଖ ’ବିଶ୍ୱାସଘାତକ’ ବୋଲି କହିଥିଲେ ଏବଂ କହିଥିଲେ ଯେ ଏହି ନେତାମାନେ ପଞ୍ଜାବର ଲୋକଙ୍କ ବିଶ୍ୱାସକୁ ଆଘାତ ଦେଇଛନ୍ତି।