ନୂଆଦିଲ୍ଲୀ; ୮/୧ : ଘରୋଇ କ୍ରିକେଟରେ ଗର୍ଜିଛି ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ୍ । ବିଜୟ ହଜାରେ ଟ୍ରଫିରେ ବରୋଦା ପକ୍ଷରୁ ଖେଳୁଥିବା ପାଣ୍ଡ୍ୟାଙ୍କ ବ୍ୟାଟ୍ ଚମକିଛି । ଚଣ୍ଡିଗଡ଼ ବୋଲରଙ୍କୁ ଧୂଲେଇ କରିଛନ୍ତି ପାଣ୍ଡ୍ୟା । ସେ ୩୧ ବଲରୁ ୭୫ ରନର ବିସ୍ଫୋରକ ପାଳି ଖେଳିଛନ୍ତି । ତେବେ ପାଣ୍ଡ୍ୟାଙ୍କ ଏହି ଦମଦାର ପ୍ରଦର୍ଶନକୁ ଫ୍ୟାନ୍ସମାନେ ବେଶ ଉପଭୋଗ କରିଥିଲେ । ତେବେ ପାଣ୍ଡ୍ୟାଙ୍କ ଏହି ଦୁରନ୍ଧର ପ୍ରଦର୍ଶନ ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିଲେ ତାଙ୍କ ନୂଆ ପ୍ରେମିକା ମାହିକା ଶର୍ମା ।
ଏହି ମ୍ୟାଚରେ ପାଣ୍ଡ୍ୟା ୬ ନମ୍ବରରେ ବ୍ୟାଟିଂ ପାଇଁ ଆସିଥିଲେ । ସେ ୩୧ ବଲରୁ ୭୫ ରନର ପାଳି ଖେଳିଥିଲେ । ଯେଉଁଥିରେ ୯ଟି ବିଶାଳ ଛକା ଏବଂ ୨ଟି ଚୌକା ରହିଥିଲା । ସେ ୨୪୦ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ ଜାରି ରଖିଥିଲେ । ପ୍ରତିପକ୍ଷ ବୋଲରଙ୍କୁ ଫୁଲ୍ ଧୁଲେଇ କରୁଥିଲେ ପାଣ୍ଡ୍ୟା । ସେପଟେ ଗ୍ୟାଲେରୀରେ ଚିୟରଅପ୍ କରୁଥିଲେ ମାହିକା । ସେ ପ୍ରେମିକଙ୍କ ବଡ଼ ବଡ଼ ସଟ୍ ଦେଖି ଉତ୍ସାହିତ ମଧ୍ୟ ହେଉଥିଲେ । ଯାହାକୁ ନେଇ କ୍ୟାମେରା ମଧ୍ୟ ତାଙ୍କ ଉପରେ ବାରମ୍ବାର ପଡ଼ୁଥିଲା । ତେବେ ଏହାକୁ ନେଇ ଫ୍ୟାନ୍ସମାନେ କହିଛନ୍ତି କି, ପ୍ରେମିକାଙ୍କୁ ଖୁସି କରିବା ପାଇଁ ପାଣ୍ଡ୍ୟା ଫୁଲ୍ ଫର୍ମରେ ନଜର ଆସିଛନ୍ତି ।
ତେବେ କହି ରଖୁଛୁ କି, ହାର୍ଦ୍ଦିକ ବିଜୟ ହଜାରେ ଟ୍ରଫିରେ ଚଳିତ ବର୍ଷ ନିଜର ଦ୍ବିତୀୟ ମ୍ୟାଚ ଖେଳିଛନ୍ତି । ସେ ପ୍ରଥମ ମ୍ୟାଚରେ ୯୨ ବଲରୁ ୧୩୩ ରନ ସଂଗ୍ରହ କରିଥିଲେ । ଯାହାକି ଲିଷ୍ଟ-ଏ କ୍ରିକେଟରେ ତାଙ୍କର ପ୍ରଥମ ଶତକ । ଏହାସହ ସେ ଦୁଇଟି ମ୍ୟାଚ୍ ଖେଳିଥିବାବେଳେ ୨ଶହରୁ ଅଧିକ ସ୍କୋର କରିବାରେ ମଧ୍ୟ ସକ୍ଷମ ହୋଇଛନ୍ତି । ଏହି ଦୁଇଟି ପାଳିରୁ ପାଣ୍ଡ୍ୟା ୨୦ ଛକା ମାରିସାରିଛନ୍ତି । ସେପଟେ ଚଣ୍ଡିଗଡ଼ ବିପକ୍ଷ ମ୍ୟାଚରେ ପାଣ୍ଡ୍ୟାଙ୍କ ସହ ପ୍ରିୟାଂଶୁ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ସେ ୧୦୬ ବଲରୁ ୧୧୩ ରନ କରିଥିଲେ । ଏହି ମ୍ୟାଚଟି ବରୋଦା ୧୪୯ରେ ବିଜୟ ହାସଲ କରିଥିଲା । ପ୍ରେମିକାଙ୍କ ଆଗରେ ବିଜୟ ମନାଇଥିଲେ ପାଣ୍ଡ୍ୟା । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ନଜର ଆସିବେ ପାଣ୍ଡ୍ୟା । ତେବେ ଏହି ସିରିଜ ପୂର୍ବରୁ ତାଙ୍କର ଏଭଳି ପ୍ରଦର୍ଶନ ଆଗକୁ ବେଶ ପ୍ରଭାବ ପକାଇବ ନିଶ୍ଚୟ ।