ନୂଆଦିଲ୍ଲୀ,୦୯/୦୩; ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ କଥା ମନେ ପଡ଼ିଲେ ଛାତି ଧକ୍ ଧକ୍ ହେଉଥିଲା । ସେହି ମୋଟେରା ଷ୍ଟାଡିୟମ, ପୁଣି ଏକ ଟାଇଟଲ ଲଢ଼େଇ । କ’ଣ ହେବ ଫଳାଫଳ ? ଶୁଭ ଓ ଅଶୁଭର ଅନ୍ଧବିଶ୍ୱାସରେ ଛନ୍ଦି ହେଉଥିଲା ମନ । ହେଲେ ଭାରତ ପ୍ରମାଣ କରି ଦେଖାଇଦେଲା ଟି-ଟ୍ୱେଣ୍ଟିରେ ସେ ସର୍ବଶ୍ରେଷ୍ଠ ଟିମ୍ । ହିଷ୍ଚ୍ରୀ ରିପିଟ୍ କଲା ହିଷ୍ଟ୍ରୀ ଡିଫିଟ୍ ବି କଲା । ବ୍ୟାକ୍ ଟୁ ବ୍ୟାକ୍ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଛି ଭାରତ । ଏହି ଦମଦାର ବିଜୟ ପରେ ପ୍ରତିକ୍ରିୟା ଦେଇ ହାର୍ଟ ହିଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ସେ ଆହୁରି ୧୦ ବର୍ଷ କ୍ରିକେଟ ଖେଳିବେ ଏବଂ ତାଙ୍କର ୧୦ଟି ଆଇସିସି ଟ୍ରଫି ଜିତିବାକୁ ଇଚ୍ଛା ଅଛି ।

ଭାରତର ଏହି ଷ୍ଟାର ଅଲରାଉଣ୍ଡର ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲରେ ୧୮ ରନ କରିଥିଲେ ଏବଂ ଗୋଟିଏ ୱିକେଟ ନେଇଥିଲେ । ଏହି ବିଶ୍ୱକପରେ ହାର୍ଦ୍ଦିକ ୨୭.୧୨ ହାରରେ ୨୧୭ ରନ କରିଥିଲେ ଏବଂ ତାଙ୍କ ନାମରେ ୯ଟି  ୱିକେଟ ମଧ୍ୟ ରହିଛି । ଘରୋଇ ମାଟିରେ ଟାଇଟଲ ଜିତିବା ବିଷୟରେ ପାଣ୍ଡ୍ୟା କହିଛନ୍ତି, "ଏହା ଏକ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ । ଭାରତରେ ବିଶ୍ୱକପ୍ ଜିତିବା ଏବଂ ଉତ୍ସାହ ଦେଖିବା ଆଶ୍ଚର୍ଯ୍ୟଜନକ । ମୋତେ ଆହୁରି  ୧୦ ବର୍ଷ କ୍ରିକେଟ ଖେଳିବାର ଅଛି । ୧୦ଟି ଆଇସିସି ଟ୍ରଫି ଜିତିବାକୁ ଚାହେଁ । ଆମେ ଏଥିପାଇଁ ବହୁତ ପରିଶ୍ରମ କରିଛୁ । ଗତକାଲିଠାରୁ, ମୁଁ ନିଶ୍ଚିତ ଥିଲି ଯେ ଆମେ ଚାମ୍ପିଅନ୍ ହେବୁ । ମୋ ମନରେ କେବଳ ଗୋଟିଏ ବିଶ୍ୱାସ ଥିଲା ।  ଅନ୍ୟ କୌଣସି ଫଳାଫଳ ହେବ ନାହିଁ । ପରାଜୟର ଚିନ୍ତା କେବେ ମୋ ମନକୁ ଆସିନଥିଲା । ମୁଁ ଭଗବାନଙ୍କ ପାଖରେ କୃତଜ୍ଞ । ଯେତେବେଳେ ମୁଁ ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ୧୯ତମ ଓଭର ବୋଲିଂ କରୁଥିଲି, ସେତେବେଳେ ୨୦୨୪ ଟି୨୦ ବିଶ୍ୱକପ୍ ଫାଇନାଲ ମୋ ମନରେ ଥିଲା । ମୁଁ ଇଶାନ କିଶନ ଏବଂ ଅଭିଷେକ ଶର୍ମାଙ୍କୁ ମଧ୍ୟ କହିଥିଲି ଯେ ସେମାନେ ବ୍ୟାଟିଂ କରିବାକୁ ଗଲେ ଭଲ ସ୍ମୃତି ବିଷୟରେ ଚିନ୍ତା କରନ୍ତୁ । "

ଟାଇଟଲ୍ ମ୍ୟାଚ୍‌ରେ ସଞ୍ଜୁ ସାମସନ୍ (୮୯) ଇଶାନ୍ କିଶାନ୍ (୫୪)ଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୪୮ ବଲ୍‌ରେ ୧୦୫ ରନ୍‌ର ପାର୍ଟନରସିପ୍ କରିଥିଲେ, ଯାହା ଭାରତକୁ ଏକ ବିଶାଳ ସ୍କୋର ଆଡ଼କୁ ନେଇଥିଲା । ସଞ୍ଜୁ ସାମସନ୍ ଏବଂ କିଶାନ୍‌ଙ୍କ ବିଷୟରେ କହି ପାଣ୍ଡ୍ୟା କହିଛନ୍ତି, "ଜୀବନ ଏହା ଶିଖାଏ । ଯେତେବେଳେ ଆପଣ କଠିନ ପରିଶ୍ରମ କରନ୍ତି ଏବଂ ଅନ୍ୟମାନଙ୍କ ଖୁସିରେ ଖୁସି ରହିବା ଶିଖନ୍ତି, ଭଗବାନ ଆପଣଙ୍କୁ ସୁଯୋଗ ଦିଅନ୍ତି । ଏହା ସମଗ୍ର ଦେଶ ପାଇଁ ଏକ ଶିକ୍ଷା ଯେ ଯେତେବେଳେ ଆପଣ ଚୁପ୍ ଚାପ୍ ପରିଶ୍ରମ କରିବେ, ଭଗବାନ ନିଶ୍ଚିତ ଭାବରେ ଆପଣଙ୍କୁ ସୁଯୋଗ ଦେବେ । ମୁଁ ସେମାନଙ୍କ ପାଇଁ ବହୁତ ଗର୍ବିତ । " ହାର୍ଦ୍ଦିକ ପାଣ୍ଡ୍ୟା ୨୦୨୪ ଟି-୨୦ ବିଶ୍ୱକପ୍ ବିଜେତା ଦଳର ଅଂଶ ଥିଲେ। ସେହି ମ୍ୟାଚ୍‌ରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଓଭର ବୋଲିଂ କରିଥିଲେ । ୨୦୨୬ ଟି-୨୦ ବିଶ୍ୱକପ୍ରେ, ଶେଷ ମୁହୂର୍ତ୍ତରେ ତାଙ୍କ ହାତରେ ପୁଣି ଥରେ ବଲ୍ ଥିଲା ।

ଏହା ବି ପଢନ୍ତୁ...'ପାଣି ପିଆଇଛୁ, ନେଟ୍ସରେ ବୋଲିଂ କରିଛୁ'...ଚାମ୍ପିଅନ ହେବା ପରେ ଏମିତି କହିଲେ ଡିଏସ୍ପି ସାର୍ ସିରାଜ

​​​​​​​  

ଏଥର କିଏ ଚାମ୍ପିଅନ ହେବ ତାହା ତ ଭାଗ୍ୟ ନିର୍ଦ୍ଧାରଣ କରି ସାରିଥିଲା ବହୁ ପୂର୍ବରୁ । ମଝିରେ ଟିକିଏ ଝୁଣ୍ଟିବାକୁ ପଡ଼ିଥିଲା ଭାରତକୁ, ଅପରାଜେୟ ଧାରାରେ ଲାଗିଥିଲା ବ୍ରେକ୍ । ତାହା କିନ୍ତୁ ବହୁ କଥା ଚେତାଇ ଦେଇଥିଲା ଟିମ୍ ଇଣ୍ଡିଆକୁ । ବାସ୍, ତା ପରେ ଆଉ ଭାରତ ପଛକୁ ଫେରି ନଥିଲା । ଯେଉଁଭଳି ଭାବେ ଭାରତୀୟ ବ୍ୟାଟର ଦୁର୍ଦ୍ଧର୍ଷ ବ୍ୟାଟିଂ କରିଥିଲେ, ତାହା ସେମାନଙ୍କର ନିର୍ଭୟ ପରାକ୍ରମକୁ ପ୍ରଦର୍ଶିତ କରିଥିଲା ।ଶେଷରେ ପୁଣି ଏକ ଗୌରବର ନୂଆ ଫର୍ଦ୍ଦ ଯୋଡ଼ି ହୋଇଥିଲା ଭାରତୀୟ କ୍ରିକେଟ୍ ଇତିହାସରେ । ବିଶ୍ୱର ପ୍ରଥମ ଦଳ ଭାବେ କ୍ରମାନ୍ୱୟରେ ଦ୍ୱିତୀୟ ଏବଂ ମୋଟରେ ୩ ଥର ଚାମ୍ପିଅନ ହେବାର ଗୌରବ ଲାଭ କଲା ଭାରତ । ସବୁଠୁ ବଡ଼ କଥା ଥିଲା ପୂର୍ବରୁ କୌଣସି ଆୟୋଜକ ଦଳ ବିଶ୍ୱ ଚାମ୍ପିଅନ ହୋଇନଥିଲେ । ଏ ଧାରା ମଧ୍ୟ ଭାରତ ଭଙ୍ଗ କରି ନୂଆ ଇତିହାସ ରଚିଲା । ମହେନ୍ଦ୍ର ସିଂ ଧୋନି (୨୦୦୭), ରୋହିତ ଶର୍ମା (୨୦୨୪) ଏବଂ ସୂର୍ଯ୍ୟକୁମାର ଯାଦବଙ୍କ (୨୦୨୬) ନେତୃତ୍ୱରେ ଦଳ ଚାମ୍ପିଅନ ହୋଇଛି ।