ଜଟଣୀ, ୦୭/୦୩: ଓଡ଼ିଶା ପ୍ରସିଦ୍ଧ ଶ୍ରୀପଶ୍ଚିମାଶମ୍ଭୁ ସୋମନାଥଦେବଙ୍କ ପଞ୍ଚୁଦୋଳ ମେଳଣ ୮ ତାରିଖଠାରୁ ଆରମ୍ଭ ହେବ । ଜଟଣୀ ନିକଟବର୍ତ୍ତୀ ପୁରୀ ଜିଲ୍ଲା ଅନ୍ତର୍ଗତ ହରିରାଜପୁର ଗ୍ରାମରେ ଅନୁଷ୍ଠିତ ଏହି ମେଳଣରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଜନସମାଗମ ହୋଇଥାଏ । ୮ ତାରିଖ ରବିବାର ମଧ୍ୟରାତ୍ରରେ ଜମାଣ ଅନୁଷ୍ଠିତ ହେବ । ୧୨ ତାରିଖ ଗୁରୁବାର ଠାକୁର ମେଳଣ ଉତ୍ସବ ଅନୁଷ୍ଠିତ ହେବ । ଥାନପତି ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ଏହି ମେଳଣରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ଦୃଷ୍ଟିରୁ ପୁଲିସ ପ୍ରଶାସନ ଓ ମେଳଣ ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଫଗୁ ଖେଳି ଭକ୍ତଙ୍କ ଗହଣରେ ହଜିଯିବେ ପ୍ରଭୁ ଶ୍ରୀ ସୋମନାଥ ଦେବ ।
ପାତାଳଫୁଟା ଶିବଲିଙ୍ଗ :
ଜଟଣୀ-ପିପିଲି ରାସ୍ତାର ଦକ୍ଷିଣ ପାଶ୍ୱର୍ରେ ପ୍ରାୟ ଏକ କିଲୋମିଟର ଦୂରରେ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିର ଓ ମେଳଣ ପଡ଼ିଆ ଅବସ୍ଥିତ । ଏହି ମହିମାମୟ ଶିବଲିଙ୍ଗ ପାତାଳଫୁଟା ହୋଇଥିବା ବେଳେ ପଶ୍ଚିମମୁଖା ହୋଇଥିବାରୁ ଏହି ଶୈବପୀଠର ମହିମା ଅନନ୍ୟ । ଏଠାରେ ହରିହର ଏକତ୍ର ପୂଜା ପାଉଥିବାରୁ ହରିହର ମନ୍ତ୍ରରେ ତୁଳସୀପତ୍ରରେ ନୈବେଦ୍ୟ କରାଯାଏ । ଠାକୁରଙ୍କ ମୁଖ୍ୟ ଉତ୍ସବ ପଞ୍ଚୁଦୋଳ ମେଳଣ ଦୋଳପୂର୍ଣ୍ଣିମାର ପଞ୍ଚମ ଦିବସ ମଧ୍ୟରାତ୍ରିରେ ମହାସମାରୋହରେଳ ଅନୁଷ୍ଠିତ ହୋଇଥାଏ ।
ଥାନପତିଙ୍କ ପାଇଁ ବିରାଟ ପଟୁଆର:
ଭଣ୍ଡାରଘରୁ କୋଠଭୋଗ ଆସିବା ପରେ ଥାନପତି ପଶ୍ଚିମାଶମ୍ଭୁ ସୋମନାଥ ଦେବ ଜମାଣ ରାତିରେ ମନ୍ଦିରରୁ ବାହାରିଥାନ୍ତି । ବାହାରିବା ପରେ ବାଟ ଅଗଣାରେ ରହିଥାନ୍ତି । ସେଠାରେ କୋଠଭୋଗ ଲାଗି କରାଯାଇଥାଏ । ପରେ ଠାକୁର ଦୋଳବିମାନକୁ ବିଜେ କରିବା ସହ ପଶ୍ଚିମଦ୍ୱାର ଦେଇ ବିରାଟ ପଟୁଆରରେ ମେଳଣ ପଡ଼ିଆକୁ ବିଜେ ଯାତ୍ରା କରିଥାନ୍ତି । ପଟୁଆରରେ ବାହାରିବା ସମୟରେ ବାଟରେ ଥିବା ଶ୍ରୀଗୋପାଳଜୀ(ମଠ ଠାକୁର) ଓ ବାଳମୁକୁନ୍ଦଦେବ ପାଲିଙ୍କିରେ ଥାନପତିଙ୍କ ସହିତ ଏହି ପଟୁଆରରେ ଯାଇଥାନ୍ତି । ଏହି ଅବସରରେ ଆତସବାଜି ପ୍ରଦର୍ଶନ ସହ ରଙ୍ଗବେରଙ୍ଗ କଳରଙ୍ଗ, ବାଦ୍ୟ, ରୋଷଣୀ, ଘଣ୍ଟଘଣ୍ଟା, ଭେରିତୁରୀ, ଶଙ୍ଖନାଦ, ନାଗାନାଚ, ପଟ୍ଟା ଖେଳ, ସଖି ଓ ରାଜାରାଣୀ ନାଚରେ ଚତୁଃପାଶ୍ୱର୍ ପ୍ରକମ୍ପିତ ହୋଇଥାଏ । ଏହାଦ୍ୱାରା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ମେଳଣ ପଡ଼ିଆରେ ବିଭିନ୍ନ ଗ୍ରାମରୁ ନିମନ୍ତ୍ରିତ ହୋଇ ଅନ୍ୟୁନ ୮୦ଟି ହରିହର ବିଗ୍ରହ ଦୋଳବିମାନରେ ଉପବିଷ୍ଟ ହୋଇଥାନ୍ତି । ୫ ଦିନ ରହଣୀ ମଧ୍ୟରେ ଦୈନିକ ହଜାର ହଜାର ସଂଖ୍ୟାର ଭକ୍ତ ଠାକୁରମାନଙ୍କୁ ଫଗୁସିଞ୍ଚନ କରିବା ସହିତ ଭୋଗ ଲାଗିକରିଥାନ୍ତି ।
ଜମାଣ ରାତ୍ରରେ ଚିତ୍ତାକର୍ଷକ ଆତସବାଜୀ ପ୍ରଦର୍ଶନ ହୋଇଥାଏ । ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରଖ୍ୟାତ ବାଣ କାରିଗରମାନଙ୍କ ବ୍ୟତୀତ ମାନସିକ ପୂରଣ ହୋଇଥିବା ବହୁ ଭକ୍ତ ଏଠାରେ ରାତି ତମାମ ବାଣ ଫୁଟାଇଥାନ୍ତି । ଏହା ଅତ୍ୟନ୍ତ ବିରଳ । ଏନେଇ ହରିରାଜପୁର ଗ୍ରାମର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ରେଳ କର୍ମଚାରୀ ହାଡ଼ିବନ୍ଧୁ ଚମ୍ପତ୍ତି କହନ୍ତି ଅନେକ ଭକ୍ତ ସେମାନଙ୍କ ମାନସିକ ପୂରଣ ଲାଗି ଜମାଣ ରାତିରେ ଆତସବାଜୀ ପ୍ରଦର୍ଶନ କରିଥାନ୍ତି । ୫ ଦିନ ମେଳଣ ପରେ ଦୋଳ ବିମାନରେ ଉପବିଷ୍ଟ ହୋଇଥିବା ଠାକୁର ନିଜ ନିଜ ଆସ୍ଥାନକୁ ଫେରିଯାଆନ୍ତି ।
ଅଧିକ ପଢ଼ନ୍ତୁ :- ଜଟଣୀ ପଦନପୁରରେ ଗୋଷ୍ଠୀ ସଂଘର୍ଷ ପରେ ବୋମାମାଡ଼, ଜୀବନ ସହ ସଂଗ୍ରାମ କରୁଛି ନାବାଳକ