ଜଟଣୀ, ୭।୩: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ପଦନପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁ ମେଳଣ ଚାଲିଥିବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସାମାନ୍ୟ ବଚସାରୁ ପରିସ୍ଥିତି ଉଗ୍ର ରୂପ ଧାରଣ କରିଥିଲା, ଯାହା ଶେଷରେ ବୋମାମାଡ଼ରେ ପରିଣତ ହୋଇଛି । ଏହି ବିସ୍ଫୋରଣରେ ଜଣେ ନାବାଳକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ଏହା ବି ପଢ଼ନ୍ତୁ... ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ମେଳଣ: ରବିବାର ଜମିବ ପଶ୍ଚିମାଶମ୍ଭୁଙ୍କ ଅବିର ଖେଳ,୧୨ରେ ମେଳଣ ଉତ୍ସବ
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପଦନପୁର ଗାଁ ଛକରେ ପାରମ୍ପରିକ ମେଳଣ ଉତ୍ସବ ଚାଲିଥିଲା । ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କ ଭିଡ଼ ମଧ୍ୟରେ କୌଣସି କାରଣକୁ ନେଇ ଦୁଇଟି ଗୋଷ୍ଠୀ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଦେଖୁ ଦେଖୁ ଏହି ବିବାଦ ବଢ଼ିଯାଇଥିଲା ଏବଂ ଦୁର୍ବୃତ୍ତମାନେ ସେଠାରେ ବୋମାମାଡ଼ କରିଥିଲେ । ଘଟଣାସ୍ଥଳରେ ୨ଟି ବୋମା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଗୁରୁତର ନାବାଳକଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଭୁବନେଶ୍ୱର ଏମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ଏବଂ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ଜଟଣୀ ଥାନା ପୁଲିସ ତୁରନ୍ତ ପଦନପୁର ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବୋମାମାଡ଼ ପଛରେ କାହାର ହାତ ଅଛି ଏବଂ କେଉଁ କାରଣରୁ ଏହି ଗୋଷ୍ଠୀ ସଂଘର୍ଷ ଘଟିଲା, ସେନେଇ ପୁଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ।