ନୂଆଦିଲ୍ଲୀ,୨୬/୦୫; ରାଷ୍ଟ୍ରପତି ଭବନରେ ଗଣତନ୍ତ୍ର ମଣ୍ଡପରେ ସୋମବାର ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି । ଏଥିରେ ୨ଟି ପଦ୍ମବିଭୂଷଣ, ୬ଟି ପଦ୍ମଭୂଷଣ ଏବଂ ୫୮ଟି ପଦ୍ମଶ୍ରୀ ପୁରସ୍କାର ଅନ୍ତର୍ଭୂକ୍ତ ରହିଛି । ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ହରମନପ୍ରୀତ କୌରଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା । ଗତବର୍ଷ ହରମନ୍‌ପ୍ରୀତ କୌରଙ୍କ ନେତୃତ୍ୱରେ ଐତିହାସିକ ଆଇସିସି ମହିଳା ଦିନିକିଆ ବିଶ୍ୱକପ ଜିତିଥିଲା ଭାରତ । ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇ ଇତିହାସ ରଚିଛନ୍ତି ହର୍‌ମନ୍‌ପ୍ରୀତ କୌର । ତାଙ୍କର ଏହି ସଫଳତାକୁ ସେଲିବ୍ରେଟ୍ କରିଥିଲା ଟିମ୍ ଇଣ୍ଡିଆ । ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ଇଂଲଣ୍ଡରେ ଥିବା ଟିମ୍ ଇଣ୍ଡିଆ ସମ୍ମାନ ସମାରୋହ ଲାଇଭ୍ ଦେଖିଥିଲେ ଏବଂ କରତାଳି ମାଳି ହର୍‌ମନ୍‌ପ୍ରୀତଙ୍କୁ ସେମାନଙ୍କ କ୍ୟାପ୍ଟେନ୍‌ଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌରଙ୍କ ନାମରେ ଏବେ ଆଉ ଏକ ବଡ଼ ସଫଳତା ଯୋଡ଼ି ହୋଇଛି । ଭାରତୀୟ କ୍ରିକେଟରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଏବଂ ଟିମ୍ ଇଣ୍ଡିଆକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସମ୍ମାନ ଗ୍ରହଣ କରିଥିବା ହରମନପ୍ରୀତ ପାରମ୍ପରିକ ଲୁକରେ ନଜର ଆସିଥିଲେ । କ୍ରିମ୍ ରଙ୍ଗର ସୁଟ୍ ପିନ୍ଧିଥିଲେ କୌର । ପଦ୍ମଶ୍ରୀ ସମ୍ମାନ ମିଳିବା ପରେ ସେ କହିଛନ୍ତି, '' ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ । ମୁଁ ଏହି ସମ୍ମାନ ଏବଂ ମହିଳା କ୍ରିକେଟକୁ ନିରନ୍ତର ସମର୍ଥନ ପାଇଁ ରାଷ୍ଟ୍ରପତି, ଭାରତ ସରକାର, ଭାରତୀୟ କ୍ରୀଡା ପ୍ରାଧିକରଣ, ବିସିସିଆଇ ଏବଂ ଭାରତୀୟ କ୍ରିକେଟ ସହିତ ଜଡିତ ସମସ୍ତଙ୍କୁ ହୃଦୟର ସହିତ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ''

ଏହା ବି ପଢନ୍ତୁ...IPL Playoff History: ଆଇପିଏଲ ଇତିହାସରେ କେଉଁ ଟିମ୍ ଖେଳିଛି ସର୍ବାଧିକ ପ୍ଲେ-ଅଫ୍ ମ୍ୟାଚ ? ଟପ୍ ୫ରେ ନମ୍ବର ୩ ଚକିତ କରିବ

ଚଳିତବର୍ଷ ହରମନପ୍ରୀତଙ୍କ ସମେତ ୯ ଜଣ କ୍ରୀଡାବିତଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରାଯାଇଥିଲା । ପାରା ଆଲିମ୍ପିକ ସ୍ୱର୍ଣ୍ଣ ବିଜେତା ହାଇଜମ୍ପର ପ୍ରବୀଣ କୁମାର ମଧ୍ୟ ପୁରସ୍କାର ଗ୍ରହଣ କରିଥିଲେ । ଅନ୍ୟତମ ଭାରତୀୟ ତାରକା କ୍ରିକେଟ ରୋହିତ ଶର୍ମା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ସେ ପରବର୍ତ୍ତୀ ପର୍ଯ୍ୟାୟେ ପୁରସ୍କାର ଗ୍ରହଣ କରିବେ ବୋଲି କୁହାଯାଉଛି । ପଦ୍ମସମାରୋହ ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକ୍ରଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସର୍ବପ୍ରଥମେ ଦିବଂଗତ ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ରଙ୍କୁ ପଦ୍ମବିଭୂଷଣ (ମରଣୋତ୍ତର)ରେ ସମ୍ମାନିତ କରାଯାଇଥିଲା । ଅଭିନେତ୍ରୀ ତଥା ଧର୍ମେନ୍ଦ୍ରଙ୍କ ପତ୍ନୀ ହେମା ମାଳିନୀ ଏହାକୁ ଗ୍ରହଣ କରିଥିଲେ ।