ପ୍ରମୂଖ ଖବର

ହରିଆଣା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ; ପୁଲିସର ତନାଘନା, ବ୍ୟବସାୟୀଙ୍କ ସମ୍ପୃକ୍ତି!

Published By : Prameya | June 30, 2025 10:45 AM

ଜୟପୁର,୩୦/୦୬: ପେଟ ପୋଷିବା  ପାଇଁ କୋରାପୁଟର ଜୟପୁର ସହରକୁ  ଆସିଥିଲେ ହରିଆଣାର ଜଣେ ମହିଳା ।  ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ  ହୋଇଛି । ମହିଳା ଜଣଙ୍କ ଏ ସମ୍ପର୍କରେ  ଲିଖିତ ଏତଲା ଦେଇଛନ୍ତି । ଏନେଇ ମହିଳା  ଥାନାରେ ଏକ ମାମଲା ରୁଜୁ ହୋଇଛି ।  ଅଭିଯୁକ୍ତଜଣଙ୍କ ସହରର ଜଣେ ଅଣଓଡ଼ିଆ  ବ୍ୟବସାୟୀ ବୋଲି ଅଭିଯୋଗରେ ଉଲ୍ଲେଖ  ରହିଛି । ପୀଡ଼ିତାଙ୍କୁ ନେଇ ସିନ୍‌ ରିକ୍ରିଏସନ୍‌  କରାଯାଇଥିବା ମହିଳା ଥାନା ପକ୍ଷରୁ  କୁହାଯାଇଛି । ଅନ୍ୟପକ୍ଷେ ଏହି ଘଟଣାରେ ସହରର  ଆଉ ଜଣେ ଅଣଓଡ଼ିଆ ଯୁବବ୍ୟବସାୟୀଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ଜୋର ଧରିଛି । 

ଅଭିଯୋଗ ଅନୁଯାୟୀ, ଗତ ୨୮ ତାରିଖ  ରାତିର ଘଟଣା । ହରିଆଣାର ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ବ୍ୟବସାୟୀ ଜଣଙ୍କ ।  ବିଳମ୍ବିତ ରାତିରେ ପୀଡ଼ିତା ଥାନାର ଦ୍ୱାରସ୍ଥ ହୋଇଥିଲେ । ଏତଲାକୁ ଭିତ୍ତି କରି ଆରମ୍ଭ  ହୋଇଥିଲା ତନାଘନା । ତାଙ୍କ ବୟାନ ରେକର୍ଡ  କରାଯାଇଥିଲା । ମାମଲା ରୁଜୁ ପରେ ରବିବାର  ଅପରାହ୍ଣରେ ଆଇଆଇସି ଆଶ୍ରିତା ଖାଲ୍‌କୋ,  ଏସ୍‌ଆଇ ଶକୁନ୍ତଳା ଦେବୀ ପ୍ରମୁଖ ମହିଳାଙ୍କୁ  ସାଙ୍ଗରେ ନେଇ ଘଟଣାସ୍ଥଳକୁ ଯାଇଥିଲେ ।  ସିନ୍‌ ରିକ୍ରିଏସନ୍‌ କରାଯାଇଥିଲା । 

ଏ ସମ୍ପର୍କରେ  ଏସ୍‌ଡିପିଓ ପାର୍ଥ ଜଗଦୀଶ କଶ୍ୟପଙ୍କୁ  ପଚାରିବାରେ କହିଛନ୍ତି, ହରିଆଣାର  ମହିଳାଜଣଙ୍କ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ତଦନ୍ତ ଜାରି ରହିଛି । ଅନ୍ୟପକ୍ଷେ ସହରରେ ଚର୍ଚ୍ଚା ହେଉଛି  ଯେ, ସ୍ଥାନୀୟ ଏକ ଗୁରୁତ୍ୱପୂର୍ଣ୍ଣ ଛକରେ ୨  ଅଣଓଡ଼ିଆ ବ୍ୟବସାୟୀଙ୍କ ଦୋକାନ ରହିଛି ।  ଉଭୟ ବ୍ୟବସାୟ କରୁଥିବାରୁ ସେମାନଙ୍କ  ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିରହୁଛି । ଗତ ୨୮  ତାରିଖ ରାତିରେ ଉଭୟ ବ୍ୟବସାୟୀ ଏବଂ  ଅନ୍ୟ କେତେଜଣ ମିଶି ପାର୍ଟି କରିଥିଲେ ।  ସହରର ଏକ ସାହିରେ ରହୁଥିବା ଉପରୋକ୍ତ  ମହିଳାଙ୍କ ଘରକୁ ଉଭୟ ଅଣଓଡ଼ିଆ ବ୍ୟବସାୟୀ  ଯାଇଥିଲେ । ବିଳମ୍ବିତ ରାତିରେ ମହିଳାଙ୍କୁ  ଦୁଷ୍କର୍ମ କରାଯାଇଥିବା ନେଇ ସେ ଥାନାର  ଦ୍ୱାରସ୍ଥ ହୋଇଥିଲେ । ତଦନ୍ତ ପରେ ପ୍ରକୃତ  ଘଟଣା ପଦାକୁ ଆସିବ ବୋଲି ପୁଲିସ କହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.