ନୂଆଦିଲ୍ଲୀ – ଦେଶର ସବୁଠୁ ବଡ଼ ପ୍ରାଇଭେଟ୍ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କର ହଲଚଲ ଏବେ ବି ଥମିବାର ନାଁ ନେଉ ନାହିଁ। ପାର୍ଟ-ଟାଇମ୍ ଚେୟାରମ୍ୟାନ ଅତନୁ ଚକ୍ରବର୍ତ୍ତୀଙ୍କ ଇସ୍ତଫା ପରେ ଏବେ ବ୍ୟାଙ୍କ ନିଜର ୩ ଟପ୍ ଏକଜିକ୍ୟୁଟିଭଙ୍କ ବିରୁଦ୍ଧରେ ବଡ଼ ଆକ୍ସନ ନେଇଛି। ଏଚଡିଏଫସି ବ୍ୟାଙ୍କ ନିଜର ଗ୍ରୁପ୍ ହେଡ୍ ଅଫ୍ ବ୍ରାଞ୍ଚ ବ୍ୟାଙ୍କିଂ ସମ୍ପଥ କୁମାର ଓ ଦୁଇ ଅନ୍ୟ ବରିଷ୍ଠ ଏକଜିକ୍ୟୁଟିଭଙ୍କୁ ଚାକିରିରୁ ବାହାର କରି ଦେଇଛି। CNBC-TV18ର ଏକ୍ସକ୍ଲୁସିଭ୍ ଖବର ମୁତାବିକ , ଅଭିଯୋଗ ଯେ, ଏହି ଅଧିକାରୀମାନେ ସ୍ୱିଜରଲ୍ୟାଣ୍ଡର କ୍ରେଡିଟ୍ ସୁଇସ୍ ବ୍ୟାଙ୍କର ରିସ୍କ ଭରା ବଣ୍ଡକୁ ଗ୍ରାହକଙ୍କୁ ସୁରକ୍ଷିତ ନିବେଶ କହି ବିକ୍ରି କରିଥିଲେ।

କାହିଁକି ଏହି କାର୍ଯ୍ୟାନୁଷ୍ଠାନ ନିଆଗଲା ?

ରିପୋର୍ଟ ଅନୁଯାୟୀ, ଏହି ବ୍ୟାଙ୍କ ଅଧିକାରୀମାନେ ଗ୍ରାହକଙ୍କୁ ( ବିଶେଷକରି NRI ଗ୍ରାହକମାନଙ୍କୁ ) ଭ୍ରମିତ କରି ଥିଲେ। ସେମାନେ "ପରପେଚୁଆଲ ବଣ୍ଡ" (ଯାହାର କୌଣସି ମାଚ୍ୟୁରିଟି ହୋଇ ନଥାଏ)କୁ " ଫିକ୍ସଡ୍ ମାଚ୍ୟୁରିଟି ବଣ୍ଡ" କହି ବିକ୍ରି କରିଥିବା ଅଭିଯୋଗ ହୋଇଛି। ଗ୍ରାହକମାନେ କହିଛନ୍ତି ଯେ, ସେମାନଙ୍କୁ ଖାଲି କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇ ଥିଲା ଏବଂ ଏକ ସୁରକ୍ଷିତ ନିବେଶର ବାହାନାରେ ସେମାନଙ୍କ ଟଙ୍କା ସ୍ଥାନାନ୍ତର କରିବାକୁ କୁହାଯାଇ ଥିଲା।

କେଉଁ ଅଧିକାରୀମାନଙ୍କୁ ମିଳିଛି ଦଣ୍ଡ ?

ସମ୍ପତ କୁମାର : ଗ୍ରୁପ୍ ହେଡ୍, ବ୍ରାଞ୍ଚ ବ୍ୟାଙ୍କିଂ (ନିରୀକ୍ଷଣରେ ତ୍ରୁଟି ଅଭିଯୋଗ)।

ହର୍ଷ ଗୁପ୍ତା : କାର୍ଯ୍ୟନିର୍ବାହୀ ଭାଇସ ପ୍ରେସିଡେଣ୍ଟ (ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକା ବିଜନେସ୍)

ପାୟଲ ମନ୍ଧ୍ୟାନ: ବରିଷ୍ଠ ଭାଇସ୍ ପ୍ରେସିଡେଣ୍ଟ

ଗତବର୍ଷ ଜାନୁଆରୀରେ ହର୍ଷ ଗୁପ୍ତା ଏବଂ ପାୟଲ ମନ୍ଧ୍ୟାନଙ୍କୁ ନିଲମ୍ବିତ କରାଯାଇ ଥିଲା। ତଦନ୍ତ ସମାପ୍ତ ହେବା ପରେ, ସେମାନଙ୍କୁ ଏବେ ସ୍ଥାୟୀ ଭାବରେ ବହିଷ୍କାର କରାଯାଇଛି।

ଘଟଣାଟି କ’ଣ ଥିଲା ?

ପ୍ରକୃତ କଥା ଏୟା ଯେ, କ୍ରେଡିଟ୍ ସୁଇସ୍ ବ୍ୟାଙ୍କ ସଙ୍କଟ ସମୟରେ, ଏହାର ପ୍ରାୟ ୨୦ ବିଲିୟନ ଡଲାରର AT-1 ବଣ୍ଡକୁ ସମ୍ପୂର୍ଣ୍ଣ ଭାବରେ ରାଇଟ୍-ଅଫ୍ କରି ଦିଆ ଯାଇ ଥିଲା, ଯାହା ଫଳରେ ନିବେଶକମାନେ ବହୁତ କ୍ଷତି ସହିଥିଲେ। ଅନେକ NRI ଗ୍ରାହକ HDFC ବ୍ୟାଙ୍କର ଦୁବାଇ ଏବଂ ବାହାରିନ୍ ଶାଖା ମାଧ୍ୟମରେ ଏହି ବଣ୍ଡଗୁଡ଼ିକରେ ନିବେଶ କରିଥିଲେ। ଯେତେବେଳେ ସେମାନଙ୍କର ଟଙ୍କା ବୁଡ଼ି ଗଲା, ଗ୍ରାହକମାନେ ବ୍ୟାଙ୍କ ଅଧିକାରୀମାନଙ୍କୁ ଠକେଇ ଏବଂ ଭୁଲ୍ ସୂଚନା ଦେବାର ଅଭିଯୋଗ କରିଥିଲେ।

HDFC ବ୍ୟାଙ୍କ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛି ଯେ ଏହା ଏହାର UAE ଶାଖାର କାର୍ଯ୍ୟକାରିତାରେ କିଛି ତ୍ରୁଟି ଚିହ୍ନଟ କରିଥିଲା। ବ୍ୟାଙ୍କ ଏକ ଆଭ୍ୟନ୍ତରୀଣ ତଦନ୍ତ ସମାପ୍ତ କରିଛି ଏବଂ ଏହାର ନୀତି ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ଏହା ନିୟମ ପାଳନ ଏବଂ ଉଚ୍ଚ ମାନଦଣ୍ଡ ବଜାୟ ରଖିବା ପାଇଁ ପ୍ରତିବଦ୍ଧ।