ଭବାନୀପାଟଣା,୧୧/୬: ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ଉପଲବ୍ଧିକୁ ନେଇ କଳାହାଣ୍ଡି ଜିଲ୍ଲାରେ ବିଜେପି ପକ୍ଷରୁ ସ୍ଥାନୀୟ ସର୍କିଟ୍ ହାଉସ୍ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏଥିରେ ଯୋଗଦେଇ ବର୍ଷକର ରିପୋର୍ଟ କାର୍ଡ଼ ପ୍ରଦାନ କରିଛନ୍ତି । ସାଧାରଣ ଜନତା ରାଜ୍ୟସରକାରକୁ ଲୋକଙ୍କ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ଅବିହିତ କରିଛନ୍ତି । ଆମ ସଂକଳ୍ପ ପତ୍ରରେ ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାକୁ ଆମେ ବର୍ଷେ ମଧ୍ୟରେ ସୁନିଶ୍ଚିତ କରିଛୁ । ପ୍ରଥମ ୭ମାସ ମଧ୍ୟରେ ଓଡ଼ିଶାକୁ ଏକ ସମ୍ଭାବନାର ରାଜ୍ୟ ଭାବେ ଘୋଷଣା କରିଛନ୍ତି । ସଂସଦରେ ମଧ୍ୟ ମୋଦି ଜୀ କହିଛନ୍ତି, ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ୍ ଓଡ଼ିଶା ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ଉଦ୍ୟୋଗ କ୍ଷେତ୍ର ସୁଦୃଢ ହେବାକୁ ଯାଉଛି । ନିବେଶକଙ୍କ ସଂଖ୍ୟା ବୃଦ୍ଧି ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ଡ.ମହାଲିଙ୍ଗ । ସେହିପରି ପ୍ରାୟ ୧୭ ଲକ୍ଷ ଲକ୍ଷପତି ଦିଦି ଆମେ ସୃଷ୍ଟି କରିଛନ୍ତି । ସୁଭଦ୍ରା ଯୋଜନାରେ ବାର୍ଷିକ ୧୦ ହଜାର ଟଙ୍କା ସେମାନଙ୍କୁ ଅଧିକ ସହଯୋଗ କରାଯାଉଛି । ରାଜ୍ୟ ସରକାରଙ୍କ ଏହା ସବୁଠାରୁ ବଡ଼ ଉପଲବ୍ଧି ବୋଲି କହିଛନ୍ତି ।
ସେହିପରି କୃଷି କ୍ଷେତ୍ରରେ ଆମେ ଅନେକ ପଦକ୍ଷେପ ନେଇଛୁ । ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରି କୃଷି କ୍ଷେତ୍ରରେ ଅଗ୍ରଗତି କରିବାରେ ପୂର୍ବ ସରକାର ବିଫଳ ହୋଇଥିଲେ । ରାଜ୍ୟ ସରକାର ସମୃଦ୍ଧ କୃଷିକୁ ଗୁରୁତ୍ୱ ଦେଇ ୩୭ ହଜାର ୮୩୮ କୋଟି ଟଙ୍କାର ବଜେଟ୍ ବ୍ୟୟ ବରାଦ କରିଛନ୍ତି । ସେହିପରି ୮୦୦ ଟଙ୍କା ଇନପୁଟ୍ ସବସିଡ୍ ଦେଇ କୃଷକମାନଙ୍କ ପରିବାର ଆୟ ବଢ଼ାଯାଇଛି । ରାଜ୍ୟର ଚାଷୀ ୩୦ହଜାର କୋଟି ଟଙ୍କା ଆର୍ଥିକ ଲାଭପାଇଛନ୍ତି । ଏହାଛଡ଼ା ପ୍ରାଥମିକ ଶିକ୍ଷାକୁ ବିଜେପି ସରକାର ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତି ପଂଚାୟତରେ ଖୋଲିବାକୁ ଯାଉଛୁ । ଏହା ସହ ଜାତୀୟ ଶିକ୍ଷା ନୀତି ଲାଗୁ କରିଛୁ ।
ଆଦର୍ଶ ବିଦ୍ୟାଳୟରେ ପଛୁଆ ବର୍ଗଠୁ ଆରମ୍ଭ କରି ଆଦିବାସୀ ଦଳିତ ବର୍ଗର ମେଧାବୀ ପିଲାଙ୍କୁ ପାଠ ପଢ଼ାଯିବ । ୧୬ ପ୍ରତିଶତ ବଜେଟ୍ ଶିକ୍ଷା କ୍ଷେତ୍ରକୁ ଦିଆଯାଇଛି ଯାହା କି କେବେ ଦିଆଯାଇନଥିଲା । ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷମାନ ଯୋଜନା ଲାଗୁ କରାଯାଇଛି । ୬୫ ହଜାର ୮୮୧ କୋଟିର ବ୍ୟୟ ବରାଦ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଡବଲ ଇଂଜିନ୍ ସରକାର ଦେଇଥିବା ସଂକଳ୍ପର ୨୧ଟିରୁ ୧୧ଟି କାର୍ଯ୍ୟକାରୀ ହୋଇଛି । ୭ଟି କାର୍ଯ୍ୟ ଆରମ୍ଭ ହୋଇଛି ।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମହାଲିଙ୍ଗ କଳାହାଣ୍ଡି ଜିଲ୍ଲା ପରିପ୍ରେକ୍ଷିରେ କହିଛନ୍ତି, ମୁଖିଗୁଡ଼ା ଇନ୍ଦ୍ରାବତୀରେ ୩୬୦୦ କୋଟିର ପ୍ରକଳ୍ପ ୬୦୦ ମେଗାୱାଟ ପିଏସ୍ପି ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ହେବାକୁ ଯାଉଛି । ବାମ କେନାଲ ଲାଇନିଂ ୫୨ କିମି କରାଯିବ । ୮୦ହଜାର ହେକ୍ଟର ଜମିକୁ ପାଣି ମାଡ଼ିବ । ୨୦୦୦ ଚାକିରି ସୃଷ୍ଟି କରାଯିବାକୁ ଥିବା ବେଳେ ଭରତ ବର୍ଷର ଏହା ତୃତୀୟ ପ୍ରକଳ୍ପ ହେବ । ଏହା ସହିତ ସଂଯୁକ୍ତ ଭାବେ ମୁଖିଗୁଡ଼ାରେ ଏକ ଡାଟା ସେଣ୍ଟର ଯୋଜନା ମଧ୍ୟ ରହିଛି । ଏଥିରେ ୪୦୦ ନୂଆ ଚାକିରି ସୃଷ୍ଟି ହେବ । ଉଭୟ ପ୍ରକଳ୍ପର ନିଯୁକ୍ତି କ୍ଷେତ୍ରରେ କଳାହାଣ୍ଡି ଯୁବ ବର୍ଗ ପାଇବେ ଅଗ୍ରାଧିକାର ଦିଆଯିବ ବୋଲି ମନ୍ତ୍ରୀ ଡ.ମହାଲିଙ୍ଗ ଦୃଢୋକ୍ତି ପ୍ରକାଶ କରିଛନ୍ତି । ରାଜ୍ୟରେ ଦୁଇଟି ସଫ୍ଟୱେର ଟେକ୍ନୋଲୋଜି ପାର୍କ ପରିକଳ୍ପନା କରାଯାଇଛି । ସେଥିରୁ ଗୋଟେ କଳାହାଣ୍ଡି ଜିଲ୍ଲାରେ କରାଯିବାକୁ ଯୋଜନା ରହିଛି ବୋଲି ରାଜ୍ୟସଭା ସାଂସଦ ସୁଜିତ ସେଠ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଧର୍ମଗଡ ବିଧାୟକ ସୁଧିର ପଟ୍ଟଯୋଶୀ, ବିଜେପି ଜିଲ୍ଲା ସଭାପତି ଯୁଗଲ କିଶୋର ପୋଡ, ବରିଷ୍ଠ ସଦସ୍ୟ ଭବେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।