ଭୁବନେଶ୍ୱର, ୧୮/୪: କେନ୍ଦୁଝରର ରେଶ୍ମି ରାମ । ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର କଲେଜରେ ଯୁକ୍ତ ତିନିରେ ପାଠ ପଢୁଛନ୍ତି । ୧୯ବର୍ଷର ରେଶ୍ମିଙ୍କ କାନକୁ ଆଉ ଶୁଭୁନି । ପିଲାଟି ବେଳୁ ତାଙ୍କର ବାକ୍‌ ଶକ୍ତି ଚାଲିଯାଇଥିବା ବେଳେ କିଛିବର୍ଷ ହେବ ଶ୍ରବଣ ଶକ୍ତି ମଧ୍ୟ ଚାଲିଯାଇଛି । ରେଶ୍ମିଙ୍କ ଭଳି ଆଉ ଜଣେ ହେଲେ ଛାତ୍ର ହେଲେ ବ୍ରହ୍ମପୁରର ରୁଦ୍ର ଡାକୁଆ । ଉଭୟେ ଶ୍ରବଣ ଯନ୍ତ୍ର ବ୍ୟବହାର କରୁଛନ୍ତି ।  

ଶ୍ରବଣ ଦୋଷ ଏବେ ଚିନ୍ତାର କାରଣ ପାଲଟିଛି । ହଠାତ୍‌ କମିଯାଉଛି ଶୁଣିବା ଶକ୍ତି । ପାଖରେ ଥାଇ ଡାକିଲେ ମଧ୍ୟ ଉତ୍ତର ମିଳୁନି । ବାରମ୍ବାର ଡାକିବାକୁ  ପଡ଼ୁଛି, ନହେଲେ ଉଚ୍ଚଶବ୍ଦରେ କହିବାକୁ ପଡ଼ୁଛି । ଛୋଟ ପିଲାଙ୍କଠାରୁ ନେଇ ବୟସ୍କଙ୍କ ପର୍ଯ୍ୟନ୍ତ ସଭିଙ୍କର ଏହି ଗୋଟିଏ ସମସ୍ୟା। ଶ୍ରବଣ ଶକ୍ତି  କମିଯିବାର କାରଣ ମଧ୍ୟ ଜଣାପଡ଼ୁନି । 

ରାଜ୍ୟ  ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଗତ ୨ ବର୍ଷ  ମଧ୍ୟରେ ରାଜ୍ୟରେ ମୋଟ ୪୫ହଜାର ୯୦୪ଜଣ  ଶ୍ରବଣବାଧିତ ରୋଗୀ ଚିହ୍ନଟ ହୋଇଛନ୍ତି ।  ସେମାନଙ୍କ ମଧ୍ୟରେ ୧୨ହଜାର ୯୯୫ଜଣ  ଗୁରୁତର ରୋଗୀ ରହିଛନ୍ତି । ଯେଉଁମାନଙ୍କୁ  ଆଦୌ ଶୁଣାଯାଉନି । ମାତ୍ରାଧିକ ଇଅରଫୋନ୍‌ର ବ୍ୟବହାର ସହ ଉଚ୍ଚ ଶବ୍ଦ ଶ୍ରବଣ ଶକ୍ତି ହ୍ରାସ କରୁଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ରଖିଛନ୍ତି । ରାଜ୍ୟରେ ଶ୍ରବଣବାଧିତ ରୋଗୀ ଓ ଏହି  ସମସ୍ୟାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଉଦ୍‌ବେଗ  ପ୍ରକାଶ କରିଛି । ୨୦୨୨-୨୩ରେ ସାରା ରାଜ୍ୟରେ  ମୋଟ ୩୦ହଜାର ୬୦୮ ଶ୍ରବଣବାଧିତ ରୋଗୀଙ୍କୁ  ବିଭାଗ ଚିହ୍ନଟ କରାଯାଇଥିଲା । ପରେ ୨୦୨୪  ଏପ୍ରିଲରୁ ଡିସେମ୍ବର ପର୍ଯ୍ୟନ୍ତ ୧୫ହଜାର ୨୯୬  ରୋଗୀଙ୍କୁ ଠାବ କରାଯାଇଛି । ଚଳିତବର୍ଷ ରିପୋର୍ଟ  ଆସିନି । ଏହି ୨ ବର୍ଷରେ ୧୯୭୭୩ଜଣ ସାମାନ୍ୟ,  ୨୦୧୦୨ଜଣ ମଧ୍ୟମ, ୧୨,୯୯୫ଜଣ ଗୁରୁତର  ରୋଗୀ ରହିଛନ୍ତି । ଏଥିସହ ୬୩୭୫ ଜଣ  ଗମ୍ଭୀର ଶ୍ରବଣବାଧିତ ରୋଗୀ ଚିହ୍ନଟ ହୋଇଛନ୍ତି । 

ବିଭାଗୀୟ ତଥ୍ୟ କହୁଛି, ଏହି ୨ ବର୍ଷରେ  ମୋଟ ୩୯୧୬ଜଣ ଶ୍ରବଣବାଧିତ ରୋଗୀଙ୍କୁ  ସରକାରଙ୍କ ପକ୍ଷରୁ ଶ୍ରବଣଯନ୍ତ୍ର(ହିଅରିଂ ଏଡ୍‌) ପ୍ରଦାନ କରାଯାଇଛି । ସେହିପରି ୯୪୮୯ଜଣ  ରୋଗୀଙ୍କୁ ଥଇଥାନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା  ବେଳେ ୬୩୫ଜଣଙ୍କ କାନରେ ଅସ୍ତ୍ରୋପଚାର  କରାଯାଇଥିଲା । ଶ୍ରବଣ ଶକ୍ତି କମିବାର ମୁଖ୍ୟ କାରଣ  ବର୍ତ୍ତମାନ ହେଡ୍‌ ଫୋନ୍‌ ଓ ଇଅରଫୋନ୍‌ ବୋଲି  ଡାକ୍ତର କହିଛନ୍ତି । କିଛିଦିନ ତଳେ ଇଅରଫୋନ୍‌ର  ମାତ୍ରାଧିକ ବ୍ୟବହାରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ  ମନ୍ତ୍ରାଳୟ ଉଦ୍‌ବେଗ ପ୍ରକାଶ କରିଥିଲା । ଏନେଇ  ସବୁ ରାଜ୍ୟକୁ ମନ୍ତ୍ରାଳୟ ପକ୍ଷରୁ ଚିଠି ହୋଇଥିଲା ।  ଉଚ୍ଚ ଶବ୍ଦରେ ଗୀତ ଶୁଣିବା କିମ୍ବା ଡିଜେ ଶବ୍ଦ  ପାଖରେ ଠିଆ ହେବା ଯୋଗୁ ‘ଟିନାଇଟ୍‌ସ୍‌’(କମ୍‌  ଶୁଣାଯିବା ରୋଗ) ବି ହୋଇପାରେ । 

ଏ ସଂକ୍ରାନ୍ତରେ ସମ୍‌ ଅଲ୍‌ଟିମେଟ୍‌  ମେଡିକେୟାରର ଇଏନ୍‌ଟି ବିଶେଷଜ୍ଞ ଡା.  ରାଧାମାଧବ ସାହୁ କହିଛନ୍ତି, ଇଅରଫୋନ୍‌ ଆଦୌ  ବ୍ୟବହାର କରିବା କଥା ନୁହେଁ । ଯଦି କରୁଛନ୍ତି  ତେବେ ୫୦ ଡେସିବେଲ୍‌ ତଳକୁ ଶବ୍ଦ ଶୁଣିବା  ଦରକାର । ସେହିପରି ଯେଉଁ ଶିଶୁ ଜନ୍ମ ନେଉଛନ୍ତି  ସେମାନଙ୍କ ବଧିର ଦୋଷ ଥିଲେ ସଙ୍ଗେ ସଙ୍ଗେ  କକ୍ଲିଆ ଅପରେସେନ ହେଉଛି । ପ୍ରତିମାସକୁ ସେ  ୫ ଶିଶୁଙ୍କ କକ୍ଲିଆ ଶିଶୁଙ୍କ ଅପରେସନ କରୁଥିବା  କହିଛନ୍ତି । ବିଭାଗୀୟ ସୂଚନା ଅନୁସାରେ, ରାଜ୍ୟରେ  ଶ୍ରବଣ ଜନିତ ରୋଗର ନିରାକରଣ ପାଇଁ କେନ୍ଦ୍ର  ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମିଳିତ  ସହଯୋଗରେ ଜାତୀୟ ଶ୍ରବଣବାଧିତ ନିୟନ୍ତ୍ରଣ ଓ  ଦୂରୀକରଣ କାର୍ଯ୍ୟକ୍ରମ ଚାଲୁରହିଛି । ଏହି ଯୋଜନା  ଅନ୍ତର୍ଗତ ୩୦ଟି ଜିଲ୍ଲାରେ ଥିବା ମୁଖ୍ୟ ଚିକିତ୍ସାଳୟରେ  ଶ୍ରବଣବାଧିତଙ୍କ ପାଇଁ ସ୍ୱତନ୍ତ୍ର କକ୍ଷ ରଖାଯାଇଛି ।  ଯେଉଁଠି ଶ୍ରବଣ ଶକ୍ତି ଫେରାଇଆଣିବାକୁ  ଚିକିତ୍ସା ବ୍ୟବସ୍ଥା ରହିଛି । ସେହିପରି ସରକାରୀସ୍ତରରେ ମାଗଣା ଶ୍ରବଣଯନ୍ତ୍ର ଦିଆଯାଉଛି।