ଭୁବନେଶ୍ୱର, ୧୦/୧୨ : ଦୁଇଗୋଡ ଅଚଳ । ଘରୁ ବାହାରକୁ ଗଲେ ଦରକାର ପଡେ ହ୍ୱିଲଚେୟାର । ହେଲେ ଦୃଢ଼ ଇଚ୍ଛାଶକ୍ତି ଓ ବିଶ୍ୱାସ ଆଜି ଅକ୍ଷମତାକୁ ହରାଇପାରିଛି । ଗାଁରୁ ସହର ଓ ଏବେ ଜାତୀୟସ୍ତରରେ ସେ ସୁନାମ ଆଣିଛନ୍ତି । ଭିନ୍ନକ୍ଷମ ହୋଇଥିବା ସତ୍ତେ୍ୱ ସେ ବନିଛନ୍ତି ସଫଳ ସ୍ୱିମର(ସନ୍ତରଣାକାରୀ) । ଏଭଳି ଜଣେ ଦିବ୍ୟାଙ୍ଗ ପାରା କ୍ରୀଡାବିତ୍ ହେଲେ ରସୁଲଗଡରେ ରହୁଥିବା କବିତା ଦଳାଇ । ଗଂଜାମ ହିଞ୍ଜିଳିକାଟୁ ଅଞ୍ଚଳର ଗିରିଆ ଗାଁରେ କବିତାଙ୍କ ଜନ୍ମ । ବାପା ସ୍ୱରାଜ୍ୟ ଦଳାଇ ଓ ମାଆ ନର୍ମଦାଙ୍କ ସାନ ଝିଅ କବିତା । ଜନ୍ମ ସମୟରେ କବିତା ଠିକ୍ଠାକ୍ ଥିଲେ । କିନ୍ତୁ ଜନ୍ମର ଏକ ବର୍ଷ ପରେ ବଦଳିଗଲା ସବୁକିଛି । କବିତା ପୋଲିଓ ଆକ୍ରାନ୍ତ ହାଇଥିଲେ । ସେବେଠାରୁ ଆରମ୍ଭ ହୋଇଥିଲା କବିତାଙ୍କ ସଂଘର୍ଷ । କିଭଳି ସଂଘର୍ଷ କରି ନିଜେ ନିଜକୁ ବଞ୍ଚାଇ ପାରିବେ ସେନେଇ ପ୍ରୟାସ ଆରମ୍ଭ କରିଥିଲେ । ମାତ୍ର ଦଶମ ଯାଏ ପଢିଥିବା କବିତା ଆର୍ଥିକ ଅଭାବ ଯୋଗୁଁ ଉଚ୍ଚଶିକ୍ଷା କରିପାରିନଥିଲେ । ହେଲେ ସ୍କୁଲସ୍ତରରେ ଜଣେ ଦକ୍ଷ ପାରା ଆଥଲେଟ୍ ଭାବେ ତାଙ୍କର ପ୍ରତିଭା ଚମକିଥିଲା । ଭଲ ସନ୍ତରଣ ସହିତ ହ୍ୟାଣ୍ଡ ବଲ୍ରେ ସେ ମାହିର ।
୨୦୧୯ ମସିହାରେ ଗଂଜାମରୁ ଆସିଥିଲେ ଭୁବନେଶ୍ୱର । ଘରୋଇ କପଡା କମ୍ପାନୀରେ କାମ କରିବା ସହ ୨୦୨୩-୨୪ ମସିହାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ କରିଥିଲେ ସନ୍ତରଣ ଓ ହ୍ୟାଣ୍ଡ ବଲ୍ର ଅଭ୍ୟାସ । ସେଠାରେ ବିନା ମୂଲ୍ୟରେ ସନ୍ତରଣ ପାଇଁ ତାଲିମ ନେଇଥିଲେ । ନିଜ ଲକ୍ଷ୍ୟପଥରେ ଅଗ୍ରସର ହୋଇଥିବା କବିତା ୨୦୦୨୩- ୨୪ରେ ଗ୍ୱାଲିଅରରେ ଅନୁଷ୍ଠିତ ଏକ ଜାତୀୟସ୍ତରୀୟ ପାରା ପ୍ରତିଯୋଗିତାରେ ସ୍ୱିମିଂ ବିଭାଗରେ ୩ଟି ରୌପ୍ୟ ପଦକ ଜିତିଥିଲେ । ଏହାପରେ ୨୦୨୪ରେ ଗୋଆରେ ଆୟୋଜିତ ଜାତୀୟ ପାରା ସ୍ୱିମିଂ ପ୍ରତିଯୋଗିତାରେ ୨ଟି ରୌପ୍ୟ, ଗୋଟିଏ ବ୍ରୋଞ୍ଜ ଓ ଚଳିତବର୍ଷ ହାଇଦ୍ରାବାଦରେ ଆୟୋଜିତ ପାରା କ୍ରୀଡା ପ୍ରତିଯୋଗିତାରେ ସ୍ୱିମିଂ ବର୍ଗରେ ଗୋଟିଏ ସ୍ୱର୍ଣ୍ଣ ଓ ୨ଟି ରୌପ୍ୟ ପଦକ ଜିତିଥିଲେ ।
ଦିନେ ଗାଁ ପୋଖରୀରେ ସ୍ୱିମିଂ ଶିଖୁଥିବା କବିତା ଆଜି ବଡବଡ ପ୍ରତିଯୋଗିତାରେ ଭାଗ ନେଇ ସ୍ୱିମିଂରେ ଦକ୍ଷତା ଦେଖାଇଛନ୍ତି । ମେଡାଲ ବି ଜିତିଛନ୍ତି । ରାଜ୍ୟକୁ କରିଛନ୍ତି ଗୌରବାନ୍ୱିତ । ହେଲେ କବିତାଙ୍କ ମନରେ ଅନେକ କ୍ଷୋଭ ରହିଛି । ନା ତାଙ୍କୁ କୌଣସି ପ୍ରୋତ୍ସାହନ ମିଳୁଛି, ନା ମିଳୁଛି ସୁଯୋଗ । ତଥାପି ନିଜ ଶିଙ୍ଗରେ ମାଟି ତାଡିବା ଭଳି କବିତା ଆଗେଇଚାଲିଛନ୍ତି ଲକ୍ଷ୍ୟ ପଥରେ । କିଭଳି ଅନ୍ତର୍ଜାତୀୟ ସ୍ତରରେ ମେଡାଲ ଜିତିବେ, ସେନେଇ କରୁଛନ୍ତି ଦିନରାତି ଅଭ୍ୟାସ କରୁଛନ୍ତି ଦିବ୍ୟାଙ୍ଗ କବିତା । ଏବେ ଚାକିରୀ କରି ସେଥିରୁ ଯାହା ରୋଜଗାର କରୁଛନ୍ତି, ସେଥିରେ ଅଧିକ ତାଲିମ୍ ନେଉଛନ୍ତି । ଯଦି ସରକାରଙ୍କ ତରଫରୁ ତାଙ୍କୁ ପ୍ରୋତ୍ସାହନ ମିଳନ୍ତା ତେବେ ସେ ଅଧିକ ରୁ ଅଧିକ ପ୍ରତିଯୋଗିତାରେ ଭାଗ ନେଇପାରନ୍ତେ ବୋଲି କହିଛନ୍ତି ।