ଭୁବନେଶ୍ବର, ୨୧/୦୫: ଏ ଖବର “ଖବର ନୁହେଁ, ଚେତାବନୀ ବୋଲି ଭାବନ୍ତୁ । ଆସନ୍ତା ୩୦ ତାରିଖ ଯାଏଁ ଜଳିବ ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରୀ ଚଢ଼ିବ ପାରଦ । ଗୋଟିଏ ଘଣ୍ଟା ଖରାରେ ଠିଆ ହେଲେ… ହୃଦଘାତ, ଅଂଶୁଘାତ ସମ୍ଭାବନା ବି ଢେର୍ ଅଧିକ ଅଛି । ପାଣିପାଗକୁ ନେଇ ସତର୍କ କରାଇଲେ ସୋଆ ସିଇସି ନିର୍ଦ୍ଦେଶକ ଡା ଶରତ ସାହୁ ।
ସେ କହିଛନ୍ତି, ବଙ୍ଗୋପ ସାଗରରୁ ଯେଉଁ ପବନ ଆସୁଛି, ତାହା କାଳବୈଶାଖୀ ଆଣିପାରୁନାହିଁ । ଦିନ ବେଳା ଆକାଶ ମେଘମୁକ୍ତ, ରାତି ବାଦଲଯୁକ୍ତ ରହୁଛି । ଅର୍ଥାତ୍ ତାତି ଆସିବା ବାଟ ଖୋଲା, ଯିବା ବାଟ ବନ୍ଦ’। ଆକାଶର ଯେଉଁ ବାଦଲ ତିଆରି ହେଉଛି ତାହା ଏଭଳି ସଙ୍କେତ ଦେଉଛି ବୋଲି ଡା ଶରତ ସାହୁ କହିଛନ୍ତି । ଏହାର କାରଣ ହେଉଛି ପଶ୍ଚିମ ଓଡ଼ିଶାକୁ ଉତ୍ତର-ପଶ୍ଚିମ ଦିଗରୁ ଗରମ ଶୁଷ୍କ ପବନ ମାଡୁଛି । ସମୁଦ୍ର ପବନ ଆସୁଛି ସତ, ହେଲେ ଏତେ ଦୁର୍ବଳ ଯେ କାଳବୈଶାଖୀ କରିପାରିବନି । ଫଳରେ ଆଭ୍ୟନ୍ତରୀଣ ଓଡ଼ିଶା ୪୫ ଡିଗ୍ରୀ ଛୁଇଁବା ସହିତ ଉପକୂଳ ଅଞ୍ଚଳରେ ବି ପ୍ରଚଣ୍ଡ ଗରମ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି ।
ସେହିପରି ତାପମାତ୍ରା ଯାହା ରହୁଛି ପାଣିପାଗ ସ୍ଥିତି ଯୋଗୁଁ ଆହୁରି ୧୫-୨୦ ଡିଗ୍ରୀ ତାପମାତ୍ରା ବଢ଼ି ସେହି ତାପମାତ୍ରା ଫିଲ୍ ଲାଇକ୍ ହେଉଛି। ମାନେ ୩୫ ଡିଗ୍ରୀ ଥିଲେ ୫୫ ଡିଗ୍ରୀ ଏବଂ ୪୫ ଡିଗ୍ରୀ ଥିଲେ ୬୫ ଡିଗ୍ରୀ ଭଳି ଅନୁଭୂତ ହେଉଛି । ତେଣୁ ଖରାକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ସୋଆ ସିଇସି ନିର୍ଦ୍ଦେଶକ ଡା ଶରତ ସାହୁ ।
ଅଧିକ ପଢନ୍ତୁ- Severe Heat Wave Alert: ଅସହ୍ୟ ତାତିରେ ଜଳୁଛି ଓଡ଼ିଶା, ୨୪ ଯାଏ ପ୍ରଚଣ୍ଡ ଗ୍ରୀଷ୍ମଜ୍ବାଳା, ସପ୍ତାହକ ଭିତରେ ଖସିବନି ତାତି