ନୂଆଦିଲ୍ଲୀ ୧୨/୦୬: ଭାରତରେ ଏବେ ଜଳବାୟୁ ପରିବର୍ତ୍ତନର ସ୍ପଷ୍ଟ ଓ ଅତ୍ୟନ୍ତ ଭୟଙ୍କର ରୂପ ଦେଖିବାକୁ ମିଳୁଛି । ବନ୍ୟଜୀବ ଓ ପାଣିପାଗ ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ ହେଉଛି । ସବୁଠୁ ଚିନ୍ତାଜନକ ସ୍ଥିତି ହିଟ୍ୱେଭ୍, ଯାହା ଗତ କିଛି ବର୍ଷ ମଧ୍ୟରେ ନାଟକୀୟ ଭାବେ ବୃଦ୍ଧି ହୋଇଛି । ଏଥିରୁ ସ୍ପଷ୍ଟ ହୋଇଛି, ଭାରତ ଗୋଟିଏ ପଟେ ଗମ୍ଭୀର ପରିବେଶଗତ ଆହ୍ୱାନର ସମ୍ମୁଖୀନ ହେଉଛି । ଅନ୍ୟପକ୍ଷେ, ଟେକ୍ନୋଲୋଜି ଓ ସଂରକ୍ଷଣ ଜରିଆରେ ଏହାର ମୁକାବିଲା କରିବାକୁ ମଧ୍ୟ ଚେଷ୍ଟା କରୁଛି ।
ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ତରଫରୁ ଜାରି ରିପୋର୍ଟ ଅନୁସାରେ, ଭାରତରେ ଜଳବାୟୁ ପରିବର୍ତ୍ତନ ଯୋଗୁ ହିଟୱେଭ୍ ଘଟଣା ଲଗାତାର ବଢୁଛି । ଗତ ୧୩ ବର୍ଷର ରେକର୍ଡ ଉପରେ ଯଦି ନଜର ପକାଇବା, ଭାରତରେ ହିଟୱେଭ୍ର ଦିନ ସଂଖ୍ୟା ଦୁଇଗୁଣ ହୋଇଛି । ୨୦୧୩ରେ ଦେଶରେ ହାରାହାରି ୧୦୦ ଦିନ ହିଟୱେଭ୍ ରେକର୍ଡ ହୋଇଥିଲା । ଏବେ ଏହି ସଂଖ୍ୟା ବଢ଼ି ୨୦୦ ଦିନରେ ପହଞ୍ଚିଛି । ସରକାର ସଂସଦରେ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ, ୨୦୨୪ରେ ଭାରତୀୟ କ୍ଷେତ୍ରରେ ରେକର୍ଡ ୫୫୪ ହିଟୱେଭ୍ ଦିନ ଦେଖିବାକୁ ମିଳିଥିଲା । ୨୦୨୩ରେ ଏହି ସଂଖ୍ୟା ୨୩୦ ଦିନ ଥିଲା । ଅର୍ଥାତ୍ ମାତ୍ର ୧ ବର୍ଷ ମଧ୍ୟରେ ହିଟୱେଭ୍ର ଦିନ ସଂଖ୍ୟାରେ ଦି’ଗୁଣରୁ ଅଧିକ ବୃଦ୍ଧି ହୋଇଛି । ବିଶ୍ୱ ଉତ୍ତାପନ ଓ ସ୍ଥାନୀୟ ପାଣିପାଗ ପରିବର୍ତ୍ତନ କେତେ ଦ୍ରୁତ ବେଗରେ ଭାରତକୁ କବଳିତ କରୁଛି, ଏହା ଦର୍ଶାଉଛି ।
ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ଯେତେବେଳେ କୌଣସି କ୍ଷେତ୍ରରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠୁ ୪.୫ ଡିଗ୍ରୀ ସେଲ୍ସିୟସ୍ କିମ୍ବା ତା’ଠୁ ଅଧିକ ହୋଇଯାଏ ଏବଂ ଏହି ସ୍ଥିତି ଅତିକମ୍ରେ ୨ ଦିନ ଯାଏ ବଜାୟ ରହେ, ତେବେ ତାକୁ ହିଟୱେଭ୍ କୁହାଯାଏ । ସମତଳ ଅଞ୍ଚଳରେ ୪୦ ଡିଗ୍ରୀ ସେଲ୍ସିୟସ୍ ଓ ପାହାଡ଼ିଆ ଅଞ୍ଚଳରେ ୩୦ ଡିଗ୍ରୀ ସେଲ୍ସିୟସ୍ରୁ ଉଦ୍ଧ୍ୱର୍ ତାପମାତ୍ରା ହିଟୱେଭ୍ ଶ୍ରେଣୀଭୁକ୍ତ । ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ତଥ୍ୟରୁ ସ୍ପଷ୍ଟ ହେଉଛି, ୨୦୧୩ ତୁଳନାରେ ବର୍ତ୍ତମାନ ହିଟୱେଭ୍ର ଦିନ ସଂଖ୍ୟା ଦୁଇଗୁଣ ହୋଇଛି । ପୂର୍ବରୁ ହିଟୱେଭ୍ ମୁଖ୍ୟତଃ ଏପ୍ରିଲ-ମେ’ରେ ସୀମିତ ରହୁଥିଲା, ଏବେ ମାର୍ଚ୍ଚରୁ ଜୁନ୍ ଯାଏ ଏବଂ ବେଳେବେଳେ ଜୁଲାଇରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଉତ୍ତର ଭାରତ, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ ଓ ପୂର୍ବ ଭାରତର ଅନେକ ସ୍ଥାନରେ ହିଟୱେଭ୍ର ଅବଧି ଓ ତୀବ୍ରତା ବଢ଼ିଛି । ୨୦୨୪-୨୦୨୫ ଗ୍ରୀଷ୍ମକାଳରେ ଅନେକ ରାଜ୍ୟରେ ୪୦-୪୫ ଡିଗ୍ରୀ ସେଲ୍ସିୟସ୍ରୁ ଉଦ୍ଧ୍ୱର୍ ତାପମାତ୍ରା ଅନେକ ସପ୍ତାହ ଯାଏ ବଜାୟ ରହିଥିଲା, ଯାହା ରେକର୍ଡ ଭାଙ୍ଗିଥିଲା ।
ଜଳବାୟୁ ପରିବର୍ତ୍ତନ ଯୋଗୁ ବୈଶ୍ୱିକ ତାପମାତ୍ରା ବଢୁଛି । ଭାରତରେ ହାରାହାରି ତାପମାତ୍ରା ୦.୬ରୁ ୦.୭ ଡିଗ୍ରୀ ସେଲ୍ସିୟସ ବଢ଼ିଛି । ଗ୍ରୀନ୍ହାଉସ୍ ଗ୍ୟାସ୍ ବୃଦ୍ଧି ମାତ୍ରା ବାୟୁମଣ୍ଡଳକୁ ଗରମ କରୁଛି । ମାନବୀୟ ଗତିବିଧି ଯଥା- ଜୀବାଶ୍ମ ଇନ୍ଧନର ଉପଯୋଗ, ଜଙ୍ଗଲକଟା, ସହରୀକରଣ ଓ ଔଦ୍ୟୋଗୀକରଣ ଏହି ବୃଦ୍ଧିର ମୁଖ୍ୟ କାରଣ । ଜଳବାୟୁ ମଡେଲ ଅନୁସାରେ, ଯଦି ବିଶ୍ୱ ତାପନ ଏହିଭଳି ଭାବେ ଜାରି ରହେ, ତେବେ ୨୦୫୦ ଯାଏ ହିଟ୍ୱେଭ୍ ସଂଖ୍ୟା ଓ ଅବଧି ଆହୁରି ଅଧିକ ବଢ଼ିବ ।
ଆହୁରି ପଢ଼ନ୍ତୁ...Weather Forecast ଏଥର ସୁପର ଏଲ୍-ନିନୋ: ୩ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ତାତି କମିବନି