ଭୁବନେଶ୍ୱର,୧୨/୦୬: ପାଗରେ ପରିବର୍ତ୍ତନ ଦେଖାଯାଉନି । ପବନର ଦିଗ ବି ବଦଳିନି । ତଥାପି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍ଡି) ଆଶା ବାନ୍ଧିଛି, ଆସନ୍ତା ୨-୩ ଦିନ ଭିତରେ ମୌସୁମୀ ଓଡ଼ିଶା ଛୁଇଁବ । କିନ୍ତୁ, ବିଶେଷଜ୍ଞଙ୍କ ଆଶଙ୍କା ହେଲା, ମୌସୁମୀ ଆରମ୍ଭରେ ସେମିତି ପ୍ରଭାବୀ ରହିନପାରେ । ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା କମ୍ । ମୌସୁମୀକୁ ଶକ୍ତିଶାଳୀ କରିବାକୁ ଲଘୁଚାପ ସୃଷ୍ଟି ହେଲା ଭଳି ସମ୍ଭାବନା ଦେଖାଯାଉନି । ଏମିତି ସ୍ଥିତିରେ ମୌସୁମୀ ଆସିଲେ ବି ରାଜ୍ୟରେ ଏବେ ଗରମରୁ ବଡ଼ ଧରଣର ଆଶ୍ୱସ୍ତି ମିଳିବା ଆଶା କମ୍ ।

ଏପଟେ ଆମେରିକାର ପାଣିପାଗ ସଂସ୍ଥା ନୋଆ ଆଜି ଘୋଷଣା କରିଛି, ଏଲ୍ନିନୋ ଆସିଗଲା । ଏହାର ପ୍ରଭାବ ପ୍ରଶାନ୍ତ ମହାସାଗରରେ ଅନୁଭୂତ ହେଲାଣି । ଏଥର ଏଲ୍‌-ନିନୋ ବେଶ୍ ଶକ୍ତିଶାଳୀ ହେବ । ନଭେମ୍ବରରୁ ଜାନୁଆରୀ ଭିତରେ ଅତ୍ୟନ୍ତ ଶକ୍ତିଶାଳୀ ହେବାର ୬୩% ସମ୍ଭାବନା ଅଛି । ଅନୁମାନ କରାଯାଉଛି, ୧୯୫୧ରୁ ଏବେ ସୁଦ୍ଧା ଯେତେ ଏଲ୍-ନିନୋ ଆସିଛି, ଏଥର ସବୁଠାରୁ ଶକ୍ତିଶାଳୀ ହୋଇପାରେ । ଏହା ସୁପର ଏଲ୍-ନିନୋ ରୂପ ନେବା ନେଇ ବିଭିନ୍ନ ପାଣିପାଗ ସଂସ୍ଥା ଏବଂ ବିଶେଷଜ୍ଞ ଏବେଠାରୁ ସତର୍କ କରାଇଲେଣି ।

ପାଣିପାଗ ବିଶେଷଜ୍ଞଙ୍କ ଆଶଙ୍କା ଏଲ୍-ନିନୋ ଯୋଗୁ ଏଥର ମୌସୁମୀ ପ୍ରକ୍ରିୟା ପୂରା ବିଗିଡ଼ି ଯାଇପାରେ । ଅନିୟମିତ ହେବ ବର୍ଷା । କେତେବେଳେ ପ୍ରବଳ, କେତେବେଳେ ଶୁଖିଯିବ । ମଝିରେ ମଝିରେ ଗାଏବ ହୋଇଯିବ ମୌସୁମୀ । ଓଡ଼ିଶା ସମେତ ସାରା ଭାରତରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ରହିଛି । ଚଳିତବର୍ଷ ଓଡ଼ିଶାରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିବା ଆକଳନ କରାଯାଇଥିବାବେଳେ ଜୁନ୍ରେ ବର୍ଷା ଅଭାବ ରହିପାରେ । ଜୁନ୍ ପହିଲାରୁ ଏଯାଏଁ ରାଜ୍ୟରେ ୪୨% ବର୍ଷା ନିଅଣ୍ଟିଆ ଅଛି । ହେବା କଥା ୪୧.୧ ମିଲିମିଟର, ହୋଇଛି ମାତ୍ର ୨୩.୭ ମିମି । ନୟାଗଡ଼କୁ ଛାଡ଼ିଦେଲେ ମୋଟାମୋଟି ସବୁଠି ବର୍ଷା କମ୍ ରହିଛି । ପଶ୍ଚିମ, ଉତ୍ତର, କେନ୍ଦ୍ରୀୟ ଓଡ଼ିଶା ପୂରା ଶୁଖିଲା ପଡ଼ିଛି ।

ପାଣିପାଗ ବିଶେଷଜ୍ଞ କହିଛନ୍ତି, ପୂର୍ବରୁ ଏଲ୍‌-ନିନୋ ବର୍ଷରେ ବି ଓଡ଼ିଶାରେ ଅନେକ ସମୟରେ ସ୍ୱାଭାବିକ ବର୍ଷା ରହିଛି । କିନ୍ତୁ, ଏଥର ସ୍ଥିତି ପୂରା ଅଲଗା । ସାଧାରଣତଃ ଏଲ୍-ନିନୋ ବର୍ଷଗୁଡ଼ିକରେ ପ୍ରଶାନ୍ତ ମହାସାଗରର ପୂର୍ବ ଓ କେନ୍ଦ୍ରୀୟ ଭାଗରେ ସମୁଦ୍ର ଜଳ ଉତ୍ତପ୍ତ ହୋଇଥାଏ । ମାତ୍ର ଏଥର ପ୍ରଶାନ୍ତ ମହାସାଗରର ସବୁ ଅଞ୍ଚଳରେ ସମୁଦ୍ର ଜଳରାଶି ତାତିଗଲାଣି । ଦ୍ରୁତ ଗତିରେ ଏହା ଉତ୍ତପ୍ତ ହେଉଛି । ଆକ୍ୟୁ ୱେଦର ପୂର୍ବାନୁମାନ କରିଛି, ସୁପର ଏଲ୍ନିନୋ ହେବାର ୪୦% ସମ୍ଭାବନା ରହିଛି ।

ପାଣିପାଗ ବୈଜ୍ଞାନିକ ବିଶ୍ୱଜିତ ସାହୁଙ୍କ କହିବାନୁସାରେ ଏଲ୍-ନିନୋ ପ୍ରଭାବରେ ଓଡ଼ିଶାରେ ବର୍ଷା କମିପାରେ । ବିଶେଷ କରି ଉତ୍ତର ଓଡ଼ିଶାରେ (ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଝାରସୁଗୁଡ଼ା ଇତ୍ୟାଦି) ଏବଂ ଦକ୍ଷିଣର କୋରାପୁଟ ଏବଂ ମାଲକାନଗିରିରେ ମୌସୁମୀ ବର୍ଷା ଅଧିକ ନିଅଣ୍ଟିଆ ରହିପାରେ । ବାକି ଅଞ୍ଚଳରେ ବର୍ଷା କମ୍ ରହିଲେ ମଧ୍ୟ ଉତ୍ତର ଓଡ଼ିଶା ତୁଳନାରେ ଅପେକ୍ଷାକୃତ ଭଲ ରହିବ । ଏଥର ପଶ୍ଚିମ ଏବଂ ଉତ୍ତର ଭାରତରେ ଏଲ୍-ନିନୋ ବେଶି ପ୍ରଭାବିତ କରିପାରେ ।

 

ପାଣିପାଗ ବିଭାଗ କହିଛି, ୧୨ ଜୁନରୁ ୧୮ ତାରିଖ ଭିତରେ ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଥିବାବେଳେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । କିନ୍ତୁ, ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଆଭ୍ୟନ୍ତରୀଣ ଓ ପଶ୍ଚିମରେ ପାରଦ ୩୮ରୁ ୪୦ ଡିଗ୍ରୀ, ଉପକୂଳ ଏବଂ ଉତ୍ତର ଉପକୂଳରେ ପ୍ରାୟତଃ ୩୬ରୁ ୩୮ ଡିଗ୍ରୀ ସେଲସିୟସ୍ ରହିପାରେ । ସେହିପରି ୧୯ରୁ ୨୫ ତାରିଖ ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ୩୮ ୪୦ ଡିଗ୍ରୀ ଏବଂ ଉପକୂଳର କିଛି ଜାଗାରେ ୩୬ରୁ ୩୮ ଡିଗ୍ରୀ ତାପମାତ୍ରା ରହିପାରେ । ହାଲୁକାରୁ ମଧ୍ୟମ ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ମଧ୍ୟ ଅଛି । ତେବେ ୧୯ରୁ ୨୫ ତାରିଖ ଭିତରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂଣ୍ଣି ର୍ବଳୟ କିମ୍ବା ଲଘୁଚାପ ହୋଇପାରେ ।

ଅଧିକ ପଢ଼ନ୍ତୁ :-  Free Bus Service : ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍ ସେବା, ଆଡମିଟ୍ କାର୍ଡ ଦେଖାଇଲେ ମିଳିବ ସୁବିଧା

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଗତ କିଛିଦିନ ହେବ ଉତ୍ତର ଆରବ ସାଗରର ବାୟୁମଣ୍ଡଳ ଉପରିଭାଗରେ ଗୁରୁଚାପ ଯୋଗୁ ମୌସୁମୀ ବିଶେଷ ଅଗ୍ରସର ହୋଇପାରୁନି । ୧୪ରୁ ୧୭ ତାରିଖ ଭିତରେ ମୌସୁମୀ ଓଡ଼ିଶା ଛୁଇଁପାରେ । ପ୍ରଥମେ ବଡ଼ ଧରଣର ବର୍ଷା ହୋଇନପାରେ । ୧୮ରୁ ୨୦ ତାରିଖ ଭିତରେ ଭଲ ବର୍ଷା ହୋଇପାରେ । ୧୮ ତାରିଖ ପରେ ହିଁ ତାତି କମିପାରେ । କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୧୨-୧୩ ତାରିଖ ମଧ୍ୟରେ ଓଡ଼ିଶାର କେତେକ ଅଞ୍ଚଳରେ ମୌସୁମୀ ପ୍ରବେଶ କରିପାରେ । ସମଗ୍ର ଉପକୂଳରେ ମୌସୁମୀ ବ୍ୟାପକ ଭାବେ ପ୍ରବେଶ କରିବ । ଏହାପରେ କିଛି ଦିନ ପାଇଁ ଧିମା ହେବ । ଜୁନ୍ ତୃତୀୟ ସପ୍ତାହ ଆଡ଼କୁ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଆଡ଼କୁ ଯାଇପାରେ ।