ମାଲକାନଗିରି/କାଲିମେଳା, ୨/୯: ପ୍ରବଳ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା। ପୋଲ ଉପରେ ୩ରୁ ୪ ଫୁଟ ଉଚ୍ଚର ପାଣି । ଫଳରେ ଯାନବାହନ ଚଳାଚଳ ଠପ । ସୂଚନା ମୁତାବକ, ସୋମବାର ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ସମଗ୍ର ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗିରହିଥିଲା। ଫଳରେ ଜିଲ୍ଲାର କାଲିମେଳା କନ୍ୟାଶ୍ରମ ପୋଲ ଓ ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ କାଙ୍ଗୁରକୋଣ୍ଡା ବ୍ରିଜ ଉପରେ ପ୍ରାୟ ୩ରୁ ୪ଫୁଟ ଉଚ୍ଚର ପାଣି ଯୋଗୁଁ ଯାତାୟାତ ବାଧାସୃଷ୍ଟି ହୋଇଛି। ସେହିପରି କାଙ୍ଗୁରକୋଣ୍ଡା ପୋଲର ଉଭୟ ପାର୍ଶ୍ଵ ଜାତୀୟ ରାଜପଥରେ ଆଜି ସକାଳୁ ଶତାଧିକ ଗାଡି ଅଟକି ରହିଛି।
ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ଯୋଗୁଁ ଗତକାଲିଠାରୁ ସମଗ୍ର ଜିଲ୍ଲାରେ ବର୍ଷା ଲାଗିରହିଛି। ଫଳରେ ବିଭିନ୍ନ ନଦୀ ନାଳ, ଜଳଭଣ୍ଡରେ ଜଳସ୍ତର ବୃଦ୍ଧି ପାଇଛି। ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ହାରାହାରି ୩୭. ୭୭ମିଲିମିଟର ବର୍ଷା ହୋଇଛି। ମାଲକାନଗିରି ବ୍ଲକ ରେ ୪୮. ୪ ମିଲିମିଟର ବର୍ଷା, ମାଥିଲି ବ୍ଲକରେ ୧୦ ମିଲିମିଟର ବର୍ଷା, ଖଇରପୁଟ ବ୍ଲକରେ ୪୨ ମିଲିମିଟର ବର୍ଷା, କୋରୁକୋଣ୍ଡା ବ୍ଲକରେ ୩୫ ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ ୫୯ମିଲି ମିଟର, କାଲିମେଳା ବ୍ଲକରେ ୫୨ ମିଲି ମିଟର, ପଡିଆ ବ୍ଲକରେ ୧୮ ମିଲିମିଟର ବର୍ଷା ହୋଇଥିବା ନେଇ ଜିଲ୍ଲା ଜରୁରୀକାଳୀନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ସେପଟେ ଲଘୁଚାପ ବର୍ଷା ଯୋଗୁଁ ମାଲକାନଗିରି ତଳୁଆ ଅଞ୍ଚଳରେ ବନ୍ୟା ପରିସ୍ଥିତିର ଆଶଙ୍କାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିସହିତ ସଜାଗ ରହିବା ପାଇଁ ବିଡିଓ, ତହସିଲଦାରମାନଙ୍କୁ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ନିର୍ଦ୍ଦେଶ ଦେଇଛନ୍ତି।