ଭୁବନେଶ୍ୱର,୩୦/୦୬: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ଭୟ ବଢ଼ିଯାଇଛି । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀ ଫୁଲିବାରେ ଲାଗିଛି । ରବିବାର ରାତି ୧୧ଟାରେ ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀ ଜଳସ୍ତର ବିପଦ ସଙ୍କେତ ସ୍ତର ଛୁଇଁଛି । ବୁଢ଼ାବଳଙ୍ଗ ନଦୀ ଜଳସ୍ତର ବଢୁଛି ଓ ସୋମବାର ସୁଦ୍ଧା ବିପଦ ସଙ୍କେତ ସ୍ତର ଛୁଇଁପାରେ ବୋଲି ଅନୁମାନ କରାଯାଉଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସ୍କୁଲ ଦିନ ବନ୍ଦ ରହିବ । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ୩୦ ତାରିଖ ସୋମବାରଠୁ ୩ ଦିନ ଯାଏ ଜିଲ୍ଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ ହେମକାନ୍ତ ସୟ । ଏଚ୍‌ଏସ୍‌ସି ସପ୍ଲିମେଣ୍ଟାରୀ ପରୀକ୍ଷା ଯଥାରୀତି ଚାଲୁ ରହିବ ବୋଲି ସୂଚନା ରହିଛି।

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସୋମବାର ବାଲେଶ୍ୱର ଓ ମୟୂରଭଞ୍ଜର ସମେତ ଅଧିକାଂଶ  ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା  ସମ୍ଭାବନା ରହିଛି । ଏଥିପାଇଁ ଦୁଇ ଜିଲ୍ଲାର ପ୍ରଶାସନକୁ ବନ୍ୟା ଚିନ୍ତା ଘାରିଲାଣି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଲାଂଦେଶ ଉପକୂଳରେ ଆଜି ଅପରାହ୍ନରେ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ଦୁଇ ଦିନରେ ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ମୁହାଁ ହୋଇ ଉତ୍ତର ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଆଡ଼କୁ ଗତି କରିବ । ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।  

୩୦ ତାରିଖ(ସୋମବାର)ରୁ ୫  ତାରିଖ ଯାଏ) ରାଜ୍ୟର ବହୁ  ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଆକଳନ କରିଛି । ଝାଡ଼ଖଣ୍ଡ ସମେତ ମୟୂରଭଞ୍ଜ  ଓ ବାଲେଶ୍ୱରରେ ପ୍ରବଳରୁ  ଅତିପ୍ରବଳ ବର୍ଷା ପାଇଁ ସୁବର୍ଣ୍ଣରେଖା, ବୁଢାବଳଳଙ୍ଗ ଓ ଜଳକା ନଦୀ  ଜଳସ୍ତର ବଢୁଛି । ରବିବାର ଅପରାହ୍ନ  ୩ଟା ସୁଦ୍ଧା ସୁବର୍ଣ୍ଣରେଖା ନଦୀର  ରାଜଘାଟଠାରେ ଜଳସ୍ତର ୮.୪୧ ମିଟର ଥିଲା । ଏଠାରେ ନଦୀର ବିପଦ  ସଙ୍କେତ ସ୍ତର ହେଉଛି ୧୦.୩୬  ମିଟର । କିନ୍ତୁ ରାତି ୧୧ଟା ସୁଦ୍ଧା  ନଦୀର ଜଳସ୍ତର ୧୦.୩୬ ମିଟର  ପହଞ୍ଚିବା ସହିତ ବିପଦ ସଙ୍କେତ ଛୁଇଁ ଯାଇଛି । ବୁଢ଼ାବଳଙ୍ଗ ନଦୀର  ଗୋବିନ୍ଦପୁର ଠାରେ ଜଳସ୍ତର ୬.୯୪  ମିଟର ରହିଛି ।

ଏଠାରେ ବିପଦ ସଙ୍କେତ ସ୍ତର ରହିଛି ୮.୧୩  ମିଟର । ରାତି ୯ଟା ବେଳକୁ ଜଳସ୍ତର ୭.୨୨ ଓ  ରାତି ୧୧ ଟା ବେଳକୁ ୭.୨୪ ମିଟର ଥିଲା । ଜଳସ୍ତର ଏବେ ସତର୍କ ସଙ୍କେତ ଉପରେ ଚାଲିଛି । ନଦୀ  ବଢୁଥିବାରୁ ସୋମବାର ସକାଳ ସୁଦ୍ଧା ବିପଦ ସଙ୍କେତ ଛୁଇଁ ଯାଇପାରେ । ଜଳକା ନଦୀରେ ମାଥାନିରେ ଜଳସ୍ତର ୬.୬୫ ମିଟର ରହିଛି । ବିପଦ ସଙ୍କେତ ସ୍ତର ହେଉଛି ୬.୫୦ ମିଟର ଥିବାବେଳେ ରାତି ୧୧ଟା ବେଳକୁ ଜଳସ୍ତର ୭.୧୩ ମିଟର ଥିଲା ।  

ସୁବର୍ଣ୍ଣରେଖା ନଦୀରେ ରବିବାର ରାତି  ୧୨ଟା ସୁଦ୍ଧା ବନ୍ୟା ଜଳ ୧୧.୨୫ ମିଟର ସ୍ତରରେ ପ୍ରବାହିତ ହେବ ବୋଲି ଜଳସମ୍ପଦ ବିଭାଗ ଆକଳନ  କରିଥିଲା । ବୁଢ଼ାବଳଙ୍ଗ ନଦୀରେ ପ୍ରବାହିତ ବନ୍ୟା  ଜଳ ସୋମବାର ସକାଳ ୯ଟା ସୁଦ୍ଧା ୮.୨୦ ମିଟର  ଛୁଇଁ ଯାଇପାରେ ବୋଲି ଆକଳନ କରାଯାଇଛି । ଜଳକା ନଦୀ ଜଳସ୍ତର ମଧ୍ୟ ବଢ଼ିପାରେ ବୋଲି  ବିଭାଗ ଆକଳନ କରିଛି । ବନ୍ୟା ଜଳ ସ୍ତର ଉପରେ  ନଜର ରଖାଯାଇଛି । ଜଳ ସମ୍ପଦ ବିଭାଗର ସେଚ  ସଦନରେ ୨୪ ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ କାମ  କରୁଛି । ଏଠାରୁ ସ୍ଥିତି ତଦାରଖ ହେଉଛି । ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ  ସ୍ଥାନକୁ ସ୍ଥାନାନ୍ତର ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ  ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ରିଲିଫ କାମ ପାଇଁ  ପ୍ରସ୍ତୁତ ରହିବାକୁ କୁହାଯାଇଛି । କ୍ଷେତ୍ରସ୍ତରରେ ବନ୍ୟା  ଜଳର ସ୍ଥିତି ଅନୁଧ୍ୟାନ ଓ ତଦାରଖ ପାଇଁ ଜଳସମ୍ପଦ  ବିଭାଗର ଜଣେ ସର୍ବୋଚ୍ଚ ଯନ୍ତ୍ରୀ ଓ ମୁଖ୍ୟଯନ୍ତ୍ରୀଙ୍କୁ  ବାଲେଶ୍ୱର ପଠାଯାଇଛି ବୋଲି ସରକାର ସୂଚନା  ଦେଇଛନ୍ତି।

ସୋମବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼  ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା  ହୋଇପାରେ । ଏହି ୪ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ  ଜାରି ହୋଇଛି । ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ  ବର୍ଷା ଆଶଙ୍କା ଥିବାରୁ ସୋମବାରଠୁ ୩ ଦିନ ଯାଏ ସବୁ ସ୍କୁଲ  ଛୁଟି ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେହିଭଳି ବରଗଡ଼, ବଲାଙ୍ଗୀର, ସୋନପୁର,  ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ,  ବାଲେଶ୍ୱର, ଭଦ୍ରକ, ଯାଜପୁର, କଳାହାଣ୍ଡି, କନ୍ଧମାଳ,  ନୂଆପଡ଼ା, ନବରଙ୍ଗପୁର ଓ ବୌଦ୍ଧ ଜିଲ୍ଲାର କିଛି  ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି ।