ମାଲକାନଗିରି,୧୮/୦୮: ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା। ଏଥିପାଇଁ ପୂର୍ବାନୁମାନ କରି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକ ରେଡ୍ ସତର୍କତା ଜାରି କରାଯାଇଛି । ରବିବାର ସନ୍ଧ୍ୟାରୁ ଜିଲ୍ଲାରେ ମୂଷଳଧାରରେ ବର୍ଷା ଆରମ୍ଭ ହୋଇଥିବାବେଳେ ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୋମବାର ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି, ପ୍ରାଥମିକ ବିଦ୍ୟାଳୟ ଏବଂ କଲେଜ ବନ୍ଦ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲାର ସମସ୍ତ ପଞ୍ଚାୟତ, ବ୍ଲକ୍ କ୍ଷେତ୍ର କର୍ମଚାରୀଙ୍କୁ ସଜାଗ ରହିବା ଲାଗି ବିଡିଓ ଓ ତହସିଲଦାରମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ବନ୍ୟା ପ୍ରବଣ ସମସ୍ତ ତଳି ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଆବଶ୍ୟକ ପଡ଼ିଲେ ମାଇକ୍ରେ ପ୍ରଚାର କରି ଲୋକଙ୍କୁ ସତର୍କ ରହିବା ପାଇଁ ସଚେତନ କରାଯିବ । ଏମିତିକି ରବିବାର ପ୍ରଶାସନ ତରଫରୁ ବନ୍ୟା ଆଶଙ୍କା ଥିବା କାଲିମେଳା, ପଡ଼ିଆ ଓ ମୋଟୁର କେତେକ ଅଞ୍ଚଳରେ ମାଇକ୍ରେ ପ୍ରଚାର କରାଯାଇଛି । ଆବଶ୍ୟକ ପଡ଼ିଲେ ବନ୍ୟା ଆଶ୍ରୟସ୍ଥଳୀ, ନିକଟ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଶୁଖିଲା ଖାଦ୍ୟ ମହଜୁଦ ରଖିବା ଏବଂ ବନ୍ୟା ପରିସ୍ଥିତି ଉପୁଜିଲେ ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ ବିଭାଗକୁ ମଧ୍ୟ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦରକାର ପଡ଼ିଲେ କୋରାପୁଟ ଜିଲ୍ଲା ଆଇଆର୍ବି ପ୍ରଥମ ବାଟାଲିୟନ, ଓଡ୍ରାଫ ଟିମ୍କୁ ମଧ୍ୟ ମୁତୟନ କରାଯିବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି । ସେହିପରି ତଳି ଅଞ୍ଚଳର ରାସ୍ତାର ଉଭୟପାଶ୍ୱର୍ରେ ଯାନବାହନ ଯାତାୟାତ ଓ ଲୋକଙ୍କ ଚଳପ୍ରଚଳକୁ ବନ୍ଦ ରଖିବା ପାଇଁ ପୁଲିସ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଥାଉକି, ସୋମବାର ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି । ଏହାର ପ୍ରଭାବରେ ସୋମବାରରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଗଷ୍ଟ ୧୮ ଓ ୧୯ ତାରିଖରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ମାଲକାନଗିରିରେ ଝଡ଼ ଏବଂ ବଜ୍ରପାତ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।