କଟକ, ୦୫/୦୪: ଯୁବା ବୟସ । ହସହସ ମୁହଁ । ଖେଳକୁଦ ସାଙ୍ଗକୁ ସମାଜସେବାରେ ମନ । ଦୁଃଖୀରଙ୍କିକୁ ଦେଖିଲେ ମନ ବିଗଳିତ ହୋଇଯାଉଥିଲା । ପାରୁପର୍ଯ୍ୟନ୍ତ ଲୋକଙ୍କୁ ସାହାଯ୍ୟ କରିବାକୁ କେବେ ପଛାଉ ନଥିଲେ । ହେଲେ ଅନ୍ୟର ଦୁଃଖ ବୁଝୁବୁଝୁ ନିଜ ବାପା-ମା’ଙ୍କୁ ସବୁଦିନ ପାଇଁ ଦୁଃଖର ସାଗରରେ ବୁଡ଼ାଇ ଦେଇ ଅକାଳରେ ଆରପାରିକୁ ଚାଲିଗଲେ । ପୁଅ ପ୍ରିୟବ୍ରତ ସ୍ୱାଇଁ (୩୯)ଙ୍କୁ ହରାଇବା ପରେ ପୁଅର ସ୍ମୃତିକୁ ସାଇତି ରଖିବା ସହ ପୁଅର ସମାଜସେବା ମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ବାପା-ମା’ ୬ ଜଣ ପିଲାଙ୍କୁ କୋଳେଇ ନେଇଛନ୍ତି । ବସ୍ତିର ଏହି ୬ଜଣ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ସେମାନଙ୍କ ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଏହି ୬ ପିଲାଙ୍କ ମୁହଁରେ ହସ ଦେଖି ସେମାନେ ନିଜ ପୁଅକୁ ହରାଇଥିବାର ଦୁଃଖକୁ ଭୁଲିଯିବାକୁ ବସିଛନ୍ତି । ଏମିତି ମହାନତା ଦେଖାଇଛନ୍ତି କଟକ ସିଡିଏ ଅଞ୍ଚଳର ଦମ୍ପତି କେଦାରନାଥ ସ୍ୱାଇଁ ଏବଂ ଇନ୍ଦୁମତି ରାଉତ ।

ଦମ୍ପତିଙ୍କ ପୁଅ ପ୍ରିୟବ୍ରତ ଖେଳକୁଦରେ ଆଗୁଆ ଥିଲେ । ଜଣେ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ବି ଥିଲେ । ପ୍ରିୟବ୍ରତଙ୍କୁ ନେଇ କେଦାରନାଥ ଏବଂ ଇନ୍ଦୁମତିଙ୍କ ପରିବାର ବେଶ୍ ହସଖୁସିରେ ଚାଲିଥିଲା । ପ୍ରାୟ ତିନି ବର୍ଷ ତଳେ ପ୍ରିୟବ୍ରତଙ୍କର ଯକୃତ ସମସ୍ୟା ଥିବା ଜଣାପଡ଼ିଲା । ସେ ଦିଲ୍ଲୀରେ ଯାଇ ଚିକିତ୍ସିତ ହୋଇ ଫେରିଥିଲେ । ଅନେକାଂଶରେ ସୁସ୍ଥ ହୋଇଯାଇଥିଲେ । କିନ୍ତୁ ଗତ ମାସ ୨୩ ତାରିଖ ଦିନ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା । କିନ୍ତୁ ପ୍ରିୟବ୍ରତ ଆଉ ସୁସ୍ଥ ହୋଇ ଘରକୁ ଫେରିନଥିଲେ ।

ପୁଅ ମୃତ୍ୟୁରେ ମ୍ରିୟମାଣ ଦମ୍ପତି କିନ୍ତୁ ପୁଅର ସମାଜସେବା କାର୍ଯ୍ୟକୁ ଆଗେଇ ନେବାକୁ ଯୋଜନା କରିଥିଲେ । ସେମାନେ କାଠଯୋଡ଼ି ବସ୍ତି ପିଲାଙ୍କ ଅଭିଭାବକଙ୍କ ସହ କଥା ହୋଇଥିଲେ । କିଛି ପିଲାଙ୍କର ବାପା-ମା’ ନ ଥିବାବେଳେ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ । ୬ଟି ପିଲା ଯେପର୍ଯ୍ୟନ୍ତ ପଢ଼ିବେ ସେ ପର୍ଯ୍ୟନ୍ତ ସେମାନଙ୍କର ଆର୍ଥିକ ପ୍ରତିବନ୍ଧକ ହେବ ନାହିଁ ବୋଲି ଦମ୍ପତି କଥା ଦେଇଛନ୍ତି । ଏହି ୬ଜଣ ପିଲାଙ୍କ ମଧ୍ୟରୁ ଜଣେ ପିଲାର ମଳଦ୍ୱାର ନାହିଁ । ଏହି ପିଲାର ଅପରେସନ୍ ପାଇଁ ଯାହା ଖର୍ଚ୍ଚ ହେବ ତାହା ସେ ବହନ କରିବେ ବୋଲି କେଦାରନାଥ କହିଛନ୍ତି । ପାଠପଢ଼ା ବାଦ୍ ଯଦି କେହି ପିଲା ସଙ୍ଗୀତ କିମ୍ବା ଖେଳକୁଦ କରିବାକୁ ଚାହିଁବେ ସେଥିପାଇଁ ସୁଯୋଗ ଦିଆଯିବ ବୋଲି ଦମ୍ପତି କହିଛନ୍ତି । ଆଗକୁ ବସ୍ତିର ଅନ୍ୟ ପିଲାଙ୍କ ପାଇଁ ମଧ୍ୟ ଏହିଭଳି ସାହାଯ୍ୟର ହାତ ବଢ଼ାଯିବ । ସେମାନଙ୍କର ଗୋଟିଏ ପୁଅ ଚାଲିଯାଇଛି ସତ କିନ୍ତୁ ତା’ ବଦଳରେ ସେମାନେ ଏହିଭଳି ଅନେକ ପୁଅଝିଅଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଇନ୍ଦୁମତି ରାଉତ ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ...ସୋମବାର ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ