କୋଣାର୍କ,୦୩/୦୯: ଲଘୁଚାପ ଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ । ପ୍ରବଳ ବର୍ଷା ପାଇଁ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି । ପୁରୀ ଜିଲ୍ଲାରେ ବୁଧବାର ସକାଳ ୬ଟାରୁ ବର୍ଷା ଲାଗି ରହିଛି । କୋଣାର୍କ ଏବଂ ଏହାର ଅଖପାଖ ଅଞ୍ଚଳରେ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଛି । ରାସ୍ତା ଉପରେ ବର୍ଷା ପାଣିର ସୁଅ ଛୁଟୁଛି । ଫଳରେ କୋଣାର୍କ ଓ ଚନ୍ଦ୍ରଭାଗା ବଜାର ଏକପ୍ରକାର ଶୂନଶାନ ହୋଇପଡିଛି। ରାସ୍ତାରେ ବର୍ଷା ପାଣି ଜମି ରହିବାରୁ ଯାତୟାତରେ ସମସ୍ୟା ଦେଖାଦେଇଛି। ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ଛତା ଧରି ସୂର୍ଯ୍ୟମନ୍ଦିର ବୁଲୁଥିବା ଦେଖିବାକୁ ମିଳିଛି । ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ଵ ଜଳାର୍ଣ୍ଣବ ହୋଇପଡିବା ସହ ମନ୍ଦିର ଭିତରେ ଆଶ୍ରୟସ୍ଥଳୀ ନଥିବାରୁ ପର୍ଯ୍ୟଟକମାନେ ନାଟ୍ୟମନ୍ଦିର ନିକଟରେ ଥିବା ବରଗଛ ତଳେ ଆଶ୍ରୟ ନେଇଥିଲେ। ଅନ୍ୟପଟେ ବର୍ଷା ଯୋଗୁଁ ଖାଲୁଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି।