ଭଞ୍ଜନଗର,୧୮/୦୬- ପ୍ରବଳ ବର୍ଷା ଯୋଗୁଁ କଳିଙ୍ଗା ଘାଟିରେ ଖସିଲା ମାଟି ଅତଡା। ଫଳରେ ନିର୍ମାଣାଧୀନ ରାସ୍ତାର କିଛି ଅଂଶ ସହ ୨ ଟି ଜେସିବି ମେସିନ ଘାଟି ତଳକୁ ଖସି ଯାଇଥିବା ସୂଚନା ମିଳିଛି।
ସୂଚନା ମୁତାବକ, କନ୍ଧମାଳ ଜିଲ୍ଲା ସୀମାରେ କଳିଙ୍ଗା ଘାଟି ରାସ୍ତା ଦେଇ ଦୈନନ୍ଦିନ ହଜାର ହଜାର ଛୋଟ ବଡ଼ ଯାନବାହାନ ଚଳାଚଳ କରୁଛି । ଏହି ସମୟରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ହେଉଛି । ତେଣୁ ବିଭିନ୍ନ ସମୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପାହାଡ଼ କାଟି ରାସ୍ତାକୁ ଚଉଡ଼ା କରୁଛନ୍ତି । ଘାଟିର ଅଧିକାଂଶ ଅଞ୍ଚଳ ଚଉଡ଼ା ହୋଇଗଲାଣି କିନ୍ତୁ ଘାଟି ଉପରେ ଥିବା ଅନ୍ଧାର କୋଟ ମନ୍ଦିର ନିକଟରେ ୧୦୦ ମିଟର ରାସ୍ତା ସମ୍ପ୍ରସାରଣ ହୋଇପାରି ନଥିଲା। ସଂପୃକ୍ତ ସ୍ଥାନଟି ପଥର କାଟିବା ପାଇଁ ବିପଜ୍ଜନକ ଥିବାରୁ ସେଠାରେ ତଳୁ ମାଟି ପୋତି ପଥରକୁ ପଥର ବାନ୍ଧି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଆଜକୁ ୨ ବର୍ଷ ହେବ ଚାଲିଛି । ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଫୁଟ ଉଚ୍ଚରେ ମାଟି ଏବଂ ପଥର ପକାଇ ଥାକଥାକ କରି ପୋତାଯାଉଛି । କିନ୍ତୁ ମଝିରେ ମଝିରେ ତାହା ଭୁଶୁଡ଼ି ପଡୁଛି । ଫଳରେ କାର୍ଯ୍ୟ କିଛିଦିନ ବ୍ୟାହତ ହେଉଛି।ସେହିଭଳି ମଙ୍ଗଳବାର ଭଞ୍ଜନଗର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ତେଣୁ ମାଟି ଅତଡା ପୁଣି ଭୁଶୁଡି ପଡ଼ିଛି। ଏହାଦ୍ୱାରା ଯାନବାହାନ ଚଳାଚଳ ପ୍ରଭାବିତ ହୋଇନାହିଁ। କାମ ଠିକ୍ ଭାବେ ହେଉ ନଥିବାରୁ ଏଭଳି ହେଉଥିବା ମଧ୍ୟ ଅଭିଯୋଗ ହେଉଛି।
ଅପରପକ୍ଷେ ମାଟିରେ ଦବି ଯାଇଥିବା ୨ ଟି ଜେସିବି ଗାଡ଼ିକୁ ବାହାର କରିବା ସହ କାମ ପୁନର୍ବାର ଆରମ୍ଭ କରିବା ପାଇଁ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ପୂର୍ବରୁ ବହୁବାର ଘାଟିରୁ ମାଟି ଓ ପଥର ଅତଡା ଖସି ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଏଥର କିନ୍ତୁ ନିର୍ମାଣାଧୀନ ରାସ୍ତାର କିଛି ଅଂଶ ତଳକୁ ଖସି ଯାଇଥିବାରୁ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଛି।