ମାଲକାନଗିରି, ୧/୭ : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମହା ଆଡ଼ମ୍ବର ସହ ଶ୍ରୀଜିଉଙ୍କ ହେରାପଚଂମୀ ଉତ୍ସବ ପାଳିତ ହୋଇଯାଇଛି । ସନ୍ଧ୍ୟାରେ ହେରା ପଚଂମୀ ଦେଖିବା ପାଇଁ ମଲକାନଗିରି ସହରସ୍ଥ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଶହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ସନ୍ଧ୍ୟା ୫ଟାରେ ଶ୍ରୀଜିଉଙ୍କ ପହଡ଼ ଖୋଲିବା ପରେ ଭକ୍ତମାନେ ମାହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଜଗନ୍ନାଥ ମନ୍ଦିରରେ ପାର୍ଶ୍ଵ ଦେବାଦେବୀଙ୍କ ପୁଜା ଅର୍ଚନା ଆଳତୀ ପରେ ଶ୍ରୀ ମହାଲକ୍ଷ୍ମୀଙ୍କୁ ଏକ ବିମାନରେ ବସାଇ ବିରାଟ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚାମନ୍ଦିର ଆଡ଼ପ ମଣ୍ଡପରେ ଥିବା ଜଗନ୍ନାଥଙ୍କୁ ଦର୍ଶନ କାରଇବା ପାଇଁ ଅଣାଯାଇଥିଲା । ଶ୍ରୀ ଗୁଣ୍ଡିଚା ମନ୍ଦିରରେ ପହଁଚି ଜଗନ୍ନାଥଙ୍କୁ ମା’ଲକ୍ଷ୍ମୀ ଦର୍ଶନ କରି ରୋଷ ପ୍ରକାଶ କରିଥିଲେ । ଜଗନ୍ନାଥଙ୍କ ବଡ଼ପଣ୍ଡା ଓ ମା’ଲକ୍ଷ୍ମୀ ପଣ୍ଡାଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ ଓ ଲକ୍ଷମୀଠାକୁରାଣୀଙ୍କ ଗୁଣଗାନ ସହିତ କଥାକଟା କଟି ପ୍ରତିଯୋଗୀତା ହୋଇଥିଲା ।
ଶ୍ରୀଜଗନ୍ନାଥଙ୍କୁ ଲକ୍ଷ୍ମୀ ଠାକୁରାଣୀଙ୍କ ଦର୍ଶନ ସମୟରେ ଦେଢଶୁର ବଳଭଦ୍ରଙ୍କ ମୁଖକୁ ଘୋଡ଼ାଇ ଦିଆଯାଇଥିଲା । ଏହି ପ୍ରତିଯୋଗୀତା ସରିବା ପରେ ବିଦାୟବେଳେ ଶ୍ରୀଜଗନ୍ନାଥଙ୍କ ବଡ଼ପଣ୍ଡାଙ୍କୁ ରଥରେ ବାନ୍ଧି ଦେଇ ରଥର କିଛି ଅଶଂକୁ ଭାଙ୍ଗି ଦେଇ ମା’ଲକ୍ଷ୍ମୀ ବଡ଼ଦେଉଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ମନୋଲୋଭା ଦୃଶ୍ୟ ଦେଖିବା ପାଇଁ ଅନେକ ଭକ୍ତ ଶ୍ରୀଗୁଣ୍ଡାଚା ମନ୍ଦିର ନିକଟରେ ଭିଡ ଜମାଇଥିଲେ । ମା’ଲକ୍ଷ୍ମୀଙ୍କ ଫେରି ଯିବା ପରେ ଶ୍ରୀଜିଉଙ୍କ ନିକଟରେ ଜୟ ଵଜରଙ୍ଗ ବାଲି କଳା ସଂସ୍କୃତି ସଂଗଠନ ପକ୍ଷରୁ ପ୍ରବଚନ ଓ ଭଜନସମାରୋହ ହୋଇଥିଲା । ପୁରି ଶ୍ରୀମନ୍ଦିର ରିତିନିତି ଅନୁସାରେ ସମସ୍ତ ପ୍ରକାର ପ୍ରଥା ଚଳି ଆସୁଥିବାବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଭିନ୍ନ ପରମ୍ପରା କେଉଁ ଆବାହମାନକାଳରୁ ପ୍ରଚଳିତ ହୋଇ ଆସୁଛି । ହେରା ପଚଂମିରେ ଲକ୍ଷ୍ମୀ ଠାକୁରାଣୀ ମାଉସୀ ମା’ମନ୍ଦିର ପ୍ରବେଶ କରି ଶ୍ରୀମନ୍ଦିରକୁ ତିନି ଠାକୁରଙ୍କୁ ଫେରାଇ ନେବାକୁ ଆସି ରଥ ଭାଙ୍ଗୁଥିବାରୁ ଶ୍ରୀଜିଉଙ୍କ କୌଣସି ଅବତାର ହୋଇନଥାଏ ।
ତେଣୁ ହେରା ପଚଂମୀ ଆଗ ଦିନ ଶ୍ରୀଜିଉଙ୍କୁ ବାମନ ଓ ପର୍ଶୁରାମ ଅବତାର ବେଶରେ ସଜ୍ଜିତ କରାଯାଇଥାଏ ବୋଲି ପୂଜକ ସନ୍ତୋଷ ନନ୍ଦ କହିଛନ୍ତି । ମାଉସୀ ମା’ ମନ୍ଦିର ନିକଟରେ ଶ୍ରୀଜଗନ୍ନାଥଙ୍କ ପ୍ରିୟ ମିଷ୍ଟାନ୍ନଆରିଶା, କାକରା, ଛେନାଗଜା, ମାଲପୁଆ, ରଶାବଳୀ, ଖୀରା, ନାନାପ୍ରକାର ମିଷ୍ଟାନ ଭୋଗ ବିକ୍ରିର ବ୍ୟବସ୍ଥା ହୋଇଛି । ଭକ୍ତମାନେ ଶ୍ରୀଜିଉଙ୍କ ପ୍ରୀୟ ମିଷ୍ଟାନ୍ନ ଭୋଗ ଗୋଟିଏ ସ୍ଥାନରେ ପାଇ ଆନନ୍ଦର ସହ ନେବା ପାଇଁ ଭିଡ଼ ଜମାଇଥିଲେ ।