ପ୍ରମୂଖ ଖବର
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଗ୍ରାଉଣ୍ଡ ଅପରେସନକୁ ହିଜ୍‌ବୁଲ୍ଲାର ଖଣ୍ଡନ, କହିଲା ଲେବାନନ୍‌ରେ ପଶିନି ଇସ୍ରାଏଲୀ ସ୍ଥଳସେନା

Published By : Krishna Priya | October 2, 2024 9:07 AM

ବିରୁଟ ୦୨/୧୦: ଦକ୍ଷିଣ ଲେବାନନ୍‌ରେ ଇସ୍ରାଏଲ୍‌ ଏହାର ସ୍ଥଳସେନା ପୂରାଇ ଆକ୍ରମଣ ଆରମ୍ଭ କରିଦେଇଥିବା ଦାବି କରୁଥିବା ବେଳେ ଆତଙ୍କୀ ସଙ୍ଗଠନ ହିଜ୍‌ବୁଲ୍ଲା ଏହାକୁ ଖଣ୍ଡନ କରିଛି । ଏହା କହିଛି ଯେ ଦକ୍ଷିଣ ଲେବାନନ୍‌ରେ ଇସ୍ରାଏଲ୍‌ର ଗ୍ରାଉଣ୍ଡ ଅପରେସନ୍‌ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ତେବେ ଯଦି ସେଭଳି କିଛି ଆକ୍ରମଣ ହୁଏ ଆମର ଯୋଦ୍ଧାମାନେ ତାହାର ସାମ୍ନା କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । 

ଲେବାନନ୍‌ରେ ଇସ୍ରାଏଲ୍‌ର ସ୍ଥଳସେନା ପଶିଥିବା ନେଇ ସୋମବାର ରାତିରେ ଆଇଡିଏଫ୍‌ (ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସେସ୍‌) ପକ୍ଷରୁ ଘୋଷଣା କରାଯାଇଥିଲା । ହିଜ୍‌ବୁଲ୍ଲା କହିଛି ଯେ ଲେବାନନ୍‌ରେ କୌଣସି ପ୍ରକାର ଅନୁପ୍ରବେଶ ଘଟଣା ଘଟିନାହିଁ । ଏ ନେଇ ଆଇଡିଏଫ୍‌ ଉଦ୍ୟମ କଲେ ବହୁ ମହଙ୍ଗା ପଡ଼ିବ । ଆମେ ପ୍ରତିଟି ଆକ୍ରମଣର ଜବାବ ଦେବୁ । ଆମ ପାଖରେ ଏଥିଲାଗି ସବୁ ପ୍ରକାର ସାଧନ ବି ରହିଛି । ସୋମବାର ଆତଙ୍କୀ ସଙ୍ଗଠନ କହିଥିଲା କି ମୁଖିଆ ହସନ୍‌ ନସ୍‌ରଲ୍ଲାହଙ୍କ ମୃତ୍ୟୁ ପରେ ବି ଏହାର ଯୋଜନା ବଦଳି ନାହିଁ । ଇସ୍ରାଏଲ୍‌ ସମ୍ମୁଖରେ ମୁଣ୍ଡ ନୁଆଁଇବାର ପ୍ରଶ୍ନ ଉଠୁନାହିଁ । 

ଅନ୍ୟପକ୍ଷରେ ଆଇଡିଏଫ୍‌ ମଙ୍ଗଳବାର ଏହାର ଗ୍ରାଉଣ୍ଡ ଅପରେସନକୁ ନେଇ କିଛି ଫଟୋ ସେୟାର କରିଛି । ଦକ୍ଷିଣ ଲେବାନନ୍‌ରେ ସୋମବାର ରାତିରେ ଇସ୍ରାଏଲୀ ଟ୍ୟାଙ୍କ୍‌ ପଶି ହିଜ୍‌ବୁଲ୍ଲା ଆଡ୍ଡାକୁ ଟାର୍ଗେଟ୍‌ କରୁଥିବା ଦେଖିବାକୁ ମିଳିଛି । ଏମିତି କି ହମ୍‌ଲା ପରେ କେତେକ ସ୍ଥାନରେ ନିଆଁ ଲାଗିଥିବା ଫଟୋରେ ଦେଖାଯାଇଛି । ମଙ୍ଗଳବାର ସକାଳେ ବିରୁଟ୍‌ର ଦକ୍ଷିଣ ଭାଗରେ ଇସ୍ରାଏଲ୍‌ ସେନା ଆକ୍ରମଣ କରିଥିଲା । ଇସ୍ରାଏଲୀ ସ୍ଥଳସେନାର ଆକ୍ରମଣ ପରେ ଲେବାନନ୍‌ରେ ଅନେକ ଯାନବାହନ ଓ ବାସଗୃହ ଧ୍ୱଂସ ହୋଇଯାଇଛି । ଏୟାର ଷ୍ଟ୍ରାଇକ୍‌ ଯୋଗୁ ଅନେକ ଘର ଓ ଅଟ୍ଟାଳିକା ଧୂଳିସାତ୍‌ ହୋଇଛି । ହିଜ୍‌ବୁଲ୍ଲା ଆତଙ୍କୀ ଲୁଚିଥିବା ଅଟ୍ଟାଳିକା ଉପରେ ଘନଘନ ହମ୍‌ଲା କରାଯାଉଛି । 

ସେପଟେ ହିଜ୍‌ବୁଲ୍ଲା କହିଛି ଯେ କେନ୍ଦ୍ରୀୟ ଇସ୍ରାଏଲ୍‌ ଉପରେ ଏହା ଫାଦି୪ ମିସାଇଲ୍‌ ଦ୍ୱାରା ଆକ୍ରମଣ କରିଛି । ଏହି ସମୟରେ ଆଇଡିଏଫ୍‌ର ସାମରିକ ଘାଟି ଓ ଗୁଇନ୍ଦା ଏଜେନ୍ସି ମୋସାଦର ମୁଖ୍ୟାଳୟକୁ ଟାର୍ଗେଟ୍‌ ବନାଇଥିଲା । ମୋଟ ୩୦ ରକେଟ୍‌ ମାଡ଼ କରାଯାଇଥିଲା । ତେବେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ସେଗୁଡ଼ିକୁ ରୋକିଥିବା ଆଇଡିଏଫ୍‌ କହିଛି । ଆଉ କିଛି ରକେଟ୍‌ ହୋରେସିମ୍‌ ଇଣ୍ଟରଚେଞ୍ଜ୍‌ ପାଖରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏଥିରେ ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସେପଟେ ୟେମେନ୍‌ର ହୁତି ବିଦ୍ରୋହୀମାନେ ଇସ୍ରାଏଲ୍‌ ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିବା କହିଛନ୍ତି ।

ହୁତି ମୁଖପାତ୍ର ୟାହ୍ୟା ସାରୀ କହିଛନ୍ତି, ତେଲ୍‌ ଆଭିଭ୍‌ ଓ ଏଲାତରେ ଆଇଡିଏଫ୍‌ର ସାମରିକ ଘାଟିଗୁଡ଼ିକ ଉପରେ ଡ୍ରୋନ୍‌ରୁ ଆକ୍ରମଣ କରାଯାଇଛି । ତେବେ ଡ୍ରୋନ୍‌ଗୁଡ଼ିକୁ ଭୂମଧ୍ୟସାଗର ଉପରେ ଖସାଇ ଦିଆଯାଇଥିବା ଇସ୍ରାଏଲ୍‌ର ସେନା କହିଛି । ଲେବାନନ୍‌ ପଟୁ ଏୟାର ଷ୍ଟ୍ରାଇକ୍‌ ହେବା ପରେ ଆଇଡିଏଫ୍‌ର ହୋମ୍‌ ଫ୍ରଣ୍ଟ କମାଣ୍ଡ ତେଲ୍‌ ଆଭିଭ୍‌, ଜେରୁଜେଲମ, ଉତ୍ତର ୱେଷ୍ଟ ବ୍ୟାଙ୍କ ଏବଂ ଅନ୍ୟ କେତେକ ଅଞ୍ଚଳରେ ସୁରକ୍ଷା ଦୃଷ୍ଟିକୋଣରୁ ନୂଆ କଟକଣା ଲାଗୁ କରିଦେଇଛି । କେବଳ ଆଶ୍ରୟସ୍ଥଳ ଥିବା କ୍ଷେତ୍ରରେ ସ୍କୁଲ, କଲେଜ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ଖୋଲାଯାଇ ପାରିବ ବୋଲି କୁହାଯାଇଛି । କୌଣସି ପ୍ରକାର କାର୍ଯ୍ୟକ୍ରମ ଆୟୋଜନ ପାଇଁ ବାରଣ କରାଯାଇଛି । ୩୦ରୁ ଅଧିକ ଲୋକଙ୍କ ଏକତ୍ର ହେବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅକ୍ଟୋବର ୬ ପର୍ଯ୍ୟନ୍ତ ଏହି ମାର୍ଗଦର୍ଶିକା ବଳବତ୍ତର ରହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.