ନୂଆଦିଲ୍ଲୀ,୧୯।୧୧: ଦିଲ୍ଲୀ ହିମାଚଳ ଭବନକୁ ନିଲାମ କରିବାର ନିର୍ଦେଶ ଜାରି ହୋଇଛି। ୬୪ କୋଟି ଟଙ୍କାର ବକେୟା ପରିଶୋଧ କରିନପାରିବା କାରଣରୁ ହିମାଚଳ ପ୍ରଦେଶ ହାଇକୋର୍ଟ ଦିଲ୍ଲୀର ମଣ୍ଡି ହାଉସ ନିକଟରେ ତିଆରି ହୋଇଥିବା ହିମାଚଳ ଭବନକୁ ଆଟାଚ କରିବାକୁ ନିର୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଏହି ନିର୍ଦେଶ ହିମାଚଳ ପ୍ରଦେଶର ରାଜନୈତିକ ପରିବେଶକୁ ଆହୁରି ଉଷ୍ମ କରିଛି। ବିଜେପି ଏହି ପ୍ରସଙ୍ଗ ଉପରେ କଂଗ୍ରେସର ସୁଖବୀର ସିଂହ ସୁଖୁ ସରକାରଙ୍କୁ ଘେରିବା ଆରମ୍ଭ କରିଛି।  

୨୦୦୯ ରେ ସେଲି ହାଇଡ୍ରୋ କମ୍ପାନୀକୁ ହିମାଚଳ ସରକାର ୩୨୦ ମେଗାଓ୍ବଟର ବିଜୁଳି ପ୍ରୋଜେକ୍ଟ ଆବଣ୍ଟିତ କରିଥିଲେ। ପ୍ରୋଜେକ୍ଟ ଲାହୋଲ ସ୍ପିତିରେ ଲଗାଯିବାର ଥିଲା। ସରକାର ସେତେବେଳେ ପ୍ରୋଜେକ୍ଟ ଲଗାଇବା ପାଇଁ ବିଆରଓକୁ ସଡକ ନିର୍ମାଣ କାମ ଦେଇଥିଲା।ଚୁକ୍ତି ଅନୁସାରେ, ସରକାରଙ୍କ ଦାୟିତ୍ବ ଥିଲା ସେ କମ୍ପାନୀର ମୌଳିକ ସୁବିଧା ଉପଲବ୍ଧ କରାଇବା, ଫଳରେ କମ୍ପାନୀ ଠିକ ସମୟରେ ପ୍ରୋଜେକ୍ଟ କାମ ଆରମ୍ଭ କରିପାରିବ, କିନ୍ତୁ ଏଭଳି ହୋଇପାରିନି। ଏହି ମାମଲାରେ କମ୍ପାନୀ ୨୦୧୭ରେ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରିଥିଲା। 

କମ୍ପାନୀର ଓକିଲ କୋର୍ଟଙ୍କୁ କହିଛନ୍ତି, ପ୍ରୋଜେକ୍ଟ ଲଗାଇବା ପାଇଁ  ସୁବିଧା ନମିଳିବା କାରଣରୁ କମ୍ପାନୀକୁ ପ୍ରୋଜେକ୍ଟ ବନ୍ଦ କରିବାକୁ ପଡିଛି ଓ ଏହାକୁ ପୁଣିଥରେ ସରକାରକୁ ଦିଆଯାଇଥିଲା। କିନ୍ତୁ ସରକାର ଅପ୍‌ଫ୍ରଣ୍ଟ ପ୍ରିମିୟମ୍ ଜବତ କରିନେଇଛି। ଦୁଇ ପକ୍ଷର କଥା ଶୁଣିବା ପରେ କୋର୍ଟ ସରକାରଙ୍କୁ ସେଲି କମ୍ପାନୀକୁ ୬୪ କୋଟି ଟଙ୍କା ଅପ୍‌ଫ୍ରଣ୍ଟ ପ୍ରିମିୟମ ଦେବାର ନିର୍ଦେଶ ଦେଇଛି। କୋର୍ଟ କମ୍ପାନୀକୁ ଅପ୍‌ଫ୍ରଣ୍ଟ ପ୍ରିମିୟମ୍ ୭% ସୁଧ ସହିତ ଆବେଦନ ଦାଖଲ କରିବାର ତାରିଖରୁ ଦେବାର ନିର୍ଦେଶ ସରକାରଙ୍କୁ ଦେଇଛନ୍ତି। କୋର୍ଟ ଶକ୍ତି ବିଭାଗର ମୁଖ୍ୟ ସଚିବଙ୍କୁ ୧୫ ଦିନରେ ତଦନ୍ତ କରି ଜାଣିବାକୁ କହିଛନ୍ତି ଯେ, କେଉଁ ଦୋଷୀ ଅଧିକାରୀଙ୍କ କାରଣରୁ ଟଙ୍କା ଜମା ହୋଇପାରିନି।