କଟକ,୧୩/୦୧: ଟାଟା ପାୱାରର ମନମାନୀ ଚଳିବ ନାହିଁ । ଅତିରିକ୍ତ ଜମା ଉପରେ ବସିଲା ଅଦାଲତି ଛାଟ । ଓଡ଼ିଶାରେ ବିଦ୍ୟୁତ୍ ସେବା ଯୋଗାଉଥିବା ଟାଟା ପାଓ୍ବାରକୁ ଜବାବ ତଲବ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଏହା ସହିତ OERC ଓ ଶକ୍ତି ସଚିବଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ୩ ସପ୍ତାହ ପରେ ହେବ ।

ସୂଚନା ଅନୁଯାୟୀ, ଅତିରିକ୍ତ ସୁରକ୍ଷା ଜମା ବାବଦରେ ଡିସେମ୍ବର ୩୦ ତାରିଖରେ ଟାଟା ପାଓ୍ବାର ବିରୋଧରେ ଏକ ଜନସ୍ବାର୍ଥ ମାମଲା ହୋଇଥିଲା । ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଆଇନ ଏବଂ ଓଡ଼ିଶା ବିଦ୍ୟୁତ୍ ନିର୍ଦେଶାବଳୀର ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ କରି ହାଇକୋର୍ଟରେ ମାମଲା ଦାୟର କରିଥିଲା ସାମାଜିକ ସଂଗଠନ ‘ଭଏସ୍ ଅଫ୍ କଟକ’। ବିନା ଗ୍ରାହକଙ୍କ ସମ୍ମତି ଓ ସଚେତନତାରେ ସ୍ମାର୍ଟ ମିଟର ଲଗାଯିବା କଥାକୁ ପିଟିସନରେ ଉଲ୍ଲେଖ କରାଯାଇଥିଲା । ଏହି ପ୍ରକ୍ରିୟା ବିଦ୍ୟୁତ୍ ଆଇନ ୨୦୦୩ ଏବଂ ସମ୍ବିଧାନର ଧାରା ୧୪ ଓ ୨୧ର ଖୋଲାଖୋଲି ଉଲ୍ଲଂଘନ ବୋଲି ଆବେଦନକାରୀ କହିଥିଲେ । ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ନକରିବାକୁ ଏବଂ ASD ନୋଟିସକୁ ରଦ୍ଦ କରିବାକୁ ଆବଦେନକାରୀ ଦାବି କରିଥିଲେ । ଏହି ମମାଲାରେ ଶକ୍ତି ସଚିବ, ଟାଟା ପାୱାର ଏବଂ OERCକୁ  ପକ୍ଷଭୁକ୍ତ କରାଯାଇଥିଲା । ତେବେ ଏହି ମାମଲାରେ ହାଇକୋର୍ଟ ମଙ୍ଗଳବାର ଶୁଣାଣି କରି ଦୁଇ ସପ୍ତାହରେ ଜବାବ ତଲବ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ​​​​​​​