ନୂଆଦିଲ୍ଲୀ ୧୫/୦୭: ପ୍ରତି ବର୍ଷ ମୌସୁମୀ ଆସିଲେ ପାହାଡ଼ରେ ବାଦଲ ଫାଟିବା, ହଠାତ୍ ଭୀଷଣ ବର୍ଷା, ବନ୍ୟା (ଫ୍ଲାଶ୍ ଫ୍ଲଡ୍) ଭଳି ଘଟଣା ଲୋକଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରେ । ଏହି ସ୍ଥିତିରେ କେଉଁ ଅଞ୍ଚଳକୁ ଅଧିକ ବିପଦ ଅଛି ଯଦି ଜଣାପଡ଼ିଯାଏ, ତେବେ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ । କ୍ଷୟକ୍ଷତି ମଧ୍ୟ କମ୍ କରାଯାଇପାରିବ । ଏହାକୁ ଧ୍ୟାନରେ ରଖି ଭାରତୀୟ ବୈଜ୍ଞାନିକମାନେ ଏକ ନୂଆ ଜଳବାୟୁ ମଡେଲ ପ୍ରସ୍ତୁତ କରିଛନ୍ତି । ସେମାନଙ୍କ ଅନୁସାରେ, କେଉଁ କ୍ଷେତ୍ରରେ ବାଦଲ ଫାଟିପାରେ କିମ୍ବା ଭୀଷଣ ବର୍ଷା ହୋଇପାରେ ଏହି ମଡେଲ କହିପାରିବ । ଜାତୀୟ ଜଳ ବିଜ୍ଞାନ ସଂସ୍ଥାନ (ଏନ୍ଆଇଏଚ୍), ରୁର୍କିର ବୈଜ୍ଞାନିକମାନେ ଏହି ମଡେଲ ପ୍ରସ୍ତୁତ କରିଛନ୍ତି । ୧୯୭୯ରୁ ୨୦୧୪ ପର୍ଯ୍ୟନ୍ତ ଅର୍ଥାତ୍ ୩୬ ବର୍ଷର ପାଣିପାଗ ରେକର୍ଡ ଆଧାରରେ ଏହାକୁ ପ୍ରସ୍ତୁତ କରାଯାଇଛି । ସୁପରକମ୍ପ୍ୟୁଟର ସାହାଯ୍ୟରେ ପ୍ରସ୍ତୁତ ଏହି ମଡେଲର ରିଜୋଲ୍ୟୁସନ ୯ କିମି । ଅର୍ଥାତ୍ ପ୍ରତି ୯ କିମି ଅଞ୍ଚଳର ଅଲଗା ଅଲଗା ପାଣିପାଗକୁ ଏହା ବୁଝିପାରେ ।
ବୈଜ୍ଞାନିକଙ୍କ ଅନୁସାରେ, ଏହା ଦ୍ୱାରା ବର୍ଷା, ବରଫପାତ ଓ ତାପମାତ୍ରାର ଅନୁମାନ ପୂର୍ବାପେକ୍ଷା ଅଧିକ ଠିକ୍ରେ କରାଯାଇ ପାରିବ । ଜମ୍ମୁକାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ପାହାଡ଼ିଆ ରାଜ୍ୟକୁ ଏଥିରୁ ସବୁଠୁ ଅଧିକ ଫାଇଦା ହେବ । ପାହାଡ଼ିଆ କ୍ଷେତ୍ରରେ ପାଣିପାଗ ଦ୍ରୁତ ବଦଳେ । ଅନେକ ସମୟରେ କିଛି କିମି ଦୂରରେ ପାଣିପାଗ ପୂରା ଅଲଗା ଥାଏ । ଗୋଟିଏ ସ୍ଥାନରେ ହାଲୁକା ବର୍ଷା ହେଉଥିବା ବେଳେ ଆଖପାଖ ଅଞ୍ଚଳରେ ହଠାତ୍ ଭୀଷଣ ବର୍ଷା ହୁଏ କିମ୍ବା ବାଦଲ ଫାଟେ । ପୁରୁଣା ପାଣିପାଗ ମଡେଲ ଏତେ ଛୋଟ ପରିବର୍ତ୍ତନକୁ ଠିକ୍ରେ ଧରିପାରେ ନାହିଁ । ସେଥିପାଇଁ ବୈଜ୍ଞାନିକମାନେ ଦୀର୍ଘ ସମୟ ହେଲା ଏଭଳି ମଡେଲ ପ୍ରସ୍ତୁତି ଲାଗି ଚେଷ୍ଟା କରୁଥିଲେ, ଯାହା କମ୍ ବ୍ୟବଧାନରେ ହେଉଥିବା ପାଣିପାଗ ପରିବର୍ତ୍ତନକୁ ବେଶ ଭଲଭାବେ ବୁଝିପାରିବ ।
ଆହୁରି ପଢ଼ନ୍ତୁ...Weather Forecast: ଆଜି ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ବର୍ଷିବ,ଜଗତସିଂହପୁରକୁ ରେଡ୍ ଆଲର୍ଟ
ନୂଆ ମଡେଲ ପ୍ରତି ୯ କିମି ଅଞ୍ଚଳରେ ଭିନ୍ନ ଭିନ୍ନ ବିଶ୍ଳେଷଣ କରିବ । ଏଥିରୁ କେଉଁ ସ୍ଥାନରେ କେତେ ବର୍ଷା ହେବ, ତାହା ବୁଝିବା ସହଜ ହେବ । ପାହାଡ଼ର ଉଚ୍ଚତା ଓ ସେଠାକାର ପାଣିପାଗ ସ୍ଥିତିକୁ ମଧ୍ୟ ଧ୍ୟାନରେ ରଖେ । ବୈଜ୍ଞାନିକମାନେ ୧୯୭୯ରୁ ୨୦୧୪ ପର୍ଯ୍ୟନ୍ତର ରେକର୍ଡ ଦ୍ୱାରା ଏହି ମଡେଲକୁ ଯାଞ୍ଚ କଲେ । ଏଥିରେ ମୌସୁମୀ ବର୍ଷା, ପଶ୍ଚିମରେ ତୁଷାରପାତ ଓ ତାପମାତ୍ରା ଭଳି ଅନେକ ଦିଗକୁ ପ୍ରକୃତ ତଥ୍ୟ ସହ ତୁଳନା କରାଯାଇଥିଲା । ଅନେକ ମାମଲାରେ ଏହି ମଡେଲ ପୁରୁଣା ବୈଶ୍ୱିକ ଜଳବାୟୁ ମଡେଲଠୁ ଭଲ ଫଳ ପ୍ରଦାନ କଲା । ବୈଜ୍ଞାନିକଙ୍କ ଅନୁସାରେ, ଏହି ମଡେଲ ଜଳର ଉତ୍ତମ ଉପଯୋଗର ଯୋଜନା, ସଡ଼କ ଓ ପୋଲ ଭଳି ପ୍ରୋଜେକ୍ଟ ପ୍ରସ୍ତୁତି, କ୍ଷେତ ଓ ଜଳବାୟୁ ପରିବର୍ତ୍ତନ ଉପରେ ଅଧ୍ୟୟନରେ ସହାୟକ ହେବ । ଆଗାମୀ ଦିନରେ ଏଭଳି ମଡେଲ ପାଣିପାଗ ଭବିଷ୍ୟବାଣୀକୁ ଆହୁରି ଅଧିକ ଭରସାଯୋଗ୍ୟ କରିପାରିବ ।