ଭୁବନେଶ୍ୱର,୧୫/୦୭: ରଥଯାତ୍ରାରେ ପୂରା  ରାଜ୍ୟକୁ ଭିଜାଇବ ବର୍ଷା । ଅନେକ ସ୍ଥାନରେ ପ୍ରବଳ  ବର୍ଷା ହେବ । ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ  ଦକ୍ଷିଣ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ବର୍ଷା ହୋଇପାରେ ।  ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ବୁଧବାର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି  ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ  ବର୍ଷା ହେବ । ଜଗତସିଂହପୁରରେ ଅତି ଭୀଷଣ ବର୍ଷା  ଆଶଙ୍କା ଅଛି । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ  ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଉତ୍ତର  ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ  ଉପରେ ଥିବା ଘୂର୍ଣ୍ଣିବଳୟ ବୁଧବାର ସୁଦ୍ଧା ଲଘୁଚାପରେ  ପରିଣତ ହେବ ।

ଏହା ପ୍ରଭାବରେ ବୁଧବାର ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, କନ୍ଧମାଳ,  ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଢେଙ୍କାନାଳରେ ପ୍ରବଳରୁ  ଅତିପ୍ରବଳ ବର୍ଷା ହୋଇପାରେ । ଏ ସବୁ ଜିଲ୍ଲାକୁ ଅରେଞ୍ଜ  ୱାର୍ଣ୍ଣିଂ ଜାରି କରାଯାଇଛି । ଗୁରୁବାର ବା ରଥଯାତ୍ରା ଦିନ  କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକରେ ପ୍ରବଳରୁ  ଅତିପ୍ରବଳ ବର୍ଷା ହୋଇପାରେ । ସେହିଭଳି ପୁରୀ,  ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ,  ଯାଜପୁର, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼,  ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ,  ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି  ଓ ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ ।

ଅଧିକ ପଢ଼ନ୍ତୁ :-  ବାଲେଶ୍ୱର ସହରରେ କୃତ୍ରିମ ବନ୍ୟା, ରାସ୍ତା ଉପରେ ୨ ଫୁଟ ଉଚ୍ଚରେ ଲହଡି ଭାଙ୍ଗୁଛି ଡ୍ରେନ ପାଣି

୧୭ ତାରିଖରେ ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର,  କଟକ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ  ବର୍ଷା ଆଶଙ୍କା ଅଛି । ଗତ ୨୪ ଘଣ୍ଟାରେ  ବାଲେଶ୍ୱରରେ ସର୍ବାଧିକ ୧୦୦ ମିମି ବର୍ଷା ହୋଇଛି ।