ଭୁବନେଶ୍ୱର,୦୭/୦୭: ରାଜ୍ୟ ସରକାର ଉଚ୍ଚଶିକ୍ଷାକୁ ବେଶ୍‌ ଗୁରୁତ୍ୱ ଦେଉଛନ୍ତି । ଉଚ୍ଚଶିକ୍ଷା  ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିଆଯାଉଛି ବିଭିନ୍ନ  ପଦକ୍ଷେପ । କଲେଜ, ବିଶ୍ୱବିଦ୍ୟାଳୟରେ ପାଠପଢ଼ାକୁ  ଗୁଣାତ୍ମକ କରାଯିବ । କେବଳ ଗୁଣାତ୍ମକ ନୁହେଁ ମାନବ  ସମ୍ବଳ ବୃଦ୍ଧି କରାଯିବ । ଏଥିପାଇଁ ଯୋଜନା ଆଙ୍କିଛନ୍ତି  ରାଜ୍ୟ ସରକାର । ପାଠପଢ଼ା ଗୁଣାତ୍ମକ, ସୁନିଶ୍ଚିତ  କରିବା ଲାଗି ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ବଢ଼ାଯିବ ।  ଶିକ୍ଷକ-ଛାତ୍ର ଅନୁପାତ ସବୁ ସମୟରେ ଯେପରି ଠିକ୍‌  ରହିବ ତାକୁ ଦୃଷ୍ଟି ଦିଆଯିବ । ଏଥିଲାଗି ଅତିରିକ୍ତ  ଭାବେ ୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।  ବିଶ୍ୱବିଦ୍ୟାଳୟ ଅଧ୍ୟାପକମାନେ ଯେପରି ପିଏଚ୍‌ଡି  କରିବେ ତାକୁ ବାଧ୍ୟତାମୂଳକ କରାଯିବ । ଓଡ଼ିଶା ଭିଜନ୍‌ ୨୦୩୬ ଓ ୨୦୪୭ରେ ଏପରି ଯୋଜନା କରାଯାଇଛି । 

ଜାତୀୟ ଶିକ୍ଷାନୀତି ୨୦୨୦ ଶିକ୍ଷକ- ଛାତ୍ର  ଅନୁପାତକୁ ଗୁରୁତ୍ୱ ଦେଉଛି । ଯାହାକୁ ଆଧାର କରି  ସରକାର ଶିକ୍ଷକ ନିଯୁକ୍ତିକୁ ଗୁରୁତ୍ୱ ଦେଉଛନ୍ତି । ୨୦୩୬  ସୁଦ୍ଧା ରାଜ୍ୟରେ ଅତିରିକ୍ତ ୧୬ ହଜାର ଅଧ୍ୟାପକ ନିଯୁକ୍ତି  ଦିଆଯିବ । କେବଳ ନିଯୁକ୍ତି ଦିଆଯିବନି ଗୁଣାତ୍ମକ ପାଠପଢ଼ା ପାଇଁ ଶିକ୍ଷାଦାନ ଢାଞ୍ଚାରେ ପରିବର୍ତ୍ତନ  କରାଯିବ । ଅଧ୍ୟାପକଙ୍କ ତାଲିମ ଓ ପ୍ରଶିକ୍ଷଣଙ୍କୁ  ସୁଦୃଢ଼ କରାଯିବ । ୨୦୨୯ ସୁଦ୍ଧା ରାଜ୍ୟରେ ଓଡ଼ିଶା  ଉଚ୍ଚଶିକ୍ଷା ଶିକ୍ଷକ ତାଲିମ ପ୍ରତିଷ୍ଠାନ (ଓଏଚ୍‌ଟିଟିଆଇ)  ପ୍ରତିଷ୍ଠା କରାଯିବ । ଏଥିରେ ରାଜ୍ୟର କଳା, ସଂସ୍କୃତି  ରହିବ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଶିଷ୍ଟ  ଅଧ୍ୟାପକମାନେ ଆସି ତାଲିମ ପ୍ରଦାନ କରିବେ ।  

ନିୟମିତ ଭାବେ ଦକ୍ଷତା ବିକାଶ, ମାର୍ଗଦର୍ଶନ ଆଦି  କାର୍ଯ୍ୟକ୍ରମ ହେବ । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର  ଅଧ୍ୟାପକମାନେ ପିଏଚ୍‌ଡି କରିବା ବାଧ୍ୟତାମୂଳକ  ହେବ । ଏଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯିବ ।  କେବଳ ଏତିକି ନୁହେଁ ଅଧ୍ୟାପକଙ୍କ ଶୈକ୍ଷିକ  ବିବରଣୀ ରଖାଯିବ । ଏଥିସହ ଅଧ୍ୟାପକ ନିଯୁକ୍ତି  ପାଇଁ କଷ୍ଟମ୍‌ ପ୍ରୋଗ୍ରାମକୁ ବିକଶିତ କରାଯିବ ।  ଏଥିରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ଆବଶ୍ୟକ  ହେଲେ ବାହାର ରାଜ୍ୟର ଅଭିଜ୍ଞ ଅଧ୍ୟାପକଙ୍କୁ ମଧ୍ୟ  ନିଯୁକ୍ତି ଦିଆଯିବ । ଏଥିପାଇଁ ସେମାନେ ନେଉଥିବା  ପାରିଶ୍ରମିକରେ କୌଣସି କଟକଣା ରଖାଯିବ ନାହିଁ ।

ପ୍ରଫେସର ଅଫ୍‌ ପ୍ରାକ୍ଟିସ୍‌ କରାଯିବ । ଯେଉଁଥିରେ  ଶିଳ୍ପ କ୍ଷେତ୍ରରେ ଶିକ୍ଷାଦାନ କରିବାର ସକ୍ଷମତା,  ଏପରିକି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଥିବା  ବିଶେଷଜ୍ଞମାନଙ୍କୁ ପାଠପଢ଼ାରେ ନିୟୋଜିତ କରାଯିବ ।  ଉଚ୍ଚଶିକ୍ଷା ପାଇଁ ‘ନେତୃତ୍ୱ କାର୍ଯ୍ୟକ୍ରମ’ର ଶୁଭାରମ୍ଭ  କରାଯିବ । ଏଥିରେ ଶିକ୍ଷାଦାନରେ ଅତି ଉତ୍ତମ ଓ  ଦକ୍ଷତା ଥିବା ଅଧ୍ୟାପକଙ୍କୁ ଚିହ୍ନଟ କରାଯିବ । ସେମାନଙ୍କୁ  ନେଇ ଅନ୍ୟ ଅଧ୍ୟାପକଙ୍କୁ ତାଲିମ ପ୍ରଦାନ କରାଯିବ । 

କେବଳ ଏତିକି ନୁହେଁ, ଅଧ୍ୟାପକଙ୍କ ଶିକ୍ଷାଦାନର  ମାନକୁ ଜାଣିବା ପାଇଁ ଶିକ୍ଷାର୍ଥୀ, ସହପାଠୀଙ୍କୁ  ନେଇ ସମୀକ୍ଷା କରାଯିବ । ଗୁଣାତ୍ମକ ଗବେଷଣା  ବୃଦ୍ଧି କରିବା ଲାଗି ପ୍ରୋତ୍ସାହନ ଦିଆଯିବ ।  ଗୋଷ୍ଠୀ ସହଭାଗିତା ରହିବ । ଏଥିସହ ଏକ  ଭର୍ଚୁଆଲ ତାଲିମ କାର୍ଯ୍ୟକ୍ରମ ପାଇଁ ସେଟ୍‌ଅପ୍‌  କରାଯିବ । ଏହାକୁ ପିପିପି ମୋଡ୍‌ରେ କରାଯିବ ।