ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ନୂଆ ବର୍ଷ ଜାନୁଆରୀ ମାସରୁ ଆରମ୍ଭ ହୁଏ । କିନ୍ତୁ ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ, ସମୟ ଗଣନା ବିକ୍ରମ ସମ୍ବତ୍ ଦ୍ୱାରା କରାଯାଏ । ହିନ୍ଦୁ ନବବର୍ଷର ଆରମ୍ଭ ଚୈତ୍ର ମାସର ଶୁକ୍ଳ ପ୍ରତିପଦ ତିଥିରୁ ହୁଏ । ଆସନ୍ତା ବିକ୍ରମ ସମ୍ୱତ୍ ୨୦୮୩କୁ ଦୁର୍ଲଭ ମାସ, କାରଣ ଏହି ମାସ ଅଧିକ ମାସ ଲାଗିବ । ତେଣୁ ୧୨ ମାସ ଜାଗାରେ ୧୩ ମାସ ହେବ ।
ଜ୍ୟେଷ୍ଠ ମାସରେ ପଡ଼ିବ ଅଧିକ ମାସ:
ଏହି ବର୍ଷ ଜ୍ୟେଷ୍ଠ ମାସରେ ଅଧିକ ମାସ ଲାଗିବ । ଅଧିକ ଜ୍ୟେଷ୍ଠ ମାସ ୧୭ ମେ ୨୦୨୬ରୁ ଆରମ୍ଭ ହୋଇ ୧୫ ଜୁନ୍ ୨୦୨୬ ପର୍ଯ୍ୟନ୍ତ ରହିବ । ଫଳରେ ଅନେକ ବ୍ରତ ଓ ପର୍ବ-ପର୍ବାଣୀ ୧୫ ରୁ ୨୦ ଦିନ ଆଗୁଆ ପଡ଼ିବ ।
ବିକ୍ରମ ସମ୍ବତ ୨୦୮୩ କେବେ ଆରମ୍ଭ ?
ବିକ୍ରମ ସମ୍ବତ ୨୦୮୩ ଆସନ୍ତା ୧୯ ମାର୍ଚ୍ଚ ୨୦୨୬ରୁ ଆରମ୍ଭ ହେବ । ସେହି ଦିନ ଗୁଡ଼ି ପଡ଼୍ୱା ପାଳନ କରାଯିବ ଏବଂ ଚୈତ୍ର (ବସନ୍ତ) ନବରାତ୍ରି ମଧ୍ୟ ଆରମ୍ଭ ହେବ ।
୧୩ ମାସର ଦୁର୍ଲଭ ହିନ୍ଦୁ ବର୍ଷ:
ଅଧିକ ମାସ ଯୋଗୁଁ ବିକ୍ରମ ସମ୍ବତ୍ ୨୦୮୩ ୧୨ ନୁହେଁ, ୧୩ ମାସର ହେବ । ଏହାକୁ ଏକ ଦୁର୍ଲଭ ଓ ବିଶେଷ ବର୍ଷ ବୋଲି ଗଣାଯାଏ । ଧାର୍ମିକ ମାନ୍ୟତା ଅନୁଯାୟୀ, ଭଗବାନ ବିଷ୍ଣୁ ଏହି ଅତିରିକ୍ତ ମାସକୁ ନିଜ ନାମ ଦେଇଥିଲେ, ତେଣୁ ଏହାକୁ ପୁରୁଷୋତ୍ତମ ମାସ ବୋଲି କୁହାଯାଏ । ଏହାକୁ ଅଧିକମାସ, ମଳମାସ ଓ ପୁରୁଷୋତ୍ତମ ମାସ ଭାବେ ମଧ୍ୟ ଜଣାଯାଏ ।
ଅଧିକମାସର ପୌରାଣିକ ମହତ୍ତ୍ୱ:
ହିନ୍ଦୁ କଥାନୁସାରେ, ଯେତେବେଳେ ପ୍ରଥମେ ଅଧିକମାସ ଆସିଥିଲା, କୌଣସି ଦେବତା ଏହାକୁ ଗ୍ରହଣ କରିନଥିଲେ । ପରେ ଭଗବାନ ବିଷ୍ଣୁ ଏହାକୁ ନିଜ ସୁରକ୍ଷାରେ ନେଇ ପୁରୁଷୋତ୍ତମ ମାସ ନାମ ଦେଇଥିଲେ । ଏହି ସମୟରେ ଭକ୍ତି, ଜପ, ଧ୍ୟାନ, ତପସ୍ୟା ଓ ଦାନ କରିବାକୁ ବହୁତ ଶୁଭ ବୋଲି ମନାଯାଏ । ପଞ୍ଚାଙ୍ଗ ଅନୁଯାୟୀ, ମେ ୧୭ ରୁ ୧୫ ଜୁନ୍ ୨୦୨୬ ପର୍ଯ୍ୟନ୍ତ ସମୟ ଆଧ୍ୟାତ୍ମିକ ସାଧନା ପାଇଁ ଅତ୍ୟନ୍ତ ଉତ୍ତମ ।
ଗୋଟିଏ ବର୍ଷରେ ଦୁଇଟି ଜ୍ୟେଷ୍ଠ ମାସ:
ବିକ୍ରମ ସମ୍ବତ୍ ୨୦୮୩ର ଆଉ ଏକ ବିଶେଷତା ହେଉଛି ଏହି ବର୍ଷରେ ଦୁଇଟି ଜ୍ୟେଷ୍ଠ ମାସ ପଡ଼ିବ ।
ସାଧାରଣ ଜ୍ୟେଷ୍ଠ ମାସ: ୨୨ ମେ ୨୦୨୬ – ୨୯ ଜୁନ୍ ୨୦୨୬
ଅଧିକ ଜ୍ୟେଷ୍ଠ (ପୁରୁଷୋତ୍ତମ) ମାସ: ୧୭ ମେ ୨୦୨୬ – ୧୫ ଜୁନ୍ ୨୦୨୬
ଏଥିଯୋଗୁଁ ଜ୍ୟେଷ୍ଠ ମାସ ପ୍ରାୟ ୫୮-୫୯ ଦିନ ରହିବ ।
ଅଧିକ ମାସରେ ଶୁଭ କାମ ନିଷେଧ:
ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଅଧିକମାସରେ ବିବାହ, ଗୃହ ପ୍ରବେଶ, ନାମକରଣ, ଭୂମି ପୂଜା, ନୂଆ ବ୍ୟବସାୟ ଆରମ୍ଭ କରିବା ଏସବୁ କାମକୁ ଶୁଭ ମନାଯାଏ ନାହିଁ । ଏହି ସମୟରେ ଗ୍ରହ-ନକ୍ଷତ୍ର ଅନୁକୂଳ ନଥାଏ ବୋଲି ବିଶ୍ୱାସ ରହିଛି ।
ଅଧିକ ମାସ କାହିଁକି ?
କହିରଖୁ କି, ସୂର୍ଯ୍ୟ ବର୍ଷ ଓ ଚନ୍ଦ୍ର ବର୍ଷ ମଧ୍ୟରେ ଅବଧିରେ ପାର୍ଥକ୍ୟ ଥାଏ । ସୂର୍ଯ୍ୟ ବର୍ଷ ୩୬୫ ଦିନର ହୋଇଥିବାବେଳେ, ଚନ୍ଦ୍ର ବର୍ଷ ପ୍ରାୟ ୩୫୪ରୁ ୩୫୫ ଦିନର । ଏହି ତଫାତ୍ ସମୟ ସହିତ ବଢ଼ିଯାଏ । ପ୍ରାୟ ୩୨ ମାସ ୧୬ ଦିନ ପରେ ଏହାକୁ ସନ୍ତୁଳିତ କରିବା ପାଇଁ ପଞ୍ଚାଙ୍ଗରେ ଏକ ଅତିରିକ୍ତ ମାସ ଯୋଡ଼ାଯାଏ, ଯାହାକୁ ଅଧିକମାସ କୁହାଯାଏ ।
ଅଧିକମାସ କାହିଁକି ଜରୁରୀ ?
ଯଦି ଅଧିକ ମାସ ନ ଯୋଡ଼ାଯାଏ, ତେବେ ହିନ୍ଦୁ ପର୍ବ-ପର୍ବାଣୀ ଋତୁ ସହିତ ତାଳମେଳ ରଖିପାରିବ ନାହିଁ । ଯେପରିକି ଦୀପାବଳି ବର୍ଷା ଋତୁରେ, ହୋଲି ଶୀତ ଋତୁରେ ଆସିପାରେ । ଏହି ଗଣନା ଭୁଲ୍ କୁ ରୋକିବା ପାଇଁ ପୁରାତନ ବିଦ୍ୱାନମାନେ ଅଧିକମାସର ବ୍ୟବସ୍ଥା କରିଥିଲେ ।