ସମ୍ବଲପୁର, ୧୦/୦୭ : ବିଶ୍ୱର ଦୀର୍ଘତମ ହୀରାକୁଦ ନଦୀବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟାରେ ପ୍ରଥମେ ବାମପାର୍ଶ୍ୱ ସ୍ପିଲ୍ୱେର ୭-ନମ୍ବର ଗେଟ୍ ଖୋଲାଯାଏ । ପ୍ରତ୍ୟେକ ବର୍ଷ ଏହି କ୍ରମ ଦେଖାଯାଏ । ତେବେ କେଉଁ କାରଣ ପାଇଁ ଏହି ନିର୍ଦ୍ଦିଷ୍ଟ ଗେଟ୍ ଖୋଲାଯାଏ, ତା’କୁ ନେଇ ବିଭିନ୍ନ ସମୟରେ କୌତୁହଳପୂର୍ଣ୍ଣ ଓ ରୋଚକ କଥାମାନ ମଧ୍ୟ ଶୁଣିବାକୁ ମିଳେ । କିନ୍ତୁ, ଏହାର ବୈଷୟିକ ଦିଗ କ’ଣ ରହିଛି, ତା’କୁ ନେଇ ବୈଜ୍ଞାନିକ ଦୃଷ୍ଟିକୋଣ ରଖୁଥିବା ବର୍ଗ ମଧ୍ୟରେ ଆଜି ମଧ୍ୟ ପ୍ରଶ୍ନ ରହିଛି ।
ଏ ସମ୍ପର୍କରେ ମୁଖ୍ୟଯନ୍ତ୍ରୀ ଇଂ.ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି, ଏହା ପଛରେ ସେପରି କୌଣସି ବୈଷୟିକ କାରଣ ନାହିଁ । ବିଶ୍ୱାସ ଅନୁସାରେ ୭ ସଂଖ୍ୟାକୁ ଶୁଭଙ୍କର ବୋଲି ବିଚାର କରାଯାଇ ପୂର୍ବରୁ ଏହି ଗେଟ୍ ଖୋଲାଯିବାର ଇତିହାସ ରହିଛି। ପୂର୍ବଧାରା ବଜାୟ ରଖି ଏବେ ମଧ୍ୟ ସେହି ଗେଟ୍ ଖୋଲାଯାଉଛି । ହୀରାକୁଦ ପାର୍ଶ୍ୱ ତଥା ବାମ ସ୍ପିଲ୍ୱେରେ ସର୍ବାଧିକ ୪୦ଟି ଗେଟ୍ ରହିଛି । ଦକ୍ଷିଣ ତଥା ବୁର୍ଲା ପାର୍ଶ୍ୱରେ ୨୪ଟି ଗେଟ୍ ରହିଛି । ତେଣୁ ବନ୍ୟାଜଳ ପରିଚାଳନାରେ ହୀରାକୁଦ ପାର୍ଶ୍ୱର ଅଧିକ ଭୂମିକା ରହିଛି । ଅନ୍ୟପଟେ ଏହା ଏକ ମାଟିବନ୍ଧ ହୋଇଥିବା କାରଣରୁ ସ୍ପିଲ୍ୱେର ପ୍ରଥମ କିମ୍ବା ପ୍ରାରମ୍ଭିକ ଗେଟ୍ ବିଳମ୍ବରେ ଓ ଅଧିକ ଆବଶ୍ୟକତା ଥିଲେ ଖୋଲିବାର ଆବଶ୍ୟକତା ପଡ଼େ ।
ହୀରାକୁଦ ବିଶ୍ୱର ଏକ ପ୍ରମୁଖ ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ । ଏହାର ଜଳଧାରଣ କ୍ଷମତା ଓ ଆଧୁନିକ ବୈଶିଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ତଥାପି ଏଥିରେ ପ୍ରଯୁକ୍ତିବିଦ୍ୟା ସହ ପରମ୍ପରା ଓ ବିଶ୍ୱାସର ଛାପ ଆଜି ମଧ୍ୟ ରହିଛି । ଗେଟ୍ ଖୋଲାଯିବା ପୂର୍ବରୁ ଆଜି ମଧ୍ୟ ପୂଜାପାଠ ଓ ହୋମଯଜ୍ଞ କରାଯିବାର ପରମ୍ପରା ବଜାୟ ରହିଛି । ସମୟ ବଦଳିବା ସହ ଏହି ପରମ୍ପରାରେ କୌଣସି ପରିବର୍ତ୍ତନ ଦେଖାଯାଇନି । ଯାହା ଆଧୁନିକ ଜ୍ଞାନକୌଶଳ ଓ ପାରମ୍ପରିକ ବିଶ୍ୱାସର ଏକ ଅଦ୍ଭୂତ ସମାହାର ବୋଲି ବିଚାର କରାଯାଏ ।
ଆହୁରି ପଢନ୍ତୁ- Hirakud : ହୀରାକୁଦର ୧୦ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ