ରାଜଗୀର: ଭାରତୀୟ ପୁରୁଷ ହକି ଦଳ, ହକି ଏସିଆ କପ୍ ୨୦୨୫ରେ ନିଜର ଅଭିଯାନ ବିଜୟରୁ ଆରମ୍ଭ କରିଛି। ଚୀନ ବିପକ୍ଷରେ ଏକ ରୋମାଞ୍ଚକର ୪-୩ ଜିତ ସହ ଦଳ ପୂର୍ବ ପରାଜୟର ବଦଲା ନେଇଛି। ବିହାରର ରାଜଗୀରସ୍ଥିତ ବିହାର ସ୍ପୋର୍ଟସ୍ ୟୁନିଭର୍ସିଟି ହକି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ତାଙ୍କର ଚମତ୍କାର ହ୍ୟାଟ୍ରିକ୍ (୨୦, ୩୩ ଓ ୪୭ ମିନିଟ) ଦ୍ୱାରା ଦଳକୁ ବିଜୟୀ କରାଇଛନ୍ତି। ଅନ୍ୟ ଗୋଲଟି ଜୁଗ୍ରାଜ ସିଂହ (୧୮ ମିନିଟ) ଦ୍ୱାରା ଆସିଥିଲା। ଚୀନ ପକ୍ଷରୁ ଦୁ ଶିହାଓ (୧୨ ମିନିଟ), ଚେନ ବେନହାଇ (୩୫ ମିନିଟ) ଓ ଗାଓ ଜିଏସେଙ୍ଗ (୪୧ ମିନିଟ) ଗୋଲ ସ୍କୋର କରିଥିଲେ।

ମ୍ୟାଚଟି ଆରମ୍ଭରୁ ହିଁ ରୋମାଞ୍ଚକର ଥିଲା। ଚୀନ ପ୍ରଥମେ ଦୁ ଶିହାଓଙ୍କ ପେନାଲ୍ଟି କର୍ଣ୍ଣର ଗୋଲ ମାଧ୍ୟମରେ ଅଗ୍ରଣୀ ହାସଲ କରିଥିଲା। କିନ୍ତୁ ଭାରତ ଦ୍ୱିତୀୟ କ୍ୱାର୍ଟରରେ ଦୁଇଟି ପେନାଲ୍ଟି କର୍ଣ୍ଣର ଗୋଲ ମାଧ୍ୟମରେ ମ୍ୟାଚରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଥିଲା। ଯେଉଁଥିରେ ଜୁଗ୍ରାଜ ଓ ହରମନପ୍ରୀତଙ୍କ ବିଶାଳ ଯୋଗଦାନ ଥିଲା। ତୃତୀୟ କ୍ୱାର୍ଟରରେ ହରମନପ୍ରୀତ ଆଉ ଏକ ଗୋଲ ସ୍କୋର କରି ଭାରତକୁ ୩-୧ରେ ଆଗୁଆ ରଖିଥିଲେ। କିନ୍ତୁ ଚୀନ ଦଳର ଚେନ ବେନହାଇ ଓ ଗାଓ ଜିଏସେଙ୍ଗଙ୍କ ପେନାଲ୍ଟି କର୍ଣ୍ଣର ଗୋଲ ମାଧ୍ୟମରେ ମ୍ୟାଚକୁ ୩-୩ରେ ସମାନକପ ନେଇ ଆସିଥିଲେ। ଚତୁର୍ଥ କ୍ୱାର୍ଟରରେ ହରମନପ୍ରୀତଙ୍କ ତୃତୀୟ ଗୋଲ ଭାରତକୁ ପୁନର୍ବାର ଅଗ୍ରଣୀ ସ୍ଥାନରେ ପହଞ୍ଚାଇଥିଲା ଏବଂ ଶେଷ ମୁହୂର୍ତ୍ତରେ ଦଳର ଡିଫେନ୍ସ କ୍ରମ ଚୀନର ଆକ୍ରମଣକୁ ରୋକି ଭାରତକ ଜିତ ନିଶ୍ଚିତ କରିଥିଲେ।

ଏହି ମ୍ୟାଚରେ ଭାରତ ୧୧ଟି ପେନାଲ୍ଟି କର୍ଣ୍ଣର ମଧ୍ୟରୁ ମାତ୍ର ୪ଟି ଟ୍ରାନ୍ସଫର କରିପାରିଥିଲା। ଯାହା ଦଳର ପେନାଲ୍ଟି କର୍ଣ୍ଣର ଟ୍ରାନ୍ସଫରରେ ଆହୁରି ଉନ୍ନତିର ଆବଶ୍ୟକତା ଦର୍ଶାଇଛି। ଏହା ସହିତ, ପିଆର ଶ୍ରୀଜେଶଙ୍କ ଅବସର ପରେ ଗୋଲକିପିଂରେ କିଛି ଦୁର୍ବଳତା ମଧ୍ୟ ଦେଖାଦେଇଛି। ଯେଉଁଥିରେ କ୍ରିଶନ ପାଠକ ଓ ସୁରଜ କର୍କେରାଙ୍କୁ ଆଗାମୀ ମ୍ୟାଚଗୁଡିକରେ ନିଜର ଶେଷ୍ଠ ପ୍ରଦର୍ଶନ ଜାରି ରଖିବାକୁ ପଡିବ।

ଏହି ଜିତ ସହିତ ଭାରତ ପୁଲ୍ ଏ-ରେ ଶୁଭାରମ୍ଭ କରିଛି। ଯେଉଁଥିରେ ସେମାନଙ୍କର ପରବର୍ତ୍ତୀ ମ୍ୟାଚ ଜାପାନ ବିପକ୍ଷରେ ଆସନ୍ତା ଅଗଷ୍ଟ ୩୧ ତାରିଖରେ ହେବାକୁ ଯାଉଛି। ଏହା ପୂର୍ବରୁ ଜାପାନ କାଜାକସ୍ତାନକୁ ୭-୦ରେ ପରାସ୍ତ କରିଛି। ଏସିଆ କପ୍ ୨୦୨୫ ବିଜେତା ସିଧାସଳଖ ୨୦୨୬ ଏଫଆଇଏଚ ହକି ବିଶ୍ୱକପ୍‌ରେ ସ୍ଥାନ ପାଇବେ। ଯାହା ବେଲଜିୟମ ଓ ନେଦରଲ୍ୟାଣ୍ଡସରେ ଆୟୋଜିତ ହେବ।

ମ୍ୟାଚଟି ରାଷ୍ଟ୍ରୀୟ କ୍ରୀଡା ଦିବସ ଓ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନରେ ଖେଳାଯାଇଥିଲା, ଯାହା ରାଜଗୀରରେ ଉତ୍ସାହକୁ ଆହୁରି ବଢାଇଥିଲା। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଏହି ମ୍ୟାଚ ଦେଖିବାକୁ ଉପସ୍ଥିତ ଥିଲେ ଏବଂ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।