ଭୁବନେଶ୍ୱର/ରାଉରକେଲା,୧୪/୦୧: ତାମିଲନାଡୁ ଡ୍ରାଗନ୍ସ ଚଳିତ ଏଚ୍‌ଆଇଏଲ୍‌ରେ ମଚତ୍କାର ପ୍ରଦର୍ଶନ ଜାରି ରଖିଛି । ସୋମବାର ୩-୨ ଗୋଲରେ ଦିଲ୍ଲୀ ଏସ୍‌ଜି ପିପର୍ସକୁ ପରାଜିତ କରି ପଏଣ୍ଟ ଟେବୁଲର  ଶୀର୍ଷ ସ୍ଥାନକୁ ଅଧିକ ଦୃଢ଼ କରିଛି ।

ଦିଲ୍ଲୀ ଖେଳର ଦ୍ୱିତୀୟ ମିନିଟରେ ପ୍ରଥମ ଗୋଲ୍‌ ଦେଇଥିଲା । ଥୋମାସ  ଡୋମେନ ଏହି ଗୋଲ୍‌ ଦେଇ ଆରମ୍ଭରୁ  ଦଳକୁ ଅଗ୍ରଣୀ କରାଇଥିଲେ । ଷଷ୍ଠ  ମିନିଟ୍‌ରେ ଡ୍ରାଗନ୍ସର ଜିପ୍‌ ଜାନସେନ  ଗୋଲ୍‌ ଦେଇ ସ୍ଥିତି ୧-୧ ଗୋଲରେ  ବରାବର କରିଥିଲେ ।

ଦ୍ୱିତୀୟ କ୍ୱାର୍ଟରରେ ଡ୍ରାଗନ୍ସ ଆଉ ୨ଟି  ଗୋଲ୍‌ ଦେବାରେ ସଫଳ ରହିଥିଲା । ୧୯  ମିନିଟରେ ନାଥନ ଏଫରାଉମସ ଏବଂ ୨୧  ମିନିଟରେ ବ୍ଲେକ ଗୋଭର୍ସ ଗୋଲ୍‌ ଦେଇ  ଦଳର ସ୍ଥିତି ମଜବୁତ କରିଥିଲେ । ୩୭  ମିନିଟରେ (ଡୋମେନ) ଦିଲ୍ଲୀ ଦ୍ୱିତୀୟ ଗୋଲ୍‌  ଦେଇ ପ୍ରତ୍ୟାବର୍ତ୍ତନ କରିଥିଲା । ମାତ୍ର ପରବର୍ତ୍ତୀ  ସମୟରେ ଖେଳ ପ୍ରବଳ ସଂଘର୍ଷପୂର୍ଣ୍ଣ  ହେବାରୁ ଆଉ ଗୋଲ୍‌ ସମ୍ଭବ ହୋଇ  ପାରିନଥିଲା । ଶେଷରେ ୩-୨ ଗୋଲରେ  ଅଗ୍ରଣୀ ସହ ଡ୍ରାଗନ୍ସ ବିଜୟୀ ହୋଇଥିଲା ।  

ସିଜନରେ ଏ ପର୍ଯ୍ୟନ୍ତ ଡ୍ରାଗନ୍ସ ୬ଟି  ମ୍ୟାଚ୍‌ ଖେଳି ୫ଟି ବିଜୟ ସହ ମୋଟ୍‌ ୧୫  ପଏଣ୍ଟ ପାଇଛି । ତୁଫାନ ସମାନ ମ୍ୟାଚ୍‌  ଖେଳି ୧୦ ପଏଣ୍ଟ ସହ ଟେବୁଲରେ ଦ୍ୱିତୀୟ  ଏବଂ ୟୁପି ରୁଦ୍ରସ ୫ଟି ମ୍ୟାଚରୁ ୯ ପଏଣ୍ଟ  ପାଇ ତୃତୀୟ ସ୍ଥାନରେ ରହିଛି ।