ନୂଆଦିଲ୍ଲୀ ୦୧/୦୨: ହଲିଉଡ୍ ଅଭିନେତ୍ରୀ ମାର୍ଗୋଟ ରୋବି ନିକଟରେ ଏକ ୪୦୦ ବର୍ଷ ତଳର ହାର ପିନ୍ଧିଥିଲେ, ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ଲସ୍ ଏଞ୍ଜେଲସରେ ଆୟୋଜିତ ନିଜର ଅପ୍କମିଙ୍ଗ ଫିଲ୍ମ ‘ଉଥ୍ରିଙ୍ଗ ହାଇଟ୍ସ’ର ୱର୍ଲଡ୍ ପ୍ରିମିୟର ଅବସରରେ ମାର୍ଗୋଟ ଗ୍ଲାମରସ୍ ଲୁକ୍ରେ ରେଡ୍ କାର୍ପେଟ୍ରେ ଚାଲିଥିଲେ । ସେ ଏକ ଚମତ୍କାର ଗାଉନ୍ ପିନ୍ଧିଥିଲେ । ଭିଣ୍ଟେଜ୍ ଲୁକ୍ରେ ଖୁବ୍ ସୁନ୍ଦର ଦିଶୁଥିଲେ । କିନ୍ତୁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ସେ ପିନ୍ଧିଥିବା ତାଜମହଲ ହୀରା ହାର । ଏଇଟି ୬୯.୪୨ କ୍ୟାରେଟ୍ରେ ହୃଦୟ ଆକୃତିର ଟେବଲ୍-ଟପ୍ ଡାଇମଣ୍ଡ୍ । ସୁନା ଓ ମାଣିକରେ ପ୍ରସ୍ତୁତ କାର୍ଟିୟର ଚେନ୍ ସହିତ ଏହାକୁ ସଂଲଗ୍ନ କରାଯାଇଛି । ହାରର ମୂଲ୍ୟ ପ୍ରାୟ ୭୪ କୋଟି ଟଙ୍କା ବୋଲି କୁହାଯାଉଛି । ପାର୍ସୀ ଭାଷାରେ ହୀରାରେ ଲେଖାଯାଇଛି ‘ପ୍ରେମ ଚିରନ୍ତନ’ । ଏହି ଐତିହାସିକ ତାଜମହଲ ହୀରା ହାର ପିନ୍ଧିବା ବିଷୟରେ ମାର୍ଗୋଟ୍ କହିଥିଲେ, ଏହା ଆମେରିକୀୟ ଅଭିନେତ୍ରୀ ଏଲିଜାବେଥ୍ ଟେଲର୍ଙ୍କର ଥିଲା । ପ୍ରିମିୟର ପାଇଁ କାର୍ଟିୟର ଦ୍ୱାରା ତାଙ୍କୁ ଏହି ହାର ପିନ୍ଧିବାକୁ ଦିଆଯାଇଥିଲା । କିନ୍ତୁ ହାରଟି ଇତିହାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ସେ କହିନଥିଲେ ।
୫୪ ବର୍ଷ ପୂର୍ବେ, ୧୯୭୨ରେ ଆମେରିକୀୟ ଅଭିନେତ୍ରୀ ଏଲିଜାବେଥ୍ ଟେଲରଙ୍କ ୪୦ତମ ଜନ୍ମଦିନରେ ତାଙ୍କର ୫ମ ସ୍ୱାମୀ ରିଚାର୍ଡ ବର୍ଟନ ତାଙ୍କୁ ଏହି ହାର ଉପହାର ଦେଇଥିଲେ । ଭାରତ ସହ ହାରଟି ନିବିଡ଼ ଭାବେ ଜଡ଼ିତ । ଏହାର ଇତିହାସ ଅତ୍ୟନ୍ତ ସମୃଦ୍ଧ । ମୋଗଲ ସମ୍ରାଟ ଜାହାଙ୍ଗୀର ନିଜ ପତ୍ନୀ ନୂର୍ଜହାଁଙ୍କୁ ଏହି ହାର ଉପହାର ଦେଇଥିଲେ । ପରେ ତାଙ୍କ ପୁଅ ଶାହଜହାଁ ପତ୍ନୀ ମୁମ୍ତାଜ ମହଲଙ୍କୁ ଏହା ଉପହାର ଦେଇଥିଲେ, ଯାହାଙ୍କ ସ୍ମୃତିରେ ପ୍ରସିଦ୍ଧ ତାଜମହଲ ନିର୍ମିତ ହୋଇଥିଲା । ସେଥିପାଇଁ ହାରକୁ ତାଜମହଲ ଡାଇମଣ୍ଡ୍ କୁହାଗଲା । ହାରରେ ଥିବା ଲେଖାରେ ନୂର୍ଜହାଁଙ୍କ ନାଁ, ତାଙ୍କ ଟାଇଟଲ୍ ‘ଲେଡି ଅଫ୍ ଦ ବାଦ୍ଶାହ’ ଏବଂ ଶାସନକାଳର ୨୩ ବର୍ଷ ଉଲ୍ଲେଖ ହୋଇଛି, ଯାହା ପ୍ରାୟ ୧୬୨୭-୨୮ ମସିହା ।
ଆହୁରି ପଢ଼ନ୍ତୁ…ଆଇଏଫ୍ଏମ ରିପୋର୍ଟ : ଆମେରିକାକୁ ପଛରେ ପକାଇ ଆଗକୁ ବଢୁଛନ୍ତି ଭାରତ-ଚୀନ୍,ଏଲୋନ୍ ମସ୍କ କହିଲେ ‘ବଦଳୁଛି ଶକ୍ତି ସନ୍ତୁଳନ’
୧୯୭୧ରେ ଫ୍ରାନ୍ସର ବିଳାସପୂର୍ଣ୍ଣ ବ୍ରାଣ୍ଡ୍ କାର୍ଟିୟର ଏହାକୁ କିଣି ପୁନଃ ଡିଜାଇନ୍ କଲା । ନିକଟରେ ପ୍ରିମିୟର୍ରେ ମାର୍ଗୋଟ ହାର ବିଷୟରେ ବର୍ଣ୍ଣନା କରୁଥିବାବେଳେ ଭାରତ ସହ ଏହାର ମୂଳ ଯୋଡ଼ି ହୋଇଥିବା କଥା କହିଲେନି କାହିଁକି ବୋଲି ଭାରତୀୟମାନେ ଏବେ ତାଙ୍କୁ ଟାର୍ଗେଟ୍ କରିଛନ୍ତି । ନୂର୍ଜହାଁ ମୋଗଲ ସାମ୍ରାଜ୍ୟର ସବୁଠୁ ଶକ୍ତିଶାଳୀ ଓ ପ୍ରଭାବଶାଳୀ ବେଗମ୍ ଥିଲେ । କୁହାଯାଏ, ସେ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ୨୦ତମ ପତ୍ନୀ ଥିଲେ । ୧୬୧୧ରେ ସେ ଜାହାଙ୍ଗୀରଙ୍କୁ ବିବାହ କରିଥିଲେ । ଜାହାଙ୍ଗୀର ପ୍ରଥମେ ତାଙ୍କୁ ନୂର୍ ମହଲ ଓ ପରେ ନୂର୍ ଜହାଁ ଟାଇଟଲ୍ ଦେଲେ । ମୋଗଲ ଇତିହାସରେ ସେ ଏକମାତ୍ର ବେଗମ୍ ଥିଲେ, ଯାହାଙ୍କ ନାମରେ ମୁଦ୍ରା ପ୍ରସ୍ତୁତ ହୋଇଥିଲା । ଦରବାରରେ ଜାହାଙ୍ଗୀରଙ୍କ ସହ ବସି ସେ ଶାସନ ମଧ୍ୟ କରିଥିଲେ । ତାଙ୍କୁ ଫ୍ୟାଶନ୍ ଓ ଷ୍ଟାଇଲ୍ ରାଣୀ କୁହାଯାଉଥିଲା ।