ଏସଂସାର ମାନବୀୟ ବନ୍ଧନ ଯୋଗୁଁ ତିଷ୍ଠି ରହିଛି । ସଂସାରରେ ଜନ୍ମନେଇ କିଏ ଗର୍ବ କରି କହିପାରିବ ଯେ ତା’ ଜୀବନରେ ନିରବଚ୍ଛିନ୍ନ ସୁଖ ସମୃଦ୍ଧି ବିରାଜମାନ କରିବ? ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି, ଏଣୁ ଦୁଃଖ କଷ୍ଟ ଟେନ୍‌ସନ୍‌, ଆଖିଲୁହ ସବୁ ସହିବାରେ ମଣିଷ ଯୁଗ ଯୁଗ ଧରି ଅଭ୍ୟସ୍ତ । ଦୁଃଖ ସମୟରେ ମଣିଷ ନିଜକୁ ଏକାକୀ ମନେକରେ । ମନ ଚାହେଁ, କିଏ ଜଣେ ତା’ ପାଖରେ ଥାଆନ୍ତା କି, ମନ ଖୋଲି ତା’ ଦୁଃଖ କଥା ତା’ ପାଖରେ ବଖାଣନ୍ତା । ସ୍ୱାମୀ ଶିବାନନ୍ଦ କହିଛନ୍ତି– Evry kind act, every kind word and hehaviour which tend to promote the happiness of others are all acts of charity.. କିନ୍ତୁ ହାୟ, ଆଜିର ଏ ଯୁଗରେ ମନଖୋଲି କଥା ପଦେ କହିପାରିବା ଭଳି ବନ୍ଧୁ ବିରଳ!

ଏଇ ସମବେଦନା, ଏଇ ସହଭାଗିତା ପାଇଁ ପରିବାରର ସୃଷ୍ଟି । ପରିବାର ଅର୍ଥ- ପରିବାରର ସମସ୍ତ ସଦସ୍ୟ ପରସ୍ପରର ଦୁଃଖ ସୁଖର ସାଥୀ ହେବେ । ଯେଉଁ ପରିବାରରେ ଏଇ ଐତିହ୍ୟ ରହିଛି ସେ ପରିବାର ଭାଙ୍ଗିବା ସହଜ ନୁହେଁ । ପରିବାରର ଜଣେ ଯଦି ଆତ୍ମକୈନ୍ଦ୍ରିକ ହେବ, ବିପଦ ବେଳେ ତା’ ପାଖରେ କିଏ ଠିଆ ହେବ? କାରଣ ଆଜିର ସମାଜରେ ଅଭିନ୍ନ ହୃଦୟର ବନ୍ଧୁ ସ୍ୱପ୍ନ । ଏଭଳି ଏକ ସମୟ ପଡ଼ିଛି, ଆନ୍ତରିକ ଭାବରେ କେହି କାହାକୁ ବିଶ୍ୱାସ କରୁନାହାଁନ୍ତି । ପିତା ପୁତ୍ର, ସ୍ୱାମୀ ସ୍ତ୍ରୀ ଭଳି ଅତି ଅନ୍ତରଙ୍ଗ ସଂପର୍କରେ ମଧ୍ୟ ଆଜି ବିପନ୍ନତା ଦେଖାଦେଲାଣି । ମମତ୍ୱବୋଧ ଆଜି କମି କମି ଯାଉଛି । ଦୟା, କ୍ଷମା, ପ୍ରେମ, ତ୍ୟାଗରୁ ମମତ୍ୱବୋଧ ଜନ୍ମନିଏ । ଏସବୁ ନଥାଇ ପରିବାରର କଳ୍ପନା ଅସମ୍ଭବ । ଛାଡ଼ପତ୍ର ବୃଦ୍ଧିପାଉଥିବା ଯୋଗୁଁ ସମାଜରେ ଏକାକୀତ୍ୱ ବୃଦ୍ଧି ପାଇଚାଲିଛି । ଫଳରେ ମଣିଷର ଚେତନ ଶକ୍ତିର ଯଥେଷ୍ଟ କ୍ଷତି ଘଟୁଛି ।

ଏ ସଂସାରକୁ ଈଶ୍ୱର ସୁନ୍ଦର କରି ଗଢ଼ିଛନ୍ତି । ଥରେ ଚିନ୍ତା କରନ୍ତୁ, କଠିନ ପରିଶ୍ରମ କରି ଆପଣ ଘରକୁ ଫେରୁଛନ୍ତି । ଘରେ ଆପଣଙ୍କ ପ୍ରାଣପ୍ରିୟ ସ୍ତ୍ରୀ, ଆପଣଙ୍କ ପିଲାମାନେ, ଶୁଭ ମନାସୁଥିବା ପିତାମାତା, ସ୍ନେହ ମମତାର ମୂର୍ତ୍ତି ସାନଭାଇ ଭଉଣୀମାନେ ଆପଣଙ୍କ ବାଟ ଚାହିଁ ବସିଛନ୍ତି । ପରିବାର ଏ ମୋହମୟ ପରିବେଶ, ଆପଣଙ୍କ କଠିନ ପରିଶ୍ରମ, ଆର୍ଥିକ ସମସ୍ୟା, ସାମାଜିକ ଚେତନାକୁ ଦୂରେଇଦେବା ପାଇଁ ଯଥେଷ୍ଟ । ଆପଣଙ୍କୁ କାର୍ଯ୍ୟକ୍ଷମ ରଖିବା ପାଇଁ ଏକ ଟନିକ୍‌ ଭଳି କାମ କରିବ । କିନ୍ତୁ ଆପଣ ଘରକୁ ଫେରିଛନ୍ତି, ଘରେ କେହି ନାହିଁ, ସ୍ତ୍ରୀ ଚାକିରିରୁ ଫେରିନାହାନ୍ତି, ଅନ୍ୟ ଘରେ ପୁଅ ଝିଅ ମୋବାଇଲ ନେଇ ବ୍ୟସ୍ତ, ଡାକିଲେ ଶୁଣୁନାହାନ୍ତି । ଯେଉଁ କାମବାଲୀ ଚା’ କରିଦିଏ, ସେ  ତା’ର ଅସୁବିଧା ଯୋଗୁଁ ଆସିନାହିଁ । ଆପଣ ଶ୍ରାନ୍ତ ହୋଇ ଚେୟାରରେ ବସି ଭାବୁଛନ୍ତି, ଆପଣାକୁ ଉଠିବାକୁ ପଡ଼ିବ ନିଜେ ଚା’ କରିବା ପାଇଁ । ଆଜି ବଡ଼ବାବୁ, ଅଫିସରଙ୍କ ସହ ମତଭେଦ ଘଟିଛି, କାହା ପାଖରେ କହିବେ? ସ୍ତ୍ରୀ ତ ତାଙ୍କ ଅଫିସ୍‌ର ଅବ୍ୟବସ୍ଥା ପାଇଁ ନିଜେ ଟେନ୍‌ସନ୍‌ରେ ରହିଛନ୍ତି । ହଁ, ମାସ ଶେଷବେଳକୁ ଦୁହେଁ ମିଶି ଯେଉଁ ଦେଢ଼ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସେତକ ଆପଣଙ୍କ ଶାନ୍ତିର ଉତ୍ସ । କିନ୍ତୁ ପିଲାମାନଙ୍କ ପଢ଼ାଖର୍ଚ୍ଚ ଆପଣଙ୍କୁ ବଳେଇଲାଣି ।

ନିଜର ଡାଇବେଟିସ ଓ ସ୍ତ୍ରୀଙ୍କ ବ୍ଲଡପ୍ରେସର ପାଇଁ ଡାକ୍ତରୀ ଖର୍ଚ୍ଚ ତୁଲାଇବା ପାଇଁ ଏତିକି ଟଙ୍କା ଯଥେଷ୍ଟ ହେଉନାହିଁ । କାହା ପାଖରେ ଏ ଦୁଃଖ କଥା କହିବେ । ବାପା, ମାଆ ତ ଗାଁରେ । ବାପା ମାଆଙ୍କ କଥା ନମାନି ଧରାଧରି କରି ଭୁବନେଶ୍ୱରରେ ରହିବା ପାଇଁ ଘର ଛାଡ଼ିଲେ । ଘରୁ ଅଳ୍ପ ଦୂରରେ ଥିବା ଛୋଟ ସହରରେ କାମ କରୁଥିଲେ ସବୁ ସୁବିଧା ମିଳିଥାନ୍ତା । କିନ୍ତୁ ଘର ଦାୟିତ୍ୱ ନେବାପାଇଁ ସ୍ତ୍ରୀ ରାଜି ହେଲେନାହିଁ, କି ହାଇଦ୍ରାବାଦ, ବାଙ୍ଗାଲୋରରେ ଥିବା ଦୁଇଭାଇ ମଧ୍ୟ କୌଣସି ଦାୟିତ୍ୱ ନେଲେନାହିଁ । ଅଥଚ ସେହି ଦୁଇଭାଇ ଆପଣଙ୍କ ଟଙ୍କାରେ ମଣିଷ ହୋଇଛନ୍ତି । କ’ଣ ଆପଣ କରିବେ? ଆଜିର ସମାଜ ତ ଏ ସମସ୍ୟାର ସମାଧାନ ବାହାର କରିପାରୁନାହିଁ । ଭକ୍ତକବିଙ୍କ ‘ବୈକୁଣ୍ଠ ସମାନ ଘର’ ଉପଦେଶ ଆଜି ପୁରୁଣା କାଳିଆ ହେଇଗଲାଣି । ସବୁ ପୁରୁଣା ଜିନିଷରେ କଳଙ୍କି ପରେ ଘୁଣ ଲାଗେ, ଉଇବସା ହୁଏ, ମରାମତି ଅଭାବରୁ ନଷ୍ଟ ହୁଏ ।

ଘର ସଂସାରର ସଂଜ୍ଞା ବର୍ତ୍ତମାନ ଦୁଇ ମହଲା, ତିନି ମହଲା, ଚାରି ମହଲା କୋଠା କରିବା ପାଇଁ ଲୋକ ଥାଆନ୍ତୁ ନଥାଆନ୍ତୁ³ ଥିଲାବାଲା ଲୋକ ଏବେ ଆଉ ଘରଭଡ଼ା ଦେଉନାହାଁନ୍ତି । ପୁଅ ଝିଅ ତ ବାହାରେ, ଭଡ଼ାବାଲାଙ୍କ ଝମେଲା କିଏ ସହିବ? ଟଙ୍କାର ଅଭାବ ନାହିଁ, ଖର୍ଚ୍ଚ କରିବାକୁ ଲୋକ ନାହାଁନ୍ତି । କିନ୍ତୁ ବମ୍ବେରୁ ବଡ଼ ବୋହୂ ହଠାତ୍‌ ଫୋନ୍‌ କଲା- ବାପା, ଆପଣଙ୍କ ନାତି ତା’ର କିକେଟ ସାଙ୍ଗମାନଙ୍କ ସହିତ ପଡ଼ି ଏବେ ଡ୍ରଗ୍‌ ଏଡିକ୍ଟେଡ୍‌ । ପଢ଼ାପଢ଼ି ବନ୍ଦ । ଆପଣଙ୍କ ପୁଅ କହୁଛନ୍ତି, ତାକୁ ଆପଣଙ୍କ ପାଖକୁ ପଠାଇଦେଲେ ତା’ର ପରିବର୍ତ୍ତନ ଆସିବ । ସାଙ୍ଗଛଡ଼ା ହେଲେ ବାଟକୁ ଆସିବ । ଆପଣ ରାଜିହେଲେ ତା’ ବାପା ତାକୁ ନେଇ ଭୁବନେଶ୍ୱରରେ ଛାଡ଼ି ଆସିବେ । ପାଖରେ ସ୍ତ୍ରୀ ବସିଥିଲେ । ବୋହୂ କଥା ତାଙ୍କୁ ପରିଷ୍କାର ଶୁଣାଯାଉଥିଲା । ବୋହୂ ଫୋନ୍‌ ବନ୍ଦ କଲା । ବୁଢ଼ାବାବୁ ସ୍ତ୍ରୀଙ୍କ ଆଡ଼କୁ ଅନାଇଲେ । ଖାଲିଘର ଏବେ ପୂରି ଉଠିବ । ଦୁହିଁଙ୍କ ପାଟିରୁ କଥା ବାହାରିଲା ନାହିଁ- ସଂସାରକୁ ସେମାନେ ଛାଡ଼ିଥିଲେ, କିନ୍ତୁ ସଂସାର ତାଙ୍କୁ ଛାଡ଼ିଲା ନାହିଁ, ଦୁହିଁଙ୍କ ମନକଥା ଦୁହେଁ ପଢ଼ି ପାରିଥିଲେ । ଏ ବୟସରେ ସଂସାରର ଦାୟିତ୍ୱ ନେବାକୁ ପଡ଼ିବ, ପୁଣି ଡ୍ରଗ ଏଡିକ୍ଟେଡ୍‌ ନାତିର! ଏହାର ନାଁ ହେଲା ‘ଘର ସଂସାର’ ।

​​​​​​​