ନୂଆଦିଲ୍ଲୀ,୦୮/୦୧: ବିହାରର ପୁର୍ନିଆ ବାସିନ୍ଦା ଜଣେ ମେକାନିକ୍ ଖାସ୍ କରି ଗ୍ରାମାଞ୍ଚଳ ଆବଶ୍ୟକତା ଲାଗି ଏକ ଶସ୍ତା ବୈଦ୍ୟୁତିକ ଜିପ୍ ନିର୍ମାଣ କରିଛନ୍ତି । ମୁର୍ଶିଦ ଆଲାମ ପୁର୍ନିଆରେ ଏକ ଛୋଟ ୱର୍କସପ୍ ଚଳାଉଛନ୍ତି । ତାଙ୍କର ୫-ସିଟ ଯୁକ୍ତ ଏହି ଜିପ୍ ଥରେ ଚାର୍ଜ ହେଲେ ୧୦୦ କିମି ଯିବ । ଗାଡ଼ି ନିର୍ମାଣରେ ତାଙ୍କର ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଶିକ୍ଷାଲାଭ ପରେ ମୁର୍ଶିଦ ଯାନ ମରାମତି କ୍ଷେତ୍ରରେ ଅନୁଭବ ହାସଲ କରିବା ପାଇଁ ଅନେକ ଦୋକାନରେ କାମ କଲେ । ତା’ପରେ ପୁର୍ନିଆରେ ନିଜର ୱର୍କସପ୍ ଖୋଲିଲେ । ଧୀରେ ଧୀରେ ତାହା ଭଲ ଚାଲିଲା ।
ସ୍ଥାନୀୟ ଅଞ୍ଚଳରେ ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାସବୁ ସେ ଲକ୍ଷ୍ୟ କଲେ । ଏ ଅଞ୍ଚଳରେ ଦୈନନ୍ଦିନ ଯାତ୍ରା ଓ ମାଲ୍ ପରିବହନ ନିମନ୍ତେ ଶସ୍ତା ଓ ସହଜରେ ମରାମତି ହୋଇପାରୁଥିବା ଯାନର ଅଭାବ ଥିଲା । ଏହା ତାଙ୍କୁ ଗ୍ରାମାଞ୍ଚଳରେ ବ୍ୟବହାର ଲାଗି ଏକ ସରଳ ଓ ଶସ୍ତା ଇ-ଜିପ୍ ଡିଜାଇନ୍ ପାଇଁ ପ୍ରେରିତ କଲା । ମୁର୍ଶିଦ ଏକାକୀ ମାତ୍ର ୧୫ ଦିନରେ ଜିପ୍ ନିର୍ମାଣ ଶେଷ କଲେ । ତାଙ୍କର ବ୍ୟାଟେରୀ-ଚାଳିତ ଇ-ଜିପ୍ରେ ୫ ଜଣ ଆରାମରେ ବସିପାରିବେ । ଏଥିରେ ଏକ ଅଲଗା ଟ୍ରଲି ମଧ୍ୟ ଲାଗିଛି, ଯେଉଁଥିରେ ଚାଷୀ ଶସ୍ୟ, ସାର ଓ ଅନ୍ୟ ସାମଗ୍ରୀ ଭର୍ତ୍ତି କରି ନେଇପାରିବେ ।
ଜିପ୍ ଉଭୟ ଯାତ୍ରୀ ପରିବହନ ଓ ଚାଷ କାମରେ ଉପଯୋଗୀ ହୋଇପାରିବ। ଥରେ ପୂର୍ଣ୍ଣ ଚାର୍ଜ ହେବାକୁ ଏହା ପ୍ରାୟ ୫ ଘଣ୍ଟା ସମୟ ନେଉଛି ଏବଂ ଥରକେ ୧୦୦ କିମି ଯାଉଛି । ଏହାର ଟାୟାର ଟ୍ୟୁବ୍ଲେସ୍ । ଗାଡ଼ିରେ ଏକ ସ୍ପିଡୋମିଟର, ବ୍ୟାଟେରୀ ଚାର୍ଜିଂ ପଏଣ୍ଟ୍ ଓ ପାୱାର ଷ୍ଟିୟରିଂ ରହିଛି । ଏହି ବୈଶିଷ୍ଟ ଗାଡ଼ି ଚାଳନାକୁ ସହଜ କରୁଛି । ବର୍ତ୍ତମାନ ବଜାରରେ ଉପଲବ୍ଧ ଅଧିକାଂଶ ଇ-ଯାନ ତୁଳନାରେ ଏହା ଖୁବ୍ ଶସ୍ତା ।