କେନ୍ଦୁଝର ସଦର,୨୦/୬(ଆପ୍ର): ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂରଣ ଉପଲକ୍ଷେ ରାଜ୍ୟସ୍ତରୀୟ ସମାରୋହରେ ଯୋଗ ଦେଇ ଓଡ଼ିଶାର ସାମଗ୍ରିକ ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ପାନୀୟ ଜଳ, ଜଳସେଚନ, କୃଷି ଭିତ୍ତିଭୂମି, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ରାସ୍ତା ଏବଂ ସେତୁ, ଜାତୀୟ ରାଜପଥର କିଛି ଅଂଶ ଏବଂ ଏକ ନୂତନ ରେଳ ଲାଇନ ସମେତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ଅନ୍ତର୍ଭୁକ୍ତ କରି ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ।
ଆହୁରି ମଧ୍ୟ ରାଜ୍ୟର ବରପୁତ୍ର ମାନଙ୍କ ସମ୍ମାନାର୍ଥେ ଓ ସେମାନଙ୍କ ଯଶ ଓ ଅବଦାନକୁ ଅମ୍ଲାନ ରଖିବା ପାଇଁ ସେମାନଙ୍କ ଜନ୍ମସ୍ଥଳୀର ଉନ୍ନତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ବରପୁତ୍ର ଐତିହ୍ୟ ଗ୍ରାମର ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ କେନ୍ଦୁଝରର ଗର୍ବ ବିପ୍ଳବୀ ଧରଣୀଧରଙ୍କ ଜନ୍ମସ୍ଥଳୀ କୁସୁମିତାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉପର କୁସୁମିତାଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ, ସଦର ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ସମେତ ଜିଲ୍ଲା ବିଜେପି ଉପ ସଭାପତି ଗୋପୀନାଥ ରାମ ପ୍ରମୁଖଙ୍କ ସମେତ କୁସୁମିତା ଗ୍ରାମବାସୀ ଓ ଭୂୟାଁ ସାଂସ୍କୃତିକ ସଂଗଠନର କାର୍ଯ୍ୟକର୍ତ୍ତା ଆଦି ଆଭାସୀ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱର କାର୍ଯ୍ୟକ୍ରମ ସହ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ।