ଇସ୍ଲାମାବାଦ: ଆମେରିକା ଓ ପାକିସ୍ତାନ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ଆମେରିକା ପାକିସ୍ତାନ ସହିତ ଖଣିଜ ସମ୍ପଦ ଏବଂ ହାଇଡ୍ରୋକାର୍ବନ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉତ୍ସୁକ ଅଛି। ଏହି ବୟାନ ଏକ ସମୟରେ ଆସିଛି ଯେତେବେଳେ ଦୁଇ ଦେଶ ମଧ୍ୟରେ ବିଗତ କିଛି ବର୍ଷର ତିକ୍ତତା ପରେ ସମ୍ପର୍କରେ ଉନ୍ନତି ଦେଖାଦେଇଛି।
ରୁବିଓ କହିଛନ୍ତି ଯେ, ଆମେରିକା ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ହାଇଡ୍ରୋକାର୍ବନ କ୍ଷେତ୍ରରେ ପାକିସ୍ତାନ ସହିତ ସହଯୋଗକୁ ପ୍ରୋତ୍ସାହନ ଦେବ। ଏହା ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କକୁ ମଜବୁତ କରିବ ଏବଂ ଭବିଷ୍ୟତରେ ସମୃଦ୍ଧିର ପଥ ପ୍ରଶସ୍ତ କରିବ। ସେ ପାକିସ୍ତାନର ଆତଙ୍କବାଦ ବିରୋଧୀ ପ୍ରୟାସ ଏବଂ ବ୍ୟବସାୟିକ ସହଯୋଗର ମଧ୍ୟ ପ୍ରଶଂସା କରିଛନ୍ତି।
ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ଏହି ଘୋଷଣା ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ ମୁନିରଙ୍କ ଅମେରିକା ଗସ୍ତର କିଛି ଦିନ ପରେ ଆସିଛି। ତାଙ୍କ ଗସ୍ତ ସମୟରେ ସେ ଆମେରିକାର ଶୀର୍ଷ ରାଜନୈତିକ ଓ ସାମରିକ ନେତାମାନଙ୍କୁ ଭେଟିଥିଲେ। ଯାହା ଦୁଇ ଦେଶ ମଧ୍ୟରେ ବିଶ୍ୱାସ ବୃଦ୍ଧିର ସଙ୍କେତ ଦେଇଛି।
ନିକଟରେ ଆମେରିକା ଓ ପାକିସ୍ତାନ ବାଣିଜ୍ୟ ବିବାଦ ସମାଧାନ କରି ପାକିସ୍ତାନୀ ଉତ୍ପାଦ ଉପରେ ୧୯% ଟାରିଫ ଲଗାଇବା ଉପରେ ସହମତି ହାସଲ କରିଛନ୍ତି। ଏହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।
ଚଳିତ ସପ୍ତାହରେ ଇସ୍ଲାମାବାଦରେ ଦୁଇ ଦେଶ ମଧ୍ୟରେ ଆତଙ୍କବାଦ ବିରୋଧୀ ସଂଳାପ ହୋଇଥିଲା। ଯେଉଁଠି ବାଲୁଚିସ୍ତାନ ଲିବରେସନ ଆର୍ମୀ (BLA), ISIS-ଖୁରାସାନ ଏବଂ ତାଲିବାନ ପରି ଆତଙ୍କବାଦୀ ସଙ୍ଗଠନମାନଙ୍କୁ ମୁକାବିଲା କରିବା ପାଇଁ ସହଯୋଗ ବୃଦ୍ଧି କରିବା ଉପରେ ସହମତି ହାସଲ ହୋଇଥିଲା। ଏହା କ୍ଷେତ୍ରୀୟ ସୁରକ୍ଷା ପାଇଁ ଦୁଇ ଦେଶର ସାମଞ୍ଜସ୍ୟପୂର୍ଣ୍ଣ ଲକ୍ଷ୍ୟକୁ ପ୍ରତିଫଳିତ କରୁଛି।
ଏହି ଘୋଷଣା ଆମେରିକା ଓ ପାକିସ୍ତାନ ମଧ୍ୟରେ ଆର୍ଥିକ ଏବଂ ରାଜନୈତିକ ସମ୍ପର୍କକୁ ନୂଆ ଦିଗକୁ ନେଉଛି। କିନ୍ତୁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୋମୁହାଁ ନୀତି ସମସ୍ତଙ୍କ ଆଗରେ ପଦାରେ ପଡିଯାଇଛି। ଆଗରୁ ପାକିସ୍ତାନକୁ ଆତଙ୍କୀସ୍ତାନ କହୁଥିବା ଟ୍ରମ୍ପ ବର୍ତ୍ତମାନ ପାକିସ୍ତାନ ସହ ବାଣିଜ୍ୟ ଚୁକ୍ତି କରିବାକୁ ଚାହୁଁଥିବା ଘୋଷଣା ସତରେ ସମସ୍ତଙ୍କୁ ବିସ୍ମୟରେ ପକାଇ ଦେଇଛି।