ନୂଆଦିଲ୍ଲୀ,୨୪/୦୨; ସନ୍ତାନ ହେଲା ହତ୍ୟାକାରୀ । ବାପାକୁ ଗୁଳି କରି ହତ୍ୟା କଲା ପୁଅ । ଖାଲି ସେତିକି ନୁହେଁ ମୃତଦେହକୁ ଖଣ୍ଡ ଖଣ୍ଡ କର କାଟି ଡ୍ରମରେ ବର୍ତ୍ତି କଲା । ଲକ୍ଷ୍ନୌ ଆସିଆନା ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ୨୧ ବର୍ଷୀୟ ପୁଅ ଅକ୍ଷତ ପ୍ରତାପ ସିଂହ ବାପାଙ୍କୁ ଗୁଳିକରି ହତ୍ୟା କରିବା ପରେ ତାଙ୍କ ଶରୀରକୁ କରତ ସାହାଯ୍ୟରେ ଖଣ୍ଡ ଖଣ୍ଡ କରି ଏକ ନୀଳ ଡ୍ରମରେ ପୂରାଇ ରଖିଥିଲା । ମୃତ ଶରୀରକୁ କେଉଁଠି ଫିଙ୍ଗିବ ସେ ଯୋଜନା କରୁଥିଲା । ପୁଲିସ ତଦନ୍ତରୁ ଘଟଣା ସାମ୍ନାକୁ ଆସିବା ପରେ ଅକ୍ଷତକୁ ଗିରଫ କରାଯାଇଛି । ରକ୍ତ ସମ୍ପର୍କକୁ ଦୋହଲାଇ ଦେଇଛି ଏହି ହତ୍ୟାକାଣ୍ଡ ।

ସୂଚନା ଆଧାରରେ, ଘଟଣାଟି ଫେବୃଆରୀ ୨୦ ତାରିଖ ସକାଳେ ଘଟିଥିଲା । ପ୍ରାଥମିକ ତଦନ୍ତ ଅନୁଯାୟୀ ଶିକ୍ଷା, କ୍ୟାରିୟକୁ ନେଇ ବାପା ଏବଂ ପୁଅ ମଧ୍ୟରେ ବିବାଦର ସୁତ୍ରପାତ ହୋଇଥିଲା । ଅକ୍ଷତର ପାଠପଢ଼ାରେ କୌଣସି ଆଗ୍ରହ ନଥିଲା, କିନ୍ତୁ ତାଙ୍କ ବାପା, ମାନବେନ୍ଦ୍ର ସିଂହ ଚାହୁଥିଲେ ଯେ ତାଙ୍କ ପୁଅ ଡାକ୍ତରୀ ପଢ଼ୁ ଏବଂ ତାଙ୍କ ବ୍ୟବସାୟ ହାତକୁ ନେଉ । କ୍ୟାରିୟର ଓ ଶିକ୍ଷାର ଚାପକୁ ନେଇ ଅକ୍ଷତ ମନରେ ଏତେ ଘୃଣା ଭରିଯାଇଥିଲା ଯେ ସେ ତାଙ୍କ ନିଜ ବାପାଙ୍କୁ ମାରିଦେବାକୁ ଷଡଯନ୍ତ୍ର ରଚିଥିଲା । ୨୦ ତାରିଖ ସକାଳେ ପ୍ରତିଯୋଗିତା ମୂଳକ ପରୀକ୍ଷାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଅକ୍ଷତଙ୍କ ବାପା ବନ୍ଧୁକ ଦେଖାଇ ପୁଅକୁ ଡରାଇଥିଲେ । ଏହା ପରେ ବନ୍ଧୁକକ ସେହିଠାରେ ରଖି ଦେଇଥିଲେ । ଏହି ସମୟରେ ରାଗରେ ଗର ଗର ଥିବା ଅକ୍ଷତ ବାପାକୁ ଉକ୍ତ ବନ୍ଧୁକରୁ ଗୁଳି ଚଳାଇଥିଲା । 

ପୁଲିସ ପଚରାଉଚରା ସମୟରେ ଅକ୍ଷତ ସ୍ୱୀକାର କରିଛନ୍ତି କି ତାଙ୍କ ବାପାଙ୍କ ମୁଣ୍ଡକୁ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି କରିଥିଲା । ହତ୍ୟା ପରେ ସେ ମୃତଦେହକୁ ଘରର ତଳ ମହଲାକୁ ଟାଣିନେଇ ଏକ ନୀଳ ରଙ୍ଗର ଡ୍ରମରେ ଭର୍ତ୍ତି କରିଥିଲେ । ଗୁଳି ଶବ୍ଦ ଶୁଣି, ଅକ୍ଷତଙ୍କ ଭଉଣୀ  ସେଠାକୁ ଆସିଥିଲା । ଅକ୍ଷତ ଭଉଣୀକୁ ଧମକ ଦେଇଥିଲା, ସେ କହିଥିଲା ଯେ ସେ ପ୍ରତିଦିନର ଚାପ ଏବଂ ଝଗଡ଼ାରେ ବିରକ୍ତ ହୋଇ ଏହି ପଦକ୍ଷେପ ନେଇଛି । ଭଉଣୀକୁ ଚୁପ୍ ରହିବାକୁ ଧମକ ଦେଇଥିଲା ।  ଯଦି ସେ କାହାକୁ କିଛି କୁହେ ତେବେ ତାଙ୍କୁ ଜୀବନରୁ ମାରିଦେବ ବୋଲି ଧମକାଇଥିଲା । ଭୟରେ ଭଉଣୀ କାହାକୁ କିଛି କହି ନଥିଲା ।

ପ୍ରଥମେ ସେ ମୃତଦେହଟିକୁ ଗାଡ଼ିରେ ଭର୍ତ୍ତି କରି ନଦୀରେ ଫିଙ୍ଗି ଦେବାକୁ ଯୋଜନା କରିଥିଲା, କିନ୍ତୁ ଶବର ଓଜନ ଅଧିକ ଥିବାରୁ ଯୋଜନା ବିଫଳ ହୋଇଥିଲା । ତା’ପରେ ସେ ବଜାରରୁ ଏକ କରତ କିଣି ପିତାଙ୍କ ଶବକୁ ନିର୍ମମ ଭାବରେ କାଟି ହାତ, ଗୋଡ ଓ ମୁଣ୍ଡକୁ ଦୂରରେ ଥିବା ଏକ ସ୍ଥାନରେ ଫିଙ୍ଗିଦେଇଥିଲା, ଏବଂ ଶରୀରକୁ ଏକ ଶ୍ଲିପିଙ୍ଗ୍ ବ୍ୟାଗରେ ଭର୍ତ୍ତି କରି ନୀଳ ଡ୍ରମରେ ଲୁଚାଇ ରଖିଥିଲା । ପରେ ପୁଲିସକୁ ଯେପରି ସନ୍ଦେହ ନହେବ ସେଥିପାଇଁ ଅକ୍ଷତ ପୁଲିସ ଷ୍ଟେସନକୁ ଯାଇ ବାପାଙ୍କ ନିଖୋଜ ରିପୋର୍ଟ ଲେଖାଇଥିଲା । 

ଏହା ବି ପଢନ୍ତୁ...ପ୍ରେମୀଯୁଗଳଙ୍କୁ ହତ୍ୟା : ମେଡିସିନ୍ ଷ୍ଟୋରରୁ ଆରମ୍ଭ ହୋଇଥିବା ପ୍ରେମ, ମଦ ପାର୍ଟିରେ ଶେଷ....   

ପୁଲିସ ଘରକୁ ଆସି ପଚରାଉଚରା କରିବା ପରେ ଅକ୍ଷତଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ପ୍ରଥମେ ତ ଅକ୍ଷତ ଏହାକୁ ଆତ୍ମହତ୍ୟା ବୋଲି କହିବାକୁ ଚେଷ୍ଟା କରିଥିଲା, କିନ୍ତୁ ଯେତେବେଳେ ପୁଲିସ ଅଧିକ କଠୋର ହେଲା, ସେତେବେଳେ ସେ ସବୁ ସତ କଥା ମାନିଯାଇଥିଲା। ଏବେ ପୁଲିସ ଅକ୍ଷତକୁ ଗିରଫ କରି ଜେଲ ପଠାଇଛି ।