ଲହୁଣିପଡ଼ା, ୧୭।୩: ପ୍ରତିବର୍ଷ ଗ୍ରୀଷ୍ମ ଋତୁ ଆସିଲେ ଜଙ୍ଗଲ ଓ ଚାଷ ଜମିରେ ବହୁମାତ୍ରାରେ ନିଆଁ ଲାଗି କ୍ଷୟକ୍ଷତି ହେଉଛି । ଏହା ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରାକୃତିକ ଉପାୟରେ ନିଆଁ କମ୍ ଲାଗୁଥିବା ବେଳେ ମନୁଷ୍ୟକୃତ ଭାବେ ଅଧିକ ବୋଲି ଅଭିଯୋଗ ହେଉଛି । ନିଆଁ ଏକର ଏକର ଖୋଲା ଚାଷଜମିକୁ ବ୍ୟାପୀ ଗଚ୍ଛିତ ଥିବା ଗୋରୁଙ୍କୁ ଖାଦ୍ୟ ଜଳି ପୋଡି ଛାରଖାର କରିଦେଉଛି । ଜଙ୍ଗଲକୁ ମଧ୍ୟ ପ୍ରସାରିତ ହୋଇ ଗଛ ପତ୍ର ଜଳିଯାଉଛି । ଜଙ୍ଗଲ ଓ ଚାଷ ଜମିର ନିଆଁ ଯୋଗୁଁ ପ୍ରାଣୀସମ୍ପଦ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଲହୁଣିପଡ଼ା ଅଞ୍ଚଳରେ ପ୍ରତିଦିନ ଜମିରେ ନିଆଁ ଲାଗୁଛି । ଚାଷରୁ ଅମଳ ପରେ ବଳକା ଅଂଶକୁ ଚାଷୀ ସେଠାରେ ଜମା କରିରଖୁଛନ୍ତି । କିଛି ଦିନ ପରେ ତାକୁ ଜମିରୁ ବାହାର କରିବା ପରିବର୍ତ୍ତେ ସେଠାରେ ହିଁ ନିଆଁ ଲଗାଇ ଦେଉଥିବା ଦେଖିବାକୁ ମିଳୁଛି । ଏପରିକି ଦିନକୁ ଆଠ ଦଶ ଜାଗା ଜମିରେ ମଧ୍ୟ ନିଆଁ ଲାଗୁଛି ।

ଏହା ବି ପଢ଼ନ୍ତୁ... ଅସୁରକ୍ଷିତ ଗହୀରମଥା ଅଭୟାରଣ୍ୟ; ନିଷିଦ୍ଧାଞ୍ଚଳରେ ମାଛ ଧରୁଛି ଟ୍ରଲର୍, ନଭେମ୍ବରରୁ ମାର୍ଚ୍ଚ ଭିତରେ ଅଲିଭ୍ ରିଡ୍‌ଲେ ମରିଛନ୍ତି ୫୮୪

ଗୁଢ଼ିଆଳି, ମିଶରପାଲି, ନନ୍ଦାପଡ଼ା, କାଟୁପଡ଼ା, ଲମସି, ବାନ୍ଦୁପଡ଼ା, କେନ୍ଦୁଡ଼ିହି, ଗମଲେଇ, ସୁରୂପତଳା, ଅରକେଇକେଲା, କେନାପାଲି, ଥେଣ୍ଟେଇପୋଷ, କପଣ୍ଡ, ବଡ଼ପୁରୁଣାପାଣି, ତାଳବାହାଳି, ଜୁଣିଆଣୀ, ଗୋପନା, ବିମଳଗଡ଼, ଢେଙ୍କି ଆମ, ଟକରା, ବିରଟୋଲା ଏଭଳି ବହୁ ଗାଁର ଜମିରେ ଏକର ଏକର ଜମିରେ ନିଆଁ ଲାଗିଯାଇଛି । ଏପରିକି ଗୋଟିଏ ଗୋଟିଏ ଗାଁରେ ତିନିରୁ ଚାରିଥର ଲେଖାଏଁ ନିଆଁ ଲାଗିଲାଣି । ମହୁଲ ଫୁଲ ଗୋଟାଇବାକୁ ଗଛମୂଳ ସଫା ଉଦ୍ଦେଶ୍ୟରେ ନିଆଁ ଲଗାଇ ଦିଆଯାଉଛି । ସେହି ନିଆଁ ଗଛ ମୂଳରୁ ଜଙ୍ଗଲକୁ ବ୍ୟାପୁଥିବା ଦେଖିବାକୁ ମିଳୁଛି । ଜଙ୍ଗଲ ନିଆଁ ଯୋଗୁଁ ବାୟୁ ପ୍ରଦୂଷଣ ବଢ଼ୁଛି । ଜଙ୍ଗଲ ଜଳିଯିବାରୁ ବନ୍ୟପ୍ରାଣୀ ଜୀବନ ହାରୁଥିବା ସହ କିଛି ମାତ୍ରାରେ ବାସହୀନ ହେଉଛନ୍ତି । ଜମିରେ ଥିବା ନଡ଼ା, ଘାସ ଆଦି ପୋଡି ଯିବା ଯୋଗୁଁ ଖାଦ୍ୟ ପାଇଁ ଆଉଟୁପାଉଟୁ ହେଉଛନ୍ତି ପ୍ରାଣୀ ସମ୍ପଦ । ଏହା ସହିତ ମାଟିରେ ଥିବା ପୋଷକତତ୍ତ୍ୱ ଓ ଜୀବାଣୁ ନଷ୍ଟ ହେବାରୁ ଚାଷ ଜମିର ଉର୍ବରତା କମିଯାଉଛି । ଜଙ୍ଗଲ ଓ ଚାଷ ଜମିରେ ନିଆଁ ଲାଗିବା ଏକ ଗୁରୁତର ପରିବେଶୀୟ ସମସ୍ୟା । ଏହାକୁ ରୋକିବା ପାଇଁ ସଚେତନତା, ସଠିକ୍ ବନ ପରିଚାଳନା ଓ କଡ଼ା ଆଇନ ଲାଗୁ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି ।