ଗୋଷାଣି, ୨୭ା୩ (ଆପ୍ର): ଗରିବ ଲୋକମାନେ ନଡ଼ା ଛପର କରି ମୁଣ୍ଡ ଗୁଞ୍ଜୁଥିଲେ । ଖରା, ବର୍ଷା, ଶୀତରୁ ରକ୍ଷା ପାଉଥିଲେ । ମାତ୍ର ଏବେ ଛପର କରିବା ପାଇଁ ଆଉ ଆଗ ଭଳି ନଡ଼ା ମିଳୁନି । ଆଧୁନିକ ଯୁଗରେ ହାରଭେଷ୍ଟର ମାଧ୍ୟମରେ ଧାନ ବାହାର କରାଯାଉଥିବାରୁ ନଡ଼ା ନଷ୍ଟ ହେଉଛି । ଯାହା କିଛି ଅଳ୍ପ ବହୁତ ମିଳୁଛି ସେ ପୁଣି ଚଢ଼ା ଦର । ବାଧ୍ୟ ହୋଇ ଏବେ ନଡ଼ା ଛପର ବିକଳ୍ପ ପାଲଟିଛି ପାହାଡ଼ିଆ ଘାସ । ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ରେ ଏଭଳି ପାହାଡ଼ିଆ ଘାସ ଛପର ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳ ତଥା ସହର ଉପକଣ୍ଠ ଗ୍ରାମରେ ନଡ଼ା ବାଉଁଶରେ ତିଆରି ଛପର ଘର ଦେଖିବାକୁ ମିଳୁଥିଲା ।
ପ୍ରାୟ ୨୦୦୫ ମସିହା ପର୍ଯ୍ୟନ୍ତ ଅନେକ ଗ୍ରାମରେ ଉଣାଅଧିକ ଛଣ ଛପର ଘର ଦେଖିବାକୁ ମିଳୁଥିଲା । ପରବର୍ତ୍ତୀ ସମୟରେ ସରକାରଙ୍କ ତରଫରୁ ପକ୍କାଘର ଯୋଜନା କରାଗଲା । ଲୋକଙ୍କ ଆୟ ବଢ଼ିବା ଏବଂ ସେ ଅନୁଯାୟୀ ରୁଚି ବଢ଼ିବା ଅନୁସାରେ ଘରର ରୂପରେଖ ପରିବର୍ତ୍ତନ ହେଲା । ଆଥି ର୍କ ସ୍ୱଚ୍ଛଳ ଯୋଗୁଁ ନଡ଼ା ଛପର ଘର ପ୍ରାୟ ଦେଖିବାକୁ ମିଳିଲା ନାହିଁ । କିନ୍ତୁ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଏବେ ମଧ୍ୟ ବହୁଳ ପରିମାଣରେ ନଡ଼ା ବାଉଁଶ ଛପର ଘର ରହିଛି । ବାସଗୃହ ସହିତ ଗୁହାଳ ଆଦି ନଡ଼ା ଛପରରେ କରାଯାଉଛି । ଧାନ ଅମଳ ସମୟରେ ଛଣ ପାଇଁ ଅଲଗା କାଟିବାକୁ ପଡ଼ିଥାଏ । ବିଡ଼ା ବାନ୍ଧି ପରେ ସେ ଛଣବିଡ଼ାକୁ ପିଟି ପିଟି ଧାନ ଅମଳ ପରେ ଛଣକୁ ବ୍ୟବହାର କରାଯାଇଥାଏ । ବର୍ତ୍ତମାନ କୃତ୍ରିମ ରାସାୟନ ସାର ପ୍ରୟୋଗ ଧାନ ନଡ଼ାକୁ ଦୁର୍ବଳ କରୁଛି । ଧାନ ଅମଳ ପାଇଁ ହାରଭେଷ୍ଟର ମେସିନ୍ ବ୍ୟବହାର କରାଯାଉଛି । ଅତି କମ୍ ସମୟ ଓ ଅଳ୍ପ ଲୋକରେ ଅମଳ ହେଉଛି । କିନ୍ତୁ ମେସିନ୍ରେ ନଡ଼ା କଟି ଛୋଟ ଛୋଟ ହୋଇଯାଉଥିବାରୁ ଛପରରେ ବ୍ୟବହାର ହୋଇ ପାରୁନାହିଁ ।
ଯେଉଁ କେତେକ ଚାଷୀ ଛଣ କାଟୁଛନ୍ତି ସେମାନଙ୍କ ଠାରୁ ଛତୁ ବ୍ୟବସାୟୀ ଚଢ଼ା ଦରରେ ଛଣ କିଣି ନେଉଛନ୍ତି । ବର୍ଷ ସାରା ଛତୁଚାଷ ପାଇଁ ଯଥେଷ୍ଟ ପରିମାଣରେ ଛଣ କିଣି ଗଚ୍ଛିତ ରଖୁଛନ୍ତି । ଯାହାକି ଛଣର ଅଭାବ ପରିଲକ୍ଷିତ ହେଉଛି । ଫଳରେ ଗରିବ ଲୋକ ଛଣ ପାଇଁ ବହୁ ଅସୁବିଧା ଭୋଗୁଛନ୍ତି । କୃତ୍ର ିମ ରାସାୟନିକ ସାର ଯୋଗୁଁ ଧାନ ନଡ଼ାକୁ ପ୍ରାୟ ୬ ମାସରେ ନଷ୍ଟ କରିଦେଉଥିବା ଚାଷୀ ହରିବନ୍ଧୁ ବିଶ୍ୱାଳ, ଯୁବରାଜ ସ୍ୱାଇଁ, ଚକ୍ରା ଜେନା, ଏଡଲା ସୀମା, ସୀମାଦ୍ରି ରେଡ୍ଡୀ, ସିରିପୁରମ୍ ପାପାୟା ପ୍ରମୁଖ ଅଭିଯୋଗ କରିଛନ୍ତି । ବ୍ଲକ କୃଷି ଅଧିକାରୀ ଶିଶିର ବିଷୋୟୀଙ୍କୁ ପଚାରିବାରେ ୟୁରିଆ ଭଳି ବିଭିନ୍ନ ସାରର ପ୍ରୟୋଗ ଦ୍ୱାରା ଧାନର ଷ୍ଟ୍ର ଗୁଡ଼ିକୁ ଦୁର୍ବଳ କରୁଛି । ଯାହାଦ୍ୱାରା ଅଳ୍ପ ପବନ ହେଲେ ଧାନଗଛ ଫଳର ଓଜନ ସମ୍ଭାଳି ନପାରି ପଡ଼ିଯାଉଛି । ଷ୍ଟ୍ର ଗୁଡ଼ିକ ନଡ଼ା ଛପର ପାଇଁ ଦୁର୍ବଳ ନା ନାହିଁ ତାହା କୃଷି ବିଜ୍ଞାନୀଙ୍କ ଗବେଷଣା ପରେ ହିଁ ଜଣାପଡ଼ିବ ବୋଲି କହିଛନ୍ତି । ଏହାର ବିକଳ୍ପଭାବେ ବଡ଼ ବଡ଼ ନଦୀ ପାଶ୍ୱ ର୍ରେ ଥିବା ଚଡ଼ିଆ ବା ଡାବୁଛଣ ବ୍ୟବହାର କରାଯାଉଛି । ଯେଉଁ ସବୁ ଅଞ୍ଚଳରେ ଏହିପରି ବିକଳ୍ପ ଛଣର ଅଭାବ ସେ କ୍ଷେତ୍ରରେ ପାହାଡ଼ ଠିଆ ଘାସ ବ୍ୟବହାର କରାଯାଉଛି । ବିଶେଷ କରି ଗୋଷାଣି ସମେତ ଗଜପତି ଜିଲ୍ଲାରେ ଘର ଛପର ପାଇଁ ପାହାଡ଼ିଆ ଘାସର ଚାହିଦା ବଢ଼ୁଛି । ଆଦିବାସୀମାନେ ଏହି ନଡ଼ା ସଂଗ୍ରହ କରି ରୋଜଗାର କରୁଛନ୍ତି । ପାହାଡ଼ିଆ ଘାସ ବିଡ଼ା ପ୍ରତି ୮୦ରୁ ୧୦୦ ଟଙ୍କା ପଡ଼ୁଛି । ଗରିବ ଶ୍ରେଣୀର ଲୋକ ଏହାକୁ କିଣି କାମ ଚଳାଉଛନ୍ତି ।